ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାତ୍ୟା ‘ୟାସ୍‌’ର ସମୀକ୍ଷା ବୈଠକ ନେଇ ଏବେ ରାଜନୀତି ଜୋର୍ ଧରିଛି। ଗୋଟିଏ ପଟେ ବୈଠକରେ ମୁଖ୍ୟମନ୍ତ୍ରୀ ମମତାଙ୍କ ବିଳମ୍ଵରେ ପହଞ୍ଚିବା ଏବଂ ଅଧାରୁ ବୈଠକ ଛାଡ଼ି ଚାଲିଯିବାକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଛି। ଅନ୍ୟପଟେ ଆଜି ମମତା ବାନାର୍ଜୀ ସାମ୍ଵାଦିକ ସମ୍ମିଳନୀ କରି ବିଜେପି ଉପରେ ଓଲଟା ବର୍ଷିଛନ୍ତି। ବିଜେପି ସରକାର ମିଥ୍ୟା ଏବଂ ଏକ ପାଖିଆ ଖବର ଗଣମାଧ୍ୟମରେ ପ୍ରଚାର କରି ତାଙ୍କୁ ଅପମାନିତ କରୁଥିବା ସେ ଅଭିଯୋଗ କରିଛନ୍ତି।

ବାତ୍ୟା ସମୀକ୍ଷା ବୈଠକ ଛାଡ଼ି ମମତା ଚାଲିଯିବାକୁ ନେଇ ସେ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କ ଅନୁମତି କ୍ରମେ ସେ ବୈଠକରୁ ବିଦାୟ ନେଇଥିଲେ। କିନ୍ତୁ ବୈଠକର ପୂର୍ବ କିମ୍ଵା ପର୍ବରର୍ତ୍ତୀ ସମୟର ଫଟୋ, ଯେଉଁଠି କି ମମତା ନାହାନ୍ତି ତାହାକୁ ଗଣମାଧ୍ୟରେ ପ୍ରଚାର କରାଯାଇ ତାଙ୍କୁ ଦେଶରେ ଅପମାନିତ କରାଯାଉଛି।“ବାତ୍ୟା ୟାସ୍‌ରେ ପ୍ରଭାବିତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିବାର ମୋର ଯୋଜନା ରହିଥିଲା। କ୍ଷୟକ୍ଷତି ଦେଖିବା ପାଇଁ ମୋତେ ସାଗର ଏବଂ ଦୀଘା ଯିବାର ଥିଲା। ମୋର ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଥିବା ବେଳେ ହଠାତ୍ ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବାକୁ ପଶ୍ଚିମବଙ୍ଗ ଆସୁଥିବା ନେଇ ଖବର ଆସିଥିଲା। ଶୁକ୍ରବାର ପ୍ରଧାନମନ୍ତ୍ରୀ ଆସିବା ପରେ ଯେଉଁ ସ୍ଥାନରେ ବୈଠକ ହେବାର ଥିଲା ସେହି ସ୍ଥାନରେ ପହଞ୍ଚିବା ବେଳକୁ ଆମେ ଜାଣିବାକୁ ପାଇଲୁ ଯେ ପ୍ରଧାନମନ୍ତ୍ରୀ କିଛି ସମୟ ପୂର୍ବରୁ ସେଠାରେ ପହଞ୍ଚି ସାରିଛନ୍ତି ଏବଂ ସେଠାରେ ଏକ ବୈଠକ ଚାଲିଛି। ଆମକୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା। ଭିତରେ ଏକ ସଭା ଚାଲିଥିବାରୁ ବର୍ତ୍ତମାନ ସମୟରେ କାହାରିକୁ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଆମକୁ କୁହାଯାଇଥିଲା”, କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ସମୟ ଅପେକ୍ଷା ପରେ ଆମେ ଜାଣିବାକୁ ପାଇଲୁ ବୈଠକଟି କନ୍‌ଫରେନ୍ସ ହଲରେ ଚାଲିଛି। ତେଣୁ ମୁଖ୍ୟ ସଚିବ ଏବଂ ମୁଁ ସେଠାକୁ ଯିବାକୁ ସ୍ଥିର କଲୁ। ସେଠାରେ ପହଞ୍ଚିବା ପରେ ମାନ୍ୟବର ରାଜ୍ୟପାଳ, କିଛି କେନ୍ଦ୍ରୀୟ ନେତା ଏବଂ ବିଧାୟକଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରୁଥିଲେ। କିନ୍ତୁ ଆମ ପାଖରେ ସୂଚନା ଥିଲା ଯେ କେବଳ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ। ତେଣୁ ଆମେ ବାତ୍ୟାର କ୍ଷୟକ୍ଷତି ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାଖଲ କରି ତାଙ୍କଠାରୁ ଅନୁମତି ନେଇ ବୈଠକରୁ ବାହାରିଥିଲୁ।ଏଥିସହ ବାତ୍ୟା ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ବିରୋଧୀ ଦଳ ନେତାଙ୍କ ଉପସ୍ଥିତି ନେଇ ପ୍ରଶ୍ନ ଉଠାଇଛନ୍ତି ଦିଦି। କିଛିଦିନ ପୂର୍ବରୁ ଗୁଜୁରାଟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସେଠାକୁ ଯାଇଥିଲେ। କିନ୍ତୁ ସେଠାରେ ବିରୋଧୀ ଦଳ ନେତାଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇ ନଥିଲା। ସେହିପରି ଓଡ଼ିଶାର ସମୀକ୍ଷା ବୈଠକରେ ମଧ୍ୟ ବିରୋଧୀ ଦଳ ନେତା ସାମିଲ ହୋଇ ନଥିଲେ। କିନ୍ତୁ ପଶ୍ଚିମବଙ୍ଗ କ୍ଷେତ୍ରରେ ଏଭଳି କରାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଦିଦି।

ବ୍ୟକ୍ତିଗତ ଭାବେ ତାଙ୍କ ସରକାର ଏବଂ ରାଜନୀତିକ ଜୀବନ ସହିତ ଏଭଳି ଆଚରଣ କରି ଦେଶରେ ତାଙ୍କ ଦଳ ଏବଂ ଭାବମୂର୍ତ୍ତିକୁ ଖରାପ କରିବାରେ ବିଜେପି ବଡ଼ ଭୂମିକା ନେଉଥିବା ସିଧାସଳଖ ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ।

ପୂରା ଘଟଣା

ବାତ୍ୟା ‘ୟାସ୍‌’ ଦ୍ଵାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ଵରେ ପହଞ୍ଚିବା ସହ ଅନ୍ୟ ସ୍ଥାନରେ ମିଟିଂ ଥିବା କହି ପ୍ରଧାନମନ୍ତ୍ରୀଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେଇ ଚାଲି ଯାଇଥିଲେ।

ଏହାପରେ ସମୀକ୍ଷା ବେଳର ଏକ ଫଟୋ ଚାରିଆଡ଼େ ପ୍ରଚାର ହୋଇଥିଲା, ଯେଉଁଥିରେ ପଶ୍ଚିମବଙ୍ଗ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଆଦି ଥିବା ବେଳେ ମମତା ବାନାର୍ଜୀ ଉକ୍ତ ବୈଠକରେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏପରି ଆଚରଣକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସବୁଠି ସମାଲୋଚନା କରାଯାଇଥିଲା।

ସେହିପରି ଉକ୍ତ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲପନ୍ ବନ୍ଦୋପାଧ୍ୟାୟ ମଧ୍ୟ ସାମିଲ ହୋଇ ନଥିଲେ। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ସମୀକ୍ଷା ବୈଠକ ସାରି ଦିଲ୍ଲୀ ପହଞ୍ଚିବାର କିଛି ଘଣ୍ଟା ପରେ ଅଲପନ୍ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଦିଲ୍ଲୀକୁ ସ୍ଥାନାନ୍ତରଣ କରାଯାଇଥିବା ଖବର ଆସିଥିଲା।

Comment