ଓଡ଼ିଶାଲାଇଭ୍ ବ୍ୟୁରୋ

ଓ-ହବ ପୂର୍ଣ୍ଣ କରିଛି ଏକ ବର୍ଷ। ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତ ମାନଚିତ୍ରରେ ପରିଚିତ ଏବଂ ପ୍ରତିଷ୍ଠିତ କରିବାକୁ ଯୁବବର୍ଗ ଆଗେଇ ଆସନ୍ତୁ ବୋଲି ଓ-ହବର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆହ୍ଵନ କରିଛନ୍ତି ଶକ୍ତି, ଶିଳ୍ପ ଏବଂ ଏମଏସଏମଇ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ଯୁବବର୍ଗ ନିଜର ପ୍ରତିଭା ଏବଂ ଜ୍ଞାନକୌଶଳ ଦ୍ଵାରା ଉଦ୍ୟୋଗୀ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ନେତୃତ୍ଵରେ ଆଜି ଷ୍ଟାର୍ଟଅପ ଓଡ଼ିଶା ଏକ ପ୍ରମୁଖ ଇନକ୍ୟୁବେଟର ପ୍ରତିଷ୍ଠା କରିବା ସହ ଏକ ଉତ୍ତମ ଷ୍ଟାର୍ଟଅପ୍ ପରିଧି ସୃଷ୍ଟି ହୋଇପାରିଛି ବୋଲି ଏହି ଅବସରରେ କହିଛନ୍ତି ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ।

ସେହିପରି ଏମଏସଏମଇ ବିଭାଗର ଶାସନ ସଚିବ ଶାଶ୍ଵତ ମିଶ୍ର ଓ-ହବ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ କହିଛନ୍ତି ଯେ, “ଷ୍ଟାର୍ଟଅପର ବିକାଶ ଲାଗି ରାଜ୍ୟ ସରକାର ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଆଗକୁ ଏକ ସ୍ଵଚ୍ଛ ନୀତି ପ୍ରଣୟନ କରାଯିବ, ଯାହା ଷ୍ଟାର୍ଟଅପ ପରିବେଶକୁ ଆହୁରି ଅଧିକ ସୁଦୃଢ଼ କରିବ।”

ଏହି ପ୍ରତିଷ୍ଠା ଉତ୍ସବରେ ଓ-ହବର ବୁକଲେଟ ଉନ୍ମୋଚନ କରାଯାଇଥିଲା। ଏଥିରେ ବିଭିନ୍ନ କାର୍ଯ୍ୟକ୍ରମର କାହାଣୀ ସହ ଓ-ହବ ଦ୍ଵାରା କରାଯାଇଥିବା କାର୍ଯ୍ୟଗୁଡ଼ିକର ବ୍ୟାଖ୍ୟା କରାଯାଇଛି। ଏହା ସହିତ ମେଣ୍ଟର କନେକ୍ଟ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ଏହା ଦ୍ଵାରା ବିଶେଷଜ୍ଞମାନଙ୍କ ଦ୍ଵାରା ଉପଯୁକ୍ତ ସହଯୋଗ ମିଳିପାରିବ। ପରେ ଅତିଥିମାନେ ଉପସ୍ଥିତ ଷ୍ଟାର୍ଟଅପ, ଉଦ୍ୟୋଗୀ ଏବଂ ଇନକ୍ୟୁବେଟରମାନଙ୍କ ସହ ଖୋଲା ଆଲୋଚନା ହୋଇଥିଲା।

ଯୁବ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ସୃଜନଶୀଳତା ବ୍ୟବହାର କରିବା, ଯୁବବର୍ଗଙ୍କୁ ସ୍ଵାବଲମ୍ବୀ କରିବା ଏବଂ ନୂତନ ଜ୍ଞାନକୌଶଳ ପ୍ରୟୋଗରେ ନୂଆ ଉପକରଣ ବିକଶିତ କରିବା ଆଦି ଲକ୍ଷ୍ୟ ରଖି ରାଜ୍ୟ ସରକାର ଭୁବନେଶ୍ଵରଠାରେ ଏକ ବିଶ୍ଵସ୍ତରୀୟ ଭିତ୍ତିଭୂମିର ବିକାଶ କରୁଛନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ-ହବର ଉଦଘାଟନ କରିଥିଲେ। ଓ-ହବ ହେଉଛି ଷ୍ଟାର୍ଟଅପ ଓଡ଼ିଶାର ଇନକ୍ୟୁବେସନ କେନ୍ଦ୍ର।

୨୦୧୬ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧,୪୫୦ଟି ଷ୍ଟାର୍ଟଅପ ପଞ୍ଜିକୃତ ହୋଇଛନ୍ତି। ଏହା ମଧ୍ୟରେ ମହିଳାମାନଙ୍କ ଦ୍ଵାରା ପରିଚାଳିତ ୫୯୦ଟି ଷ୍ଟାର୍ଟଅଫ ରହିଛି। ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ଓ-ହବ ଷ୍ଟାର୍ଟଅପ ପରିବେଶ ସୃଷ୍ଟି କରିବା ନିମନ୍ତେ ବିଶେଷ ଭୂମିକା ଗ୍ରହଣ କରିଛି। ଏକ ବର୍ଷର ସଫଳତା ନିମନ୍ତେ ଓ-ହବର ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ପାଳନ କରାଯାଇଛି। ଏଠାରେ ନିର୍ମିତ ଦୁଇଟି ଉଚ୍ଚ ଟାଓ୍ଵାରରେ ଷ୍ଟାର୍ଟଅପ ନିମନ୍ତେ ଆବଶ୍ୟକ ସବୁପ୍ରକାର ସୁବିଧା ଉପଲବ୍ଧ କରାଯାଇଛି। ଆଗକୁ ସୁପର ଡିଜିଟାଲ ଫାବ୍ରିକେସନ ଲାବୋରେଟୋରି(ଫ୍ୟାବଲ୍ୟାବ) ପ୍ରତିଷ୍ଠା ନିମନ୍ତେ ଯୋଜନା ରହିଛି।

Tag: #MSMEMinister #OHuB #OHub1stAnniversary #StartupOdisha #Industry #Industrious

Comment