ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରଜ ସଂକ୍ରାନ୍ତି। ତିନି ଦିନ ଧରି ପାଳିତ ହେଉଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ। କରୋନା କଟକଣା ଭିତରେ ଗାଁରୁ ସହର ସବୁଠି ପାଳନ ହେଉଛି ରଜ। ଦୋଳି ଖେଳି, ପିଠା ଖାଇ ମଉଜ କରୁଛନ୍ତି ଝିଅ, ବୋହୂ। ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ରଜ ଏତେ ଧୁମଧାମରେ ପାଳନ କରାଯାଉନଥଲେ ମଧ୍ୟ ଗାଁମାନଙ୍କରେ ଦୋଳି ଓ ପିଠା ଖାଇ ରଜ ପାଳୁଛନ୍ତି ଝିଅମାନେ।ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ କ୍ଷେତରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢର ପ୍ରଥମ ବର୍ଷାରେ ପୃଥିବୀ ଶୀତଳ ହେବା ସହ ପ୍ରଜନନକ୍ଷମ ହୋଇଥାଏ। ପୃଥିବୀମାତାର ଏହି ଅବସ୍ଥାକୁ ରଜସ୍ୱଳା ନାରୀ ସହ ତୁଳନା କରି ପୂର୍ଣ୍ଣବିଶ୍ରାମ ଦିଆଯାଏ।

ଏଥିସହିତ କୃଷିକର୍ମରୁ ଅବ୍ୟାହତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକସମାଜ। ବିଭିନ୍ନ ପ୍ରକାରର ପିଠାପଣାରେ ମହକିଯାଏ ଓଡ଼ିଶାର ପୂରପଲ୍ଲୀ। ରଜପାନ ଖିଆ, ଦୋଳିରେ ଝୁଲିବା, ଲୁଡୁ, ତାସ୍ ଖେଳ ଓ ବନ୍ଧୁଶଙ୍ଖୁଳା ମଧ୍ୟରେ ଉତ୍ସବମୁଖର ହୋଇଉଠେ ପରିବେଶ। ପହିଲି ବର୍ଷାର ସ୍ପର୍ଶରେ ଝୁମିଯାଏ, ପୁଲକିତ ପଲ୍ଲବିତ ହୁଏ ପୃଥିବୀ।ଏହି ମହୋତ୍ସବରେ ଝିଅ, ବୋହୂମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥାଏ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୋଡ଼ପିଠା, ପାନ ଭଙ୍ଗା, ଝୋଟି ପକା ଆଦି ପ୍ରତିଯୋଗିତା କରାଯାଇ ଝିଅ, ବୋହୂମାନଙ୍କୁ ଉତ୍ସାହିତ କରାଯାଇଥାଏ। ସମସ୍ତେ ନୂଆ ପୋଷାକ ପିନ୍ଧି, ସଜେଇ ହୋଇ ରଜକୁ ମନଭରି ଉପଭୋଗ କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ସଙ୍କଟ ଟଳି ନଥିବାରୁ ଏତେ ଧୁମଧାମରେ ରଜ ପର୍ବ ପାଳନ କରାଯାଉନାହିଁ। ରାଜ୍ୟରେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଲକଡାଉନ୍ ବଳବତ୍ତର ରହିଛି।

LEAVE A REPLY

Please enter your comment!
Please enter your name here