ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ହାଟପଡିଆଠାରେ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ଦୁଇଟି ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବଡପଡା ଓ ବଡମହନପୁର ପଞ୍ଚାୟତର ଶତାଧିକ ମହିଳା ଏହାକୁ ବିରୋଧ କରି ମଦ ଦୋକାନକୁ ହଟାଇବାକୁ ଦାବି କରିଛନ୍ତି। ଯଦି ଏଠାରେ ମଦ ଦୋକାନ ଖୋଲାଯାଏ, ତେବେ ମହିଳାମାନେ ଏଠାରେ ଧାରଣାରେ ବସିରହିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ହାଟ ନିକଟରେ ନୂତନ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ପ୍ରସ୍ତାବିତ ମଦଦୋକାନ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଘର ଭଡା ନେଇ କାମ ଆରମ୍ଭ ହେଉଥିଲା। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାମାନେ ପହଞ୍ଚି ବିରୋଧ କରିବା ସହିତ ଘର ମାଲିକଙ୍କୁ ଘର ଭଡା ନଦେବାକୁ କହିଥିଲେ। କିନ୍ତୁ ସେମାନଙ୍କ କଥା କେହି ନଶୁଣିବାରୁ ବଡପଡା ପଞ୍ଚାୟତ ସରପଞ୍ଚଙ୍କ ମାଧ୍ୟମରେ ପଟ୍ଟାମୁଣ୍ଡାଇ ତହସିଲଦାର, ବିଡ଼ିଓ, ପୋଲିସ ଏସଡିପିଓ, ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ମଦଦୋକାନ ନଖୋଲିବା ପାଇଁ ଲିଖିତ ଭାବେ ଜଣାଇଥିଲେ।ପ୍ରଶାସନ ପକ୍ଷରୁ ମଦ ଦୋକାନ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନିଆ ନଯିବାରୁ ମେ’୩ ତାରିଖରେ ଏହି ମଦଦୋକାନ ଆଗରେ ଶତାଧିକ ମହିଳା ଧାରଣା ଦେଇଥିଲେ। ପରେ ପଟ୍ଟାମୁଣ୍ଡାଇ ତତ୍କାଳୀନ ଏସ୍‌ଡିପିଓ ରଞ୍ଜନ କୁମାର ଦେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ସେହି ଅଞ୍ଚଳର ଏକ ପ୍ରତିନିଧି ଦଳ ସହ ଆଲୋଚନା ପରେ ନିଷ୍ପତ୍ତି ହେବବୋଲି ସୂଚନା ଦେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସେହି ଘଟଣାର ମାସକପରେ ଦୋକାନ ଆରମ୍ଭ କରିବା ପାଇଁ ଦୋକାନୀ ଜଣଙ୍କ ମଦ ଗଚ୍ଛିତ ରଖିଥିବା ସ୍ଥାନୀୟ ମହିଳାମାନେ ଜାଣିବାକୁ ପାଇଥିଲେ। ଏହା ଜାଣିପାରି ଗୁରୁବାର ମହିଳାମାନେ ମଦଦୋକାନ ଆଗରେ ପହଁଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗା ରୁଜା ଏବଂ ପୋଡାଜଳା କରିଥିଲେ। ଖବରପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଁଞ୍ଚି ବିକ୍ଷୋଭକାରୀମାନଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ମହିଳାମାନେ ଏଠାରେ ମଦ ଦୋକାନ ଖୋଲା ନଯାଇ ଅନ୍ୟତ୍ର ଖୋଲାଯାଉ ବୋଲି ପ୍ରଶାସନକୁ ଅନୁରୋଧ କରିଥିଲେ।ଅନ୍ୟପକ୍ଷରେ ମଦ ଦୋକାନ ବନ୍ଦ ନହେଲେ ଆଗକୁ ଏହାର ତୀବ୍ର ବିରୋଧ କରାଯିବ ବୋଲି ନିର୍ମଳା ନନ୍ଦ, ଜ୍ୟୋତ୍ସ୍ନାରାଣୀ ମିଶ୍ର, ପାର୍ବତୀ ସ୍ୱାଇଁ, ଜଶ୍ୱମତୀ ନାୟକ, ଅହଲ୍ୟା ନାୟକ ପ୍ରମୁଖ ମହିଳାମାନେ ଚେତାବନୀ ଦେଇଛନ୍ତି। ଏହାପରେ ପଟ୍ଟାମୁଣ୍ଡାଇ ଆଇଆଇସି, ଅବକାରୀ ବିଭାଗ ଇନ୍ସପେକ୍ଟର, ସ୍ଥାନୀୟ ସରପଞ୍ଚ ଓ ସ୍ଵୟଂସହାୟିକା ଗୋଷ୍ଠୀର ମହିଳାମାନଙ୍କ ସହିତ ଏକ ଆଲୋଚନା ହୋଇଥିଲା। ପ୍ରସ୍ତାବିତ ମଦ ଦୋକାନ ଅନ୍ୟ ସ୍ଥାନରେ ଖୋଲାଯିବାକୁ ସ୍ଥାନ ଚୟନ କରାଯିବ ଏବଂ ସେପର୍ୟ୍ୟନ୍ତ ଏହି ଦୋକାନଟି ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯିବାପରେ ମହିଳାମାନେ ସେଠାରୁ ଉଠିଥିଲେ।

Comment