ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ନୀତି ସମ୍ପର୍ଣ୍ଣ ହେବାପରେ ଆରମ୍ଭ ହୋଇଯାଇଛି ରଥ ଟଣା କାର୍ଯ୍ୟ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସେବାୟତମାନେ ରଥ ଟାଣୁଛନ୍ତି।

ରଥଯାତ୍ରା ପାଇଁ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୩ଟାରେ ରଥ ଟାଣିବାର ବ୍ୟବସ୍ଥା ରହିଥିବାବେଳେ, ପ୍ରାୟ ୩ଘଣ୍ଟା ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମଧ୍ୟାହ୍ଣ ୧୨ଟା ବେଳକୁ ବଳଭଦ୍ରଙ୍କ ରଥ ଶ୍ରୀଗୁଣ୍ଡିଚା ଅଭିମୁଖେ ଗଡ଼ିଛି। ଏବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ ହୋଇଛି।ବିଧି ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବାୟତମାନେ ଆନନ୍ଦ ଓ ଉଲ୍ଲାସର ସହକାରେ ସିଂହଦ୍ଵାରରୁ ଜନ୍ମବେଦୀ ଅଭିମୁଖେ ଟାଣି ନେଉଛନ୍ତି। ଏକ ଭକ୍ତିମୟ ପରିବେଶ ମଧ୍ୟରେ ପ୍ରଥମେ ବଳଭଦ୍ରଙ୍କ ରଥ ପରେ ଦେବୀ ଶୁଭଦ୍ରାଙ୍କ ରଥ ଓ ସବା ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟାଣି ଟାଣି ନେଉଛନ୍ତି ସେବାୟତ। ଘଣ୍ଟଘଣ୍ଟା, କାହାଳୀ ତେଲେଙ୍ଗି ଓ ଅନ୍ୟ ପାରମ୍ପରିକ ବାଦ୍ୟ ଘୋଷର ଅନୁରଣନରେ ଶ୍ରୀକ୍ଷେତ୍ର ଭକ୍ତିରସରେ ଭିଜିଯାଉଛି।

Comment