ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଶାନ୍ତନୁ ସେନ। ଏନେଇ ଆଜି ସଂସଦରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାୟଡ଼ୁ ଘୋଷଣା କରିଛନ୍ତି। ଗୁରୁବାର କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇ ଚିରିଦେବା ଅଭିଯୋଗରେ ସାଂସଦଙ୍କ ବିରୁଦ୍ଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ବର୍ତ୍ତମାନ ଭାରତରେ ଜନ୍ମ ନେଇଥିବା ନୂତନ ବିବାଦ ସ୍ପାଇଓ୍ଵେର ପେଗାସସକୁ ନେଇ ରାଜନୀତିକ ମହଲରେ ଝଡ଼ ସୃଷ୍ଟି ହୋଇଛି। ଏଥିପାଇଁ ମୌସୁମୀ ଅଧିବେଶନ ଆରମ୍ଭରୁ ସଂସଦରେ ହୋ ହାଲ୍ଲା ହେଉଥିବା ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ଅଭିଯୋଗ ଅନୁସାରେ, ଭାରତରେ ଅନେକ ନେତା, ସାମ୍ବାଦିକ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଫୋନ ଟ୍ୟାପିଂ କରାଯାଇଛି। ଏଥିପାଇଁ ସେମାନେ ସିଧାସଳଖଭାବରେ କେନ୍ଦ୍ର ସରକାରଙ୍କୁ ଦାୟି ମଧ୍ୟ କରିଛନ୍ତି।ଅନ୍ୟପକ୍ଷରେ ବିରୋଧୀଙ୍କ ଏହି ମନ୍ତବ୍ୟକୁ ଖଣ୍ଡନ କରି ଗୁରୁବାର ରାଜ୍ୟସଭାରେ ବିବୃତ୍ତି ରଖିଥିଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେହି ସମୟରେ ଟିଏମସି ସାଂସଦ ଶାନ୍ତନୁ ସେନ ମନ୍ତ୍ରୀଙ୍କ ହାତରୁ କାଗଜ ଛଡ଼ାଇ ନେଇ ଚିରି ଏଣେତେଣେ ଫୋପାଡ଼ି ଦେଇଥିଲେ। ଏଥିସହ ଉକ୍ତ ସମୟରେ ଟିଏମସି ସମେତ ଅନ୍ୟ ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ସରକାରଙ୍କ ବିରୋଧରେ ନାରା ଦେଇଥିଲେ।

ସେହି ସମୟରେ ରାଜ୍ୟସଭାରେ ଅଧ୍ୟକ୍ଷତାକରୁଥିଲେ ଉପାଧ୍ୟକ୍ଷ ହରିବଂଶ। ଏଭଳି ଅଶୋଭନୀୟ ଆଚରଣ ନକରିବାକୁ ସେ ସାଂସଦମାନଙ୍କୁ ବାରଣ କରିଥିଲେ। କିନ୍ତୁ ତାଙ୍କ କଥା କେହି ନ ମାନିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ।ଆଜି ରାଜ୍ୟସଭା ଆରମ୍ଭରୁ ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଗତକାଲିର ଘଟଣା ବାବଦରେ ଚର୍ଚ୍ଚା କରିଥିଲେ। ସେ ଉକ୍ତ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକରୁ ନିଲମ୍ବିତ କରିଛନ୍ତି।

ଏପେଟ ନିଲମ୍ବିତ ହେବାପରେ ସାଂସଦ ସେନ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି, “ପୁଣିଥରେ ସଂସଦରୁ ଅସଂସଦୀୟ ଭାବରେ ମତେ ନିଲମ୍ବନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ଟିଏମସି ଏବଂ କଂଗ୍ରେସର ପ୍ରତିବାଦର ସ୍ଵରକୁ କେବେହେଲେ ରୋକି ପାରିବ ନାହିଁ।”

Comment