ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗୁଣ୍ଡିଚା ମନ୍ଦିରରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଜୁଲାଇ ୧୭ତାରିଖରେ ତିନିରଥର ହେବ ଦକ୍ଷିଣ ମୋଡ଼। ପ୍ରତିବର୍ଷ ଦକ୍ଷିଣ ମୋଡ଼ ପୂର୍ବରୁ ତିନି ରଥର ଯାଞ୍ଚ କରାଯାଇଥାଏ। ଆଜି ମଧ୍ୟ ଏକ ସ୍ଵତନ୍ତ୍ର ଟିମ୍ ପକ୍ଷରୁ ତିନିରଥର ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ତିନିରଥରେ ଫାଟ ଥିବା ଦେଖିବାକୁ ମିଳିଛି।

ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ ସାମାନ୍ୟ ଫାଟ ରହିଛି। ଫଳରେ ଉଭୟ ରଥ ବାମ ଦିଗକୁ ଢ଼ଳିଯାଇଥିବା ଦେଖିବାକୁ ମିଳିଛି। ସେହିପରି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ପ୍ରଭାରେ ରହିଛି ଫାଟ। ଏହାକୁ ମରାମତି କରାଯାଉଛି। ୧୦ଜଣ ମହାରଣା ସେବକ, ୬ଜଣ ଭୋଇ ସେବକ ଓ ତିନିଜଣ କମାର ସେବକଙ୍କ ଦ୍ଵାରା ଚାଲିଛି ରଥ ମରାମତି କାର୍ଯ୍ୟ। ଏଥିସହ ପୂର୍ବତଟ ରେଳବାଇର ଟେକ୍ନିକାଲ ଟିମ୍ ସେଠାରେ ଉପସ୍ଥିତ ରହି ରଥ ମରାମତି କାର୍ଯ୍ୟରେ ସହଯୋଗ କରୁଛନ୍ତି।ମହାରଣା ନରସିଂହ ମହାପାତ୍ରଙ୍କ କହିବା ଅନୁସାରେ ଫାଟ ହେବାଫଳରେ ପ୍ରଭୁ ବଳଭଦ୍ରଙ୍କ ରଥ ସାମାନ୍ୟ ବାମ ପଟକୁ ଢଳି ଯାଇଛି। ବାରମ୍ବାର ବ୍ରେକ୍‌ ପଡ଼ିବା କାରଣରୁ ଚକ ମାଡ଼ ହୋଇ ଏପରି ଫାଟ ହୋଇଛି। ତିନିରଥର ଦକ୍ଷିଣମୋଡ଼ ହେବା ପୂର୍ବରୁ ସମସ୍ତ କାର୍ଯ୍ୟ ହୋଇଯିବ ବୋଲି କହିଛନ୍ତି ମହାରଣା ସେବକ।

Comment