ଓଡ଼ିଶାଲାଇଭ୍‌ ବିଜିନେସ୍ ବ୍ୟୁରୋ

“ସାରା ଦେଶରୁ ଯେତିକି ଆଲୁମିନିୟମ ଉତ୍ପାଦନ ହେଉଛି ସେଥିମଧ୍ୟରୁ କେବଳ ୫୦ ପ୍ରତିଶତ ଉତ୍ପାଦନ ହେଉଛି ଓଡ଼ିଶାରୁ। ଦକ୍ଷିଣ ପୂର୍ବ ଏସିଆରେ ମଧ୍ୟ ଆଲୁମିନିୟମ ଉତ୍ପାଦନରେ ଓଡ଼ିଶା ଆଗରେ ରହିଛି। ଏଣୁ ଓଡ଼ିଶା କେବଳ ଭାରତର ନୁହେଁ, ସମଗ୍ର ଦକ୍ଷିଣ ପୂର୍ବ ଏସିଆର ଆଲୁମିନିୟମ କ୍ୟାପିଟାଲ”, ଇନ୍‌କାଲ-୨୦୧୯ର ଉଦଘାଟନୀ ଅବସରରେ କହିଛନ୍ତି ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ।

୩୧ ତାରିଖରୁ ସ୍ମାର୍ଟ ସିଟି ଭୁବନେଶ୍ଵରରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ ଇନ୍‌କାଲ-୨୦୧୯। ଏହା ୩ ତାରିଖ ଯାଏଁ ଚାଲିବ। ଏହି କନକ୍ଲେଭରେ ଆଲୁମିନିୟମ ଶିଳ୍ପ ସହ ଜଡ଼ିତ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଆଲୁମିନା ଉତ୍ପାଦନ କେମିତି ଆଗକୁ ବଢ଼ିବ ସେନେଇ ଆଲୋଚନା ଚାଲିଛି।

ଏହି ଅବସରରେ ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ନୀତିନ ଭାନୁଦାସ ଜୱାଲେ ଆଲୁମିନିୟମର ଚାହିଦା ଏବଂ ଇନ୍‌କାଲ-୨୦୧୯ ସମ୍ପର୍କରେ ଓଡ଼ିଶାଲାଇଭ୍‌ ସହ ଆଲୋଚନା କରିଥିଲେ।

“ଇନ୍‌କାଲ-୨୦୧୯ ଭୁବନେଶ୍ଵରରେ ଆୟୋଜନ କରାଯାଇଥିବାରୁ ଏହା ଆମ ପାଇଁ ଖୁସିର କଥା। ଆଲୁମିନିୟମକୁ ନେଇ ଅନ୍ତର୍ଜାତୀୟ ସ୍ତରର କନକ୍ଲେଭ ଏଠାରେ ହେଉଥିବାରୁ ଏବଂ ଓଡ଼ିଶାକୁ ଦେଶ ବିଦେଶର ପ୍ରତିନିଧି ଆସିଥିବାରୁ ଓଡ଼ିଶା ପାଇଁ ଗର୍ବର ବିଷୟ”, କହିଛନ୍ତି ନୀତିନ ଭାନୁଦାସ ଜୱାଲେ।

ସେ ଆହୁରି କହିଛନ୍ତି ଯେ ଏହି କନକ୍ଲେଭରେ ଆଲୁମିନିୟମ ଶିଳ୍ପ ସହ ଜଡ଼ିତ ବହୁ ପ୍ରତିନିଧି ଆସିଛନ୍ତି। ବିଶେଷକରି ବିଦେଶରୁ ବହୁ ପ୍ରତିନିଧି ଆସିଛନ୍ତି। ଆମେ ସେମାନଙ୍କ ସହ B2B ମିଟିଂ କରିବୁ। ଓଡ଼ିଶାରେ ଆଲୁମିନିୟମ ଉତ୍ପାଦନ କିପରି ଆଗାମୀ ଦିନରେ ବୃଦ୍ଧି ପାଇବ ସେଦିଗରେ ଆଲୋଚନା କରିବୁ। ବର୍ତ୍ତମାନ ଯେତିକି ଆଲୁମିନିୟମ ଉତ୍ପାଦନ ହେଉଛି ୨୦୩୦ ସୁଦ୍ଧା ଏହାର ଦୁଇଗୁଣା କିପରି ବୃଦ୍ଧି ପାଇବ ସେନେଇ ଆଲୋଚନା କରାଯିବ।

“ଓଡ଼ିଶାରେ ଡାଉନଷ୍ଟ୍ରିମ ଶିଳ୍ପକୁ ଅଧିକ ସମୃଦ୍ଧ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ଏଥିପାଇଁ ଆମେ ଆଗ୍ରହୀ ଶିଳ୍ପପତିମାନଙ୍କୁ ଓଡ଼ିଶାକୁ ଆମନ୍ତ୍ରିତ କରିବାକୁ ଚାହୁଁଛୁ। ଏହି କନକ୍ଲେଭ ଏହି ସମସ୍ୟାର ସମାଧାନ କରିବ ବୋଲି ଆଶା ରହିଛି”, କହିଛନ୍ତି ଜୱାଲେ।

ଉଦଘାଟନୀ ଉତ୍ସବରେ ଜୱାଲେ ଆଲୁମିନିୟମ ପାର୍କ ସମ୍ପର୍କରେ କହିଥିଲେ। ସେ କହିଥିଲେ ଯେ ଅନୁଗୁଳରେ ହେବାକୁ ଥିବା ଆଲୁମିନିୟମ ପାର୍କ ପାଇଁ ୮ରୁ ୧୦ ଜଣ ନିବେଶକାରୀ ଆକର୍ଷିତ ହୋଇଛନ୍ତି। ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଏହାକୁ ମଞ୍ଜୁର ମଧ୍ୟ କରିଛନ୍ତି।

Comment