ଓଡ଼ିଶାଲାଇଭ୍ ବ୍ୟୁରୋ

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ୟାସ୍‌ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ଆଜି ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ଅନୁଧ୍ୟାନ ପରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ବୁଧବାର ବାତ୍ୟା ୟାସ୍‌ର ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ୮୪ ଓ ଭଦ୍ରକ ଜିଲ୍ଲାର ୪୮ଗାଁ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି। ଏହି ଗାଁର ସମସ୍ତ ପରିବାରକୁ ୭ ଦିନ ପର୍ଯ୍ୟନ୍ତ ରିଲିଫ୍ ଦିଆଯିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ସେହିପରି ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ରାସ୍ତାଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ମରାମତି କରାଯିବ ଏବଂ ପ୍ରଭାବିତ ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରାଯିବ ବୋଲି କହିଥିଲେ।ବାତ୍ୟା ୟାସ୍‌ର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାର ଅଧିକାଂଶ ଚାଷ ଜମିରେ ସମୁଦ୍ର ପାଣି ମାଡିଯିବା ହେତୁ ବ୍ୟାପକ କ୍ଷତି ଘଟିଛି। ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାରେ ଗଛ ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟାର ସଫଳ ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ସମସ୍ତ ପଞ୍ଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

Comment