ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍‌ର ଦ୍ୱିତୀୟ ଲହର ସଂକ୍ରମଣ ଓଡ଼ିଶାବାସୀଙ୍କୁ ଭୟଭୀତ କରିଛି। ଏହାରି ମଧ୍ୟରେ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଏବେ ବ୍ଲାକ୍ ଫଙ୍ଗସ (ମ୍ୟୁକୋରମାଇକୋସିସ୍‌) ସଂକ୍ରମଣ ଦେଖିବାକୁ ମିଳୁଛି। ତେବେ ଏହି ବ୍ଲାକ୍ ଫଙ୍ଗସ କ’ଣ, ଓଡ଼ିଶାରେ ଚିହ୍ନଟ ହୋଇଥିବା ବ୍ଲାକ୍ ଫଙ୍ଗସ ରୋଗୀମାନଙ୍କ ଲକ୍ଷଣ କ’ଣ ରହିଛି, କେଉଁ ରୋଗୀମାନେ ଏହାର ଶିକାର ହେଉଛନ୍ତି, ସେ ସମ୍ପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା।ସାଧାରଣତଃ ଡାଇବେଟିସ୍ ରୋଗୀ, ଯେଉଁମାନଙ୍କର ରକ୍ତ ଶର୍କରା ନିୟନ୍ତ୍ରଣରରେ ନଥାଏ ସେମାନେ ଏହି ରୋଗରେ ବେଶି ଆକ୍ରାନ୍ତ ହେଉଥିବା କହିଛନ୍ତି ଡାକ୍ତର ପଣ୍ଡା । ମୁଣ୍ଡବ୍ୟଥା, ଗୋଟେ ପଟ ନାକ ବନ୍ଦ, ଗୋଟେ ପଟ ଆଖି ଓ ନାକ ଲାଲ୍ ହୋଇ ଫୁଲିଯାଇଥିଲେ, ନାକରୁ କଳା ପାଣି ବାହାରୁଥିଲେ, ଆଖିକୁ ଗୋଟିଏ ଜିନିଷ ଦୁଇଟି ଦେଖା ଯାଉଥିଲେ, ରକ୍ତ ବାନ୍ତି ଇତ୍ୟାଦି ଲକ୍ଷଣ ନେଇ ଜଣେ ରୋଗୀ ଡାକ୍ତରଖାନାକୁ ଆସିଲେ, ସେହି ପରିସ୍ଥିତିରେ ରୋଗୀକୁ ପରୀକ୍ଷା କରି ଚିକିତ୍ସା କରାଯାଇଥାଏ କହିଛନ୍ତି ଡାକ୍ତର ପଣ୍ଡା।ସେ ଆଉ ମଧ୍ୟ କହିଛନ୍ତି, “ଦୀର୍ଘ ଦିନ ଧରି ଷ୍ଟେରଏଡ ଥେରାପି ନେଉଥିଲେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି। କିଛି ବ୍ୟକ୍ତି ଡାକ୍ତରଙ୍କ ବିନା ପରାମର୍ଶରେ ଷ୍ଟେରଏଡ ଥେରାପି ନେଇଥାନ୍ତି। ତେଣୁ କୋଭିଡ୍ ରୋଗୀ ହୋମ୍ ଆଇସୋଲେସନରେ ଥିବା ସମୟରେ ୧୦୪ ନମ୍ବରରରେ କଲ୍ କରି, ପରାମର୍ଶ ନେଇ ଔଷଧ ସେବନ କରିବା ଉଚିତ୍। କୋଭିଡ୍ ଚିକିତ୍ସା ସମୟରେ ମଧ୍ୟ ଲୋକଙ୍କ କ୍ଷେତ୍ରରେ ରକ୍ତ ଶର୍କରା ବୃଦ୍ଧି ପାଇଥାଏ। କୋଭିଡ ସଂକ୍ରମିତ ହୋଇ ନଥିବା ବ୍ୟକ୍ତି ପୂର୍ବରୁ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇଥାନ୍ତି। ଏପରିକି ଅର୍ଗାନ ଟ୍ରାନସପ୍ଲାଣ୍ଟ ଏବଂ କ୍ୟାନସର ଚିକିତ୍ସାଧିନ ଲୋକେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି।”

ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ୪ରୁ ୬ ସପ୍ତାହ ଲାଗିଥାଏ । ସୁସ୍ଥ ହେବା ପରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ। ମୁହଁରେ ପ୍ରତିଦିନ ମାସ୍କ ପିନ୍ଧନ୍ତୁ। ବଗିଚାରେ କାମ କରିବା ସମୟରେ, ଘର ତିଆରି କରିବା ସମୟରେ କିମ୍ବା ଜମି କାର୍ଯ୍ୟ କରିବା ସମୟରେ ମାସ୍କ ସହ, ଗ୍ଲୋଭସ, ଫେସ ସିଲ୍ଡ, ଜୋତା ଆଦି ପିନ୍ଧିକି ଗଲେ ବ୍ଲାକ ଫଙ୍ଗସଠାରୁ ଦୂରେଇ ରହିପାରିବା ବୋଲି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଫେସର ଜୟନ୍ତ କୁମାର ପଣ୍ଡା।

LEAVE A REPLY

Please enter your comment!
Please enter your name here