ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ବିଶ୍ୱବ୍ୟାପି ଏହି ଦିବସକୁ ପାଳନ କରାଯାଉଛି। କର୍ମମୟ ଜୀବନରୁ କିଛି ସମୟ ବାହାର କରିବା ପାଇଁ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି। ଏହି କ୍ରମରେ ସୋମବାର ସାରା ବିଶ୍ୱ ପାଳନ କରିଛି ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ। ଦେଶର କରୋନା ସଙ୍କଟ ଦେଇ ଗତି କରୁଥିବାରୁ ନେତାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଫିଲ୍ମ ତାରକା, ଖେଳ ତାରକା ପ୍ରମୁଖ ବ୍ୟକ୍ତି ନିଜ ନିଜ ଘରେ ଯୋଗ କରିଛନ୍ତି।ଆଜିର ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ କହିଛନ୍ତି, “ବର୍ତ୍ତମାନ ପୂରା ବିଶ୍ୱ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛି। କିନ୍ତୁ ଏସବୁ ଭିତରେ ଲୋକଙ୍କର ଯୋଗ ପ୍ରତି ଆଗ୍ରହ କମିନାହିଁ। ଚଳିତ ବର୍ଷ ସର୍ବସାଧାରଣରେ ଯୋଗ ଦିବସ ପାଳନ କରାଯାଇନଥିଲେ ମଧ୍ୟ ସମସ୍ତେ ନିଜ ନିଜ ଘରେ ରହି ଯୋଗ କରିଛନ୍ତି। ଏବେବି ସମସ୍ତଙ୍କ ମନରେ ଯୋଗକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି।”

ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଚଳିତ ବର୍ଷର ଥିମ୍ ହେଉଛି ‘ସୁସ୍ଥତା ପାଇଁ ଯୋଗ’। ମଣିଷର ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଦୈନନ୍ଦିନ ଜୀବନରେ ଯୋଗ ନିହାତି ଜରୁରୀ।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବେଳାଭୂମିରେ ଏକ ସୁନ୍ଦର ଚିତ୍ର କରିବା ସହ ବାଲୁକାରେ ସୂର୍ଯ୍ୟ ନମସ୍କାରର ବିଭିନ୍ନ ମୁଦ୍ରାକୁ ସେ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ଏଥିସହ କରୋନା ମହାମାରୀ ସମୟରେ ଶରୀରକୁ ସୁସ୍ଥ ରଖିବାକୁ ହେଲେ ସମସ୍ତଙ୍କୁ ଯୋଗ କରିବା ପାଇଁ ବାଲୁକା କଳା ମାଧ୍ୟମରେ ଉତ୍ସାହିତ କରିଛନ୍ତି।

Comment