ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦେଢଲକ୍ଷ କୋଟି ମୂଲ୍ୟର ୫ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ କ୍ଲିଅରାନ୍ସ କମିଟିର ନିଷ୍ପତ୍ତି ପରେ ଏହି ପ୍ରକଳ୍ପ ପାଇଁ ବାଟ ଫିଟିଛି। ଏହାଦ୍ୱାରା ରାଜ୍ୟରେ ପାଖାପାଖି ୨୭ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଯେଉଁ ୫ ପ୍ରକଳ୍ପକୁ ସରକାର ମଞ୍ଜୁରି ଦେଇଛନ୍ତି। ସେଥିମଧ୍ୟରେ ରହିଛି ସମ୍ବଲପୁର ରେଙ୍ଗାଲିରେ ଭୂଷଣ ପାୱାର ଓ ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ। ଏଥିପାଇଁ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଓ ୧୦ହଜାର ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ। ସେହିଭଳି ଟାଟାଷ୍ଟିଲ ଲିମିଟେଡ କ୍ରୁଡ ଷ୍ଟିଲ ପ୍ରକଳ୍ପର ବି ସଂପ୍ରସାରଣ ହେବ। ଯାଜପୁର କଳିଙ୍ଗନଗରରେ ୪୭ ହଜାର ୫୯୯ କୋଟି ଟଙ୍କା ଖର୍ଚ୍ଚରେ ଏହା ସଂପ୍ରସାରିତ ହେବ। ଏଥିରେ ୪୬୨୫ ଜଣଙ୍କୁ ନିଯୁକ୍ତି ମିଳିବ। ତୃତୀୟ ବଡ ପ୍ରକଳ୍ପ ଜିନ୍ଦଲ ଷ୍ଟିଲ ଓ ପାୱାର ପ୍ଲାଣ୍ଟର ସଂପ୍ରସାରଣ।ଅନୁଗୁଳରେ ସଂପ୍ରସାରିତ ହେବାକୁଥିବା ଏହି ପ୍ରକଳ୍ପ ଲାଗି ଖର୍ଚ୍ଚ ହେବ ୨୪ ହଜାର ୬୫୨ କୋଟି ଟଙ୍କା ଓ ହଜାରେ ନୂଆ ଲୋକଙ୍କୁ ନିଯୁକ୍ତି ମିଳିବ। ଏହାକୁ ମିଶାଇ ରାଜ୍ୟରେ ଜିନ୍ଦଲର ମୋଟ ନିବେଶ ୧ଲକ୍ଷ ୬୭୦ କୋଟି ହେବ, ଯାହା ବିଶ୍ୱର ଗୋଟିଏ ସ୍ଥାନରେ ସବୁଠାରୁ ଅଧିକ ନିବେଶ। ମଞ୍ଜୁରି ପାଇଥିବା ଅନ୍ୟ ଏକ ବଡ ପ୍ରକଳ୍ପ ହେଲା ରୁଙ୍ଗଟାର ସମନ୍ୱିତ ଷ୍ଟିଲ ପ୍ଲାଣ୍ଟର ସଂପ୍ରାସରଣ। ଏଥିପାଇଁ ଖର୍ଚ୍ଚ ହେବ ଏଗାର ହଜାର କୋଟି ଟଙ୍କା। ଢେଙ୍କାନାଳର ଝାରବନ୍ଧରେ ଏହା ସଂପ୍ରାସାରିତ ହେବ ଏହି ପ୍ରକଳ୍ପରେ ୬ହଜାର ୨ଶହ ଲୋକ ନୂଆ ନିଯୁକ୍ତି ପାଇବେ। ସେହିଭଳି ପଞ୍ଚମ ବଡ ପ୍ରକଳ୍ପ ହେଲା ରୁଙ୍ଗଟା ମାଇନସ ଲିମିଟେଡର ସଂପ୍ରସାରଣ। ଏଥିପାଇଁ ଖର୍ଚ୍ଚ ହେବ ୭ ହଜାର ୯୨୦ କୋଟି ଓ ୫ ହଜାର ୧୩୪ ଲୋକଙ୍କୁ ନୂଆ ନିଯୁକ୍ତି ମିଳିବ। କେନ୍ଦୁଝରର କରଖେନ୍ଦ୍ରରେ ଏହା ପ୍ରତିଷ୍ଠା ହେବ।ଏହି ସବୁ ପ୍ରକଳ୍ପକୁ ଅନୁମତି ମିଳିବାପରେ ରାଜ୍ୟରେ ଇସ୍ପାତ ଶିଳ୍ପର ସବୁଠାରୁ ବଡ ଦିଗ ସାମ୍ନାକୁ ଆସିଛି। ୨୦୩୦ସୁଦ୍ଧା ଓଡ଼ିଶା ୧୦୦ମିଲିୟନ ଟନ ଇସ୍ପାତ ଉତ୍ପାଦନ ପାଇଁ କ୍ଷମତା ରଖିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ୨ ହଜାର ମସିହାରେ ରାଜ୍ୟରେ ୨ ନିୟୁତ  ଟନ ଇସ୍ପାତ କ୍ଷମତା  ଥିବାବେଳେ ୨୦୨୦ବେଳକୁ ଏହାର ପରିମାଣ ୩୦ମିଲିୟନ ଟନକୁ ବୃଦ୍ଧି ପାଇଥିଲା। ମଙ୍ଗଳବାର ଦିନର ମଞ୍ଜୁରିପରେ ଇସ୍ପାତ ଉତ୍ପାଦନ କ୍ଷମତା ବାର୍ଷିକ ୫୭.୫ମିଲିୟନ ଟନରେ ପହଞ୍ଚିବା ଆଶା କରାଯାଉଛି। ଏହା ବ୍ୟତୀତ ଡାଉନଷ୍ଟ୍ରିମରେ ମଧ୍ୟ ଅନେକ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥାକୁ ସେମାନଙ୍କର କ୍ଷମତା ବୃଦ୍ଧି ପାଇଁ ନିକଟରେ ମିଳିଥିବା ଅନୁମୋଦନ ଯୋଗୁଁ ବର୍ତ୍ତମାନ ଦେଶର ଓଡ଼ିଶା ସର୍ବବୃହତ ପୁଞ୍ଜି ବିନିଯୋଗ ରାଜ୍ୟ ଭାବରେ ପରିଗଣିତ ହେବା ଆରମ୍ଭ କରିଛି।

Comment