ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଫିକା ପଡ଼ିଛି ରଜ। ଓଡ଼ିଆ ସେଲିବ୍ରିଟିମାନେ ଘରେ ରହି ପାଳୁଛନ୍ତି ଲକଡାଉନ୍ ରଜ।

ଏଥର ରଜ ଉପରେ କରୋନା ମାଡ଼। ପୂର୍ବବର୍ଷ କରୋନାର ପ୍ରଥମ ଲହର ସଂକ୍ରମଣ ପାଇଁ ଫିକା ପଡ଼ିଥିଲା ରଜ ପର୍ବ। ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ସାଧାରଣତଃ ରଜ କହିଲେ ଝିଅମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥାଏ। ଏହିଦିନ ଝିଅମାନେ ନୂଆ ପୋଷାକ ପିନ୍ଧି, ପାନ ଖାଇ ରଜ ପାଳନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା କାରଣରୁ ସମସ୍ତେ ନିଜ ନିଜ ଘରେ ରହି ରଜ ପାଳୁଛନ୍ତି। ତେବେ ଆମ ଓଡ଼ିଆ ସେଲିବ୍ରିଟି କିପରି ରଜ ପାଳନ କରୁଛନ୍ତି ଆସନ୍ତୁ ଜାଣିବା।
ରଜ ଅଭିନନ୍ଦନ ଜଣାଇବାର ମୁଖ୍ୟ ମାଧ୍ୟମ ହୋଇଛି ଭିଡିଓ କଲ – ଅର୍ଚ୍ଚିତା ସାହୁ

ଲକଡାଉନ୍ ଭିତରେ ରଜ ପାଳନ କରିବା ଆଉ ନୂଆ ଲାଗୁନି। ପୂର୍ବବର୍ଷ ମଧ୍ୟ ଏଇ ଲକଡାଉନ୍ ଭିତରେ ଆମେ ରଜ ପାଳନ କରିଥିଲୁ। ଏବର୍ଷ ରଜ ପାଳନର ମୁଖ୍ୟ ଭୂମିକା ହୋଇଛି ଭିଡିଓ କଲ୍। ଭିଡିଓ କଲ୍ ମାଧ୍ୟମରେ ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ରଜର ଅଭିନନ୍ଦନ ଜଣାଇଛି। ଘରେ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ ହୋଇଛି। ଏଥିସହ ଘରେ ପୋଡ଼ପିଠା ଓ ପାନ ପ୍ରସ୍ତୁତ କରି ବୃଦ୍ଧାଶ୍ରମ, ଅନାଥଶ୍ରମ ଓ କ୍ବାରେଣ୍ଟାଇନରେ ରହିଥବା ବ୍ୟକ୍ତିମାନଙ୍କ ନିକଟରେ ପହଞ୍ଚାଇଛୁ। ଯେତିକି ସମ୍ଭବ ହୋଇପାରିଛି, ସେତିକି ଅସହାୟଙ୍କ ସହ ଯୋଡ଼ି ହୋଇପାରିଛି।ଘରେ ମା’ଙ୍କ ସହ ମିଶି ପିଠା ପ୍ରସ୍ତୁତ କରି ରଜ ପାଳୁଛି – ଶୀତଲ ପାତ୍ର

“ଚଳିତ ବର୍ଷ କରୋନା ପାଇଁ ମୁଁ ବାହାରକୁ ଯାଇନାହିଁ। ଘରେ ରହି ରଜ ପାଳନ କରୁଛି। ମୋ ମା’ଙ୍କ ସହ ମିଶି ପିଠା ପ୍ରସ୍ତୁତ କରୁଛି”, କହିଛନ୍ତି ଅଭିନେତ୍ରୀ ଶୀତଲ ପାତ୍ର।

ସେ ଆଉ ମଧ୍ୟ କହିଛନ୍ତି, “ଓଡ଼ିଆମାନଙ୍କର ବଡ଼ ପର୍ବ ହେଉଛି ରଜ। ରଜରେ ଆମେ ବାହାରକୁ ବୁଲିବାକୁ ଯାଉ। ଏଥିସହ ସବୁବର୍ଷ ରଜରେ ମୋର ଫିଲ୍ମ ରିଲିଜ୍ ହୋଇଥାଏ। ତେଣୁ ସେହି ଅବସରରେ ଦର୍ଶମାନଙ୍କ ସହ ରଜ ପାଳିବାର ସୁଯୋଗ ମତେ ମିଳିଥାଏ। ଯାହା ଏବେ ଦୁଇ ବର୍ଷ ହେବ ହେଉନାହିଁ।”

ପୂର୍ବଭଳି ରଜକୁ ନେଇ ମନରେ ଏତେଟା ଉତ୍ସାହ ନାହିଁ ସତ କିନ୍ତୁ ଆମର ପରମ୍ପରା ସଂସ୍କୃତିକୁ ବଜାଇ ରଖିବା ପାଇଁ ଘରେ ପାଳନ କରୁଛି ରଜ। ପ୍ରତିବର୍ଷ ରଜରେ ଆମ ଘରେ ଦହିବରା ହୋଇଥାଏ। ଏବର୍ଷ ବି ଦହିବରା ସାଙ୍ଗକୁ ଚକୁଳି, ମୁଗ ମଣ୍ଡା, ପୋଡ଼ ପିଠା ଇଦ୍ୟାଦି ପ୍ରସ୍ତୁତ କରାଯାଇଛି। ଫୋଟ, ଭିଡିଓ କଲ୍ ଏବଂ ଫୋନ୍ ହିଁ ହେଉଛି ଚଳିତ ବର୍ଷ ରଜ ପାଳନର ପ୍ରମୁଖ ମାଧ୍ୟମ ବୋଲି କହିଛନ୍ତି ଶୀତଲ।ରଜ ପାନକୁ ମିସ୍ କରୁଛି – ଜିନା ସାମଲ୍

“ଆଜି ରଜର ଦ୍ଵିତୀୟ ଦିନ। କିନ୍ତୁ ଏପର୍ଯ୍ୟନ୍ତ ମୁଁ ରଜ ପାନ ଖାଇନାହିଁ। ପାନକୁ ବହୁତ ମିସ୍ କରୁଛି। ମୋ ଘର ପାଖ ଦୋକାନ ଖୋଲା ରହୁନଥିବାରୁ ପାନ ଖାଇପାରୁନାହିଁ। ଯାହାବି ହେଉ ଅନଲାଇନରେ ପାନ କିଣି ନିଶ୍ଚୟ ଖାଇବି”, କହିଛନ୍ତି ଅଭିନେତ୍ରୀ ଜିନା ସାମଲ୍।

କରୋନା ସ୍ଥିତି ଠିକ୍ ନଥିବାରୁ ଘରେ ରହି ରଜ ପାଳୁଛି। ପିଠା ତିଆରି କରିଛି କିନ୍ତୁ ପାନ ବିନା ରଜ ଅଧୁରା। ସାଧରଣତଃ ରଜ ମୋର ସୁଟିଂ ସେଟ୍ ରେ କଟିଥାଏ। କିନ୍ତୁ ଏବର୍ଷ ସୁଟିଂ ବି ବନ୍ଦ ଥିବାରୁ ସବୁ ବନ୍ଦ ହୋଇଯାଇଛି ବୋଲି କହିଛନ୍ତି ଜିନା।

କୋଭିଡ୍ ସମୟରେ ଜୀବନ ଆଗ ବାକି ସବୁ ପଛ – ଦିବ୍ୟା ମହାନ୍ତି

କୋଭିଡ୍ ପାଇଁ ଘରେ ରହି ରଜ ପାଳୁଛି। ଏହି କଠିନ ସମୟରେ ସୁରକ୍ଷିତ ରହିବା ହିଁ ନିହାତି ଜରୁରୀ। ଆରବର୍ଷ ପୁଣି ରଜ ଆସିବ। ସ୍ଥିତି ଭଲ ରହିଲେ ସମସ୍ତେ ପୁଣି ଏକାଠି ହୋଇ ରଜ ପାଳିବା କହିଛନ୍ତି ଓଲିଉଡ୍ ଅଭିନେତ୍ରୀ ଦିବ୍ୟା ମହାନ୍ତି।

ସେ ଆଉ ମଧ୍ୟ କହିଛନ୍ତି, ନୂଆ ଡ୍ରେସ ପିନ୍ଧିଛି, ପିଠା ଖାଉଛି, ପୂର୍ବରୁ ଯେମିତି ରଜ ପାଳେ, ଏବେବି ସେମିତି ରଜ ପାଳନ କରୁଛି କିନ୍ତୁ ଘର ଭିତରେ। କୋଭିଡ୍ ପାଇଁ ସମ୍ପର୍କୀୟମାନଙ୍କୁ ଘରକୁ ଆସିବାକୁ ବାରଣ କରାଯାଇଛି। ତେଣୁ ଆମେ ସମସ୍ତେ ଭିଡିଓ କଲରେ କଥାବାର୍ତ୍ତା ହୋଇ ରଜ ପାଳନ କରୁଛୁ।

Comment