ଓଡ଼ିଶାଲାଇଭ୍‌ ବିଜିନେସ୍‌ ବ୍ୟୁରୋ

ଇନ୍‌କାଲ୍‌-୨୦୧୯ ଉଦ୍‌ଯାପିତ। ଏହି ଅନ୍ତର୍ଜାତୀୟ କନକ୍ଲେଭରେ ଯୋଗଦେଲେ ୭୫୦ରୁ ଅଧିକ ପ୍ରତିନିଧି।

“ଭାରତରେ ଖଣିଜ ସମ୍ପଦର ଅଭାବ ନାହିଁ। ଦେଶର ଅର୍ଥନୀତିକୁ ଖଣିଜସମ୍ପଦ ସବୁବେଳେ ସମୃଦ୍ଧ କରି ଆସୁଛି। ଖଣିଜସମ୍ପଦର ବିକାଶ ପାଇଁ ଗତ ତିନି ବର୍ଷ ଭିତରେ କେନ୍ଦ୍ର ସରକାର ଅନେକ ନୀତି ପ୍ରଣୟନ କରିଛନ୍ତି। ଇ-ନିଲାମୀ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଅଧିକ ଖଣି ଆବଣ୍ଟନ ପାଇଁ କେନ୍ଦ୍ର ସରକାର ଏମ୍‌ଏମ୍‌ଡିଆର୍ ଆମେଣ୍ଡମେଣ୍ଟ ଆକ୍ଟ – ୨୦୧୫ ଲାଗୁ କରିଛନ୍ତି”, କହିଛନ୍ତି କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର।

ସ୍ମାର୍ଟ ସିଟି ଭୁବନେଶ୍ଵରରେ ଚାଲିଥିବା ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭ ଶନିବାର ଦିନ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇନ୍‌କାଲ-୨୦୧୯କୁ ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ ଆଲୁମିନିୟମ ସେକ୍ଟରକୁ ଆଗକୁ ନେବା ପାଇଁ ଏବଂ ଅଧିକ ସମୃଦ୍ଧଶାଳୀ କରିବା ପାଇଁ ଇନ୍‌କାଲ-୨୦୧୯ ଆୟୋଜନ କରାଯାଇଥିଲା। ତିନି ଦିନ ଧରି ହୋଇଥିବା ମାନସମନ୍ଥନରୁ ଯାହା ନିର୍ଯ୍ୟାସ ବାହାରିଛି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଖଣି ମନ୍ତ୍ରାଳୟ ବଦ୍ଧପରିକର।

ଏହି ଉଦଯାପନୀ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଅନ୍ତର୍ଜାତୀୟ ଆଲୁମିନିୟମ କନକ୍ଲେଭକୁ ପ୍ରଶଂସା କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, “ଆଲୁମିନିୟମ ଏବଂ ଆଲୁମିନା ଉତ୍ପାଦନରେ ଓଡ଼ିଶାର ଯଥେଷ୍ଟ ଅବଦାନ ରହିଛି। ଏଭଳି ଅନ୍ତର୍ଜାତୀୟ ସମ୍ମିଳନୀ ହେଲେ ଓଡ଼ିଶାକୁ ଯଥେଷ୍ଟ ଲାଭ ମିଳିବ। ନାଲ୍‌କୋଠୁ କଞ୍ଚାମାଲ ନେଇ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା କରିବା ଭଳି ଉଦ୍ୟମ ଭାରତ ସରକାରଙ୍କ ମାଇନିଂ ବିଭାଗ ନାଲ୍‌କୋ ନେତୃତ୍ୱରେ କରିଛି। ଏହାର ଦୀର୍ଘ ମିଆଦି ପ୍ରଭାବ ଓଡ଼ିଶାରେ ପଡ଼ିବ। ଓଡ଼ିଶାରେ ରାଜସ୍ୱ, ରୋଜଗାର, ରପ୍ତାନୀ ଏହାଦ୍ୱାରା ବଢ଼ିବ”, କହିଥିଲେ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଅନଗୁଳରେ ପ୍ରସ୍ତାବିତ ଆଲୁମିନିୟମ ପାର୍କ ପାଇଁ ଦ୍ରୁତଗତିରେ କାମ ଚାଲିଛି। ଭୁବନେଶ୍ୱର ଏୟାରପୋର୍ଟରୁ ଜାତୀୟ ରାଜପଥ ବା ପୁରୁଣା ଜଗନ୍ନାଥ ସଡ଼କ ଦେଇ ସିଧା ଆଲୁମିନିୟମ ପାର୍କକୁ ଯିବା ପାଇଁ ବ୍ୟବସ୍ଥା କରାଯାଉଛି। ଓଡ଼ିଶାରେ ଆଲୁମିନିୟମ ପାର୍କ ଶିଳ୍ପାୟନ ପାଇଁ ଗୋଟେ ବଡ଼ ପଦକ୍ଷେପ ହେବ।

“ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି। ଏଠାରେ ଦକ୍ଷ ଯୁବକ ଯୁବତୀମାନେ ଅଛନ୍ତି। ରୋଜଗାର ପାଇଁ ସେମାନେ ବାହାର ରାଜ୍ୟକୁ ଯାଉଛନ୍ତି। ଯଦି ଓଡ଼ିଶାରେ ସେମାନଙ୍କୁ କର୍ମ ସଂସ୍ଥାନ ମିଳିପାରନ୍ତା ତାହାଲେ ରାଜ୍ୟର ଆର୍ଥିକ ବିକାଶ ହୋଇପାରନ୍ତା। ୫୦ ପ୍ରତିଶତ ମୂଲ୍ୟବାନ ବକ୍ସାଇଟ ଓଡ଼ିଶାରେ ରହିଛି। ୨୫ ପ୍ରତିଶତ କୋଇଲା ଓଡ଼ିଶାରେ ରହିଛି। ଏବେ ଓଡ଼ିଶାରେ ୧୦୦ ମିଲିୟନ ମେଟ୍ରିକ ଟନ୍‌ରୁ ଅଧିକ କୋଇଲା ଉତ୍ତୋଳନ ହେଉଛି”, କହିଥିଲେ ଧର୍ମେନ୍ଦ୍ର ପ୍ରଧାନ।

ଇନ୍‌କାଲ-୨୦୧୯ର ଉଦଯାପନୀ ଉତ୍ସବରେ ଏଏଆଇର ସଭାପତି ତଥା ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଯୋଗଦେଇ ଏହି ସମ୍ମିଳନୀ ଆଲୁମିନିୟମ ଶିଳ୍ପକୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇବ ବୋଲି କହିଥିଲେ

“ତିନି ଦିନ ଧରି ତିନୋଟି ଉଦ୍ଦେଶ୍ୟ ନେଇ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ଚାଲିଥିଲା। ଆଲୁମିନିୟମକୁ ଭବିଷ୍ୟତର ଧାତୁ ଭାବେ ପ୍ରତିପାଦନ କରିବା, ଭାରତରେ ଆଲୁମିନିୟମ କ୍ଷେତ୍ରର ବିକାଶ ଏବଂ ଓଡ଼ିଶା ହେଉଛି ଭାରତର ଆଲୁମିନିୟମ କ୍ୟାପିଟାଲ – ଏହି ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଅନ୍ତର୍ଜାତୀୟ, ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଆଲୁମିନିୟମ ସେକ୍ଟର ପ୍ରତି ବହୁ ପ୍ରତିବନ୍ଧକ ଦେଖାଦେଇଛି। ଆଲୁମିନିୟମ ଶିଳ୍ପ ପାଇଁ ବହୁ ସମସ୍ୟା ଦେଇ ଗତି କରୁଛି। ଇନ୍‌କାଲ-୨୦୧୯ରେ ହୋଇଥିବା ଆଲୋଚନାରୁ ଯେଉଁ ନିଷ୍କର୍ସ ବାହାରିଛି ତାହା ଆଲୁମିନିୟମ ଶିଳ୍ପକୁ ଆଗକୁ ନେବା ଲାଗି ରାସ୍ତା ଦେଖାଇବ ବୋଲି ଆଶା ରହିଛି”, କହିଥିଲେ ଡକ୍ଟର ତପନ କୁମାର ଚାନ୍ଦ।

ଅନ୍ୟମାନଙ୍କ ମଧ୍ୟରେ ଉଦଯାପନୀ ଉତ୍ସବରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ବାଗ୍‍ଚୀ, ଏଏଲସିଏନ୍‌ର ବୈଷୟିକ ନିର୍ଦ୍ଦେଶକ ଡକ୍ଟର ଆଲିଆସ୍ ବର୍ଣ୍ଣାଡ୍, ରିଡ୍‌ ଏକ୍ସହିବିସନର ଇଭେଣ୍ଟ ଡିରେକ୍ଟର ଓଲାଫ୍ ଫ୍ରେଇୟର ଉପସ୍ଥିତ ଥିଲେ।

ତିନି ଦିନିଆ ଅନ୍ତର୍ଜାତୀୟ କନକ୍ଲେଭରେ ୭୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ। ୨୩ଟି ଦେଶରୁ ପ୍ରାୟ ୧୫୦ ଜଣ ନିମନ୍ତ୍ରିତ ଅତିଥି ଏହି କନକ୍ଲେଭରେ ଯୋଗଦେଇ ଆଲୁମିନିୟମ ଶିଳ୍ପକୁ ଆଗକୁ ନେବା ପାଇଁ ନିଜସ୍ୱ ମତ ରଖିଥିଲେ।

Comment