ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ୪୩ ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏହି ମନ୍ତ୍ରୀମାନଙ୍କ ମଧ୍ୟରେ ସର୍ବ କନିଷ୍ଠ ମନ୍ତ୍ରୀ ହେଉଛନ୍ତି ନିଶିଥ ପ୍ରାମାଣିକ। ୩୫ ବର୍ଷୀୟ ନିଶିଥ ପ୍ରାମାଣିକ ଲୋକସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡ଼ି ପଦ୍ମ ଧରିଥିଲେ। ବୁଧବାର ସେ ମୋଦୀ କ୍ୟାବିନେଟରେ ସର୍ବ କନିଷ୍ଠ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ନିଶିଥଙ୍କ ଜନ୍ମ

୧୯୮୬ ଜାନୁଆରୀ ୧୭ରେ ଜାଲପାଇଗୁଡ଼ିରେ ନିଶିଥ ପ୍ରାମାଣିକଙ୍କର ଜନ୍ମ। ତାଙ୍କ ସ୍ତ୍ରୀଙ୍କ ନାମ ପ୍ରିୟଙ୍କା ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେ ବିସିଏରେ ଡିଗ୍ରୀ ହାସଲ କରିବାପରେ ପ୍ରାଇମେରୀ ବିଦ୍ୟାଳୟରେ ସହକାରୀ ଶିକ୍ଷକଭାବେ କାର୍ଯ୍ୟ କରୁଥିଲେ। ନିଶିଥ ପ୍ରାମାଣିକ କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଟନ୍ତି। ଏହା ବ୍ୟତୀତ ସେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର କମିଟିର ସଦସ୍ୟ ମଧ୍ୟ ଅଛନ୍ତି।ନିଶିଥଙ୍କ ରାଜନୈତିକ କ୍ୟାରିୟର

ଟିଏମସି ବା ତୃଣମୂଳ କଂଗ୍ରେସର ଯୁବ ଲିଡର ଭାବେ ନିଶିଶ ପ୍ରାମାଣିକ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୮ମସିହା ପଞ୍ଚାୟତ ନିର୍ବାଚନରେ ଦଳକୁ ସଫଳତା ମଧ୍ୟ ଦେଇଥିଲେ। ପରେ ୨୦୧୯ ଫେବ୍ରୁଆରି ମାସରେ ଦିଦିଙ୍କ ଟିମ୍ ଛାଡ଼ି ମୋଦୀଙ୍କ ଦଳରେ ସାମିଲ ହୋଇଥିଲେ ନିଶିଥ। ସେହି ବର୍ଷ ଦଳ ତରଫରୁ ତାଙ୍କୁ ଲୋକସଭା ଆସନ ପାଇଁ ଟିକେଟ୍ ଦିଆଯାଇଥିଲା। ପଶ୍ଚିମବଙ୍ଗର କୋଚ ବିହାର ଆସନରୁ ୨୦୧୯ ଲୋକସଭା ନିର୍ବାଚନରେ ୫୪ହଜାର ଭୋଟରେ ସେ ବିଜୟୀ ହୋଇଥିଲେ। ତାଙ୍କ ବିପକ୍ଷରେ ଥିଲେ ଟିଏମସିର ଅଭିଜ୍ଞ ନେତା ପରେଶ ଚନ୍ଦ୍ର ଅଧିକାରୀ।

ନିଶିଥ ପ୍ରାମାଣିକଙ୍କ ବ୍ୟତୀତ ଅନ୍ୟ ଯୁବ ନେତା ମଧ୍ୟ ମୋଦୀ କ୍ୟାବିନେଟରେ ମନ୍ତ୍ରୀ ହେବାପାଇଁ ସୁଯୋଗ ପାଇଛନ୍ତି। ସେମାନେ ହେଲେ ଶାନ୍ତନୁ ଠାକୁର(୩୮), ଅନୁପ୍ରିୟା ସିଂ ପଟେଲ(୪୦), ଭାରତୀ ପ୍ରବୀଣ ପାୱାର(୪୨), ଏଲ ମୁର୍ଗାନ(୪୪) ଏବଂ ଜନ୍ ବାର୍ଲା(୪୫)।

Comment