ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି। ବାତ୍ୟା ୟାସ୍‌ର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଝିପିଝିପି ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଏଥିସହିତ ମେ’ ୨୬ ତାରିଖରେ ପାରାଦୀପ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଆଶଙ୍କା ରହିଛି।

ବର୍ତ୍ତମାନ ଏହି ବାତ୍ୟାର ଘଣ୍ଟା ପ୍ରତି ବେଗ ୨କିମି ରହିଛି। ଲ୍ୟାଣ୍ଡଫଲ ବେଳେ ଏହା ଅତି ଭୀଷଣ ବାତ୍ୟାର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦୀପ ଓ ଧାମରା ପାଇଁ ୪ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ପୁରୀ ଓ ଗୋପାଳପୁର ପାଇଁ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।ଅନ୍ୟପକ୍ଷରେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୫ ବରିଷ୍ଠ ସଚିବଙ୍କୁ ରାଜ୍ୟ ସରକାର ଗୁରୁ ଦାୟିତ୍ୱ ଦେଇଛନ୍ତି। ଓଡ୍ରାଫର ପ୍ରାୟ ୮୦୦ କର୍ମଚାରୀ ବାତ୍ୟା ମୁକାବିଲାରେ ସାମିଲ ହେବ ବୋଲି ଓଡ଼ିଶା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏନ୍‌ଡିଆର୍‌ଏଫ୍ ମଧ୍ୟ ପ୍ରସ୍ତୁତ ରହିଛି।

ଆସନ୍ତାକାଲିଠାରୁ ପବନର ବେଗ ଘଣ୍ଟାପ୍ରତି ୧୪୫ ରୁ ୧୭୦ କିଲୋମିଟର ରହିବ। ଲ୍ୟାଣ୍ଡଫଲ୍ ସମୟରେ ପବନ ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ବାତ୍ୟା ପ୍ରଭାବରେ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବାତ୍ୟା ସମୟରେ କେହି ଘରୁ ବାହାରକୁ ନବାହାରିବା ପାଇଁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Comment