ଓଡ଼ିଶାଲାଇଭ୍ ବ୍ୟୁରୋ

କୁଖ୍ୟାତ ଅପରାଧୀ ସେକ୍ ହାଇଦର। କେନ୍ଦ୍ରାପଡ଼ାରୁ କଟକ ଓ ପରେ ସମଗ୍ର ଓଡ଼ିଶାରେ ଅପରାଧ ଦୁନିଆର ବାଦଶାହ ପାଲଟିଥିଲା ହାଇଦର। ଟେଣ୍ଡର ଫିକ୍ସିଂଠାରୁ ଆରମ୍ଭ କରି ହତ୍ୟା, ଦାଦା ବଟି ଆଦାୟ, ଚୋରୀ ସବୁଥିରେ ଥିଲା ତା’ରି ହାତ। କିନ୍ତୁ ଏହି ଅପରାଧୀ ଦିନେ କେନ୍ଦ୍ରାପଡ଼ା ସହରରେ ରିକ୍ସା ଚଳାଇ ତା’ର ପରିବାର ଚଳାଉଥିଲା।

ପ୍ରଥମେ ହାଇଦର କ’ଣ ଥିଲା?

କୁଖ୍ୟାତ ଅପରାଧୀ ହାଇଦର ୧୯୭୫ ମସିହାରେ ଏକ ରିକ୍ସା ଚାଳକ ଭାବେ କାମ କରୁଥିଲା। ଅନ୍ୟ ରିକ୍ସାଚାଳକଙ୍କଠାରୁ ହାଇଦର ରିକ୍ସାର ଚାହିଦା ଅଧିକ ରହିଥିଲା। କେନ୍ଦ୍ରାପଡ଼ାର ଲୋକମାନେ ହାଇଦର ରିକ୍ସାରେ ସାମଗ୍ରୀ ନେବାକୁ ବେଶ୍ ପସନ୍ଦ କରୁଥିଲେ। ଧିରେ ଧିରେ ହାଇଦର ଛୋଟମୋଟ ଚୋରି କରି ୧୯୮୦ ମସିହାରେ ଅପରାଧ ଦୁନିଆରେ ପାଦ ଦେଇଥିଲା। ପରେ କମ୍ ସମୟ ଭିତରେ ଅଧିକ ପଇସା କମେଇବା ଲୋଭରେ ୯୦ଦଶକରେ ଗ୍ୟାଙ୍ଗଷ୍ଟର ପାଲଟିଥିଲା ହାଇଦର।

ଟିଟୋ ଓ ସୁଲେମାନ ସହ ମିଶି କରୁଥିଲା ଅପରାଧ

ହାଇଦର ଅପରାଧ ଦୁନିଆକୁ ଆସିବା ପୂର୍ବରୁ ଟିଟୋ ଓ ସୁଲେମାନ୍‌ ଅପରାଧ ଜଗତରେ ସାମିଲ୍‌ ହୋଇସାରିଥିଲେ। ୧୯୮୯ ମସିହାରେ କେନ୍ଦ୍ରାପଡ଼ା ହାଇସ୍କୁଲ ପଡ଼ିଆରେ ଏକ ଫୁଟବଲ୍ ମ୍ୟାଚରେ ଗଣ୍ଡଗୋଳକୁ ନେଇ ଟିଟୋକୁ ପୋଲିସ ଗିରଫ କରିଥିଲା। ପରେ ଜେଲରୁ ବାହାରି କେନ୍ଦ୍ରାପଡ଼ାରେ ଅପରାଧର ସାମ୍ରାଜ୍ୟ ବିସ୍ତାର କରିଥିବା ରବିନ ବେହେରା ଗ୍ୟାଙ୍ଗରେ ସାମିଲ ହୋଇଥିଲେ ହାଇଦର-ଟିଟୋ-ସୁଲେମାନ। ଧିରେ ଧିରେ ଅଞ୍ଚଳରେ ସେମାନଙ୍କର ଅପରାଧ ବଢ଼ିବାରେ ଲାଗିଲା। କିନ୍ତୁ ଦିନେ ଟଙ୍କା ଭାଗ ବଣ୍ଟାକୁ ନେଇ ବିବାଦ ସୃଷ୍ଟି ହେଲା। ଗ୍ୟାଙ୍ଗର ଲିଡର ରବିନକୁ ହତ୍ୟା କରିବାପରେ ଗ୍ୟାଙ୍ଗର ନୂଆ ଲିଡର ହୋଇଥିଲା ହାଇଦର।ଟିଟୋ ଓ ସୁଲେମାନର ହାତ ଛାଡ଼ିଲା ହାଇଦର

କେନ୍ଦ୍ରାପଡ଼ା ଜିଲ୍ଲାରେ ମୟୁରୀ ଲୁଗା ଦୋକାନ ମାଲିକ ବୁଢ଼ା ମିଆଁକୁ ଦାଦା ବଟି ମାଗିବା ଏବଂ ପରେ ତାଙ୍କୁ ହତ୍ୟା କରିବା ଘଟଣାରେ ଟିଟୋର ହାତ ଛାଡ଼ି ଦେଇଥିଲା ହାଇଦର। ପରେ ସୁଲେମାନ-ହାଇଦର ମିଶି ଗ୍ୟାଙ୍ଗ ଚଳାଉଥିଲେ। କିନ୍ତୁ ଏହି ଗ୍ୟାଙ୍ଗ ବି ବେଶି ଦିନ ପର୍ଯ୍ୟନ୍ତ ରହିନଥିଲା। ଏମାନଙ୍କ ଭିତରେ କୌଣସି ତାଳମେଳ ନରହିବାରୁ ୨୦୦୨ମସିହାରେ ସୁଲେମାନ-ହାଇଦର ଭିତରେ ଫାଟ ଦେଖା ଦେଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଭୁବନେଶ୍ଵରରେ ସୁଲେମାନର ଭାଇ ଚୁନାକୁ ହତ୍ୟା କରିଥିଲା ହାଇଦର। ଏଥିସହ ହାଇଦର ଓ ତା’ର ଗ୍ୟାଙ୍ଗ ସଦସ୍ୟମାନେ ମିଶି ଖଣିମାଲିକ ରଶ୍ମିରଞ୍ଜନଙ୍କୁ ଅପହରଣ ଓ ପରେ ହତ୍ୟା କରିଥିଲେ।arrestedକେବେ ଗିରଫ୍ ହେଲା ହାଇଦର?

ସୁଲେମାନ ଭାଇ ଚୁନା ଏବଂ କେନ୍ଦୁଝରର ଖଣିମାଲିକ ରଶ୍ମିରଞ୍ଜନଙ୍କୁ ହତ୍ୟା ଅଭିଯୋଗରେ ୨୦୦୫ ମସିହାରେ ନାଗପୁରରୁ ଧରାପଡ଼ିଥିଲା ହାଇଦର। ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଆଜୀବନ ସଜା ହୋଇଥିଲା। ପ୍ରଥମେ ତାକୁ ବାରିମୂଳ ସବଜେଲରେ ରଖାଯାଇଥିଲା ଓ ପରେ ସମ୍ବଲପୁର ଜେଲକୁ ସ୍ଥାନାନ୍ତର କରାଯାଇଥିଲା। ହାଇଦର ନାଁରେ ୧୫ରୁ ଊର୍ଦ୍ଧ୍ବ ମାମାଲା ଥାନାରେ ରହିଥିଲା।ଏସସିବିରେ ଚିକିତ୍ସା ସମୟରେ ଖସିପଳାଇଥିଲା ହାଇଦର

ସମ୍ବଲପୁର ଜେଲରେ ସଜା କାଟୁଥିବା ସମୟରେ ହାଇଦର ଅସୁସ୍ଥ ହୋଇପଡ଼ିଥିଲା। ତା’ର ଚିକିତ୍ସା ପାଇଁ କଟକ ସ୍ଥିତ ବଡ଼ ମେଡିକାଲରେ ଏପ୍ରିଲ ୧୦ତାରିଖରେ ତାକୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡିକାଲରେ ରହି ବି ଷଡ଼ଯନ୍ତ୍ର ରଚିଥିଲା ହାଇଦର ଏବଂ ଶେଷରେ ସେ ସଫଳ ମଧ୍ୟ ହୋଇଥିଲା। ପୋଲିସ, ଡାକ୍ତରଙ୍କୁ ଚକମା ଦେଇ କୁଆଡ଼େ ଖସି ପଳାଇଥିଲା।

ହାଇଦ୍ରାବାଦରୁ ମିଳିଲା ହାଇଦର

ଏସସିବି ବଡ଼ ମେଡ଼ିକାଲରୁ ଖସି ପଳେଇଯିବା ପରେ ହାଇଦରକୁ ଖୋଜି ଖୋଜି ନୟାନ୍ତ ହୋଇଥିଲା ପୋଲିସ। ଶେଷରେ ତାକୁ ଧରିବା ପାଇଁ ପୋଲିସ ତରଫରୁ ସ୍ପତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ହାଇଦରର ପୁରୁଣା କଣ୍ଟାକ୍ଟ ସବୁକୁ ଖୋଜା ଯାଇଥିଲା। ଏହାରି ଭିତରେ ଏପ୍ରିଲ ୧୧ ତାରିଖରେ ଜଣାପଡ଼ିଲା, ହାଇଦର ତେଲେଙ୍ଗାନା ପଳାଇଛି। ଏହାପରେ ସବୁ ଟିମ୍‌ ତେଲେଙ୍ଗାନାରେ ପହଞ୍ଚିଥିଲେ। ହାଇଦ୍ରାବାଦ ପୋଲିସର ଗୋଟିଏ ଟିମ୍‌ ମଧ୍ୟ ହାଇଦରକୁ ଖୋଜିବାରେ ସାହାଯ୍ୟ କରିଥିଲା। ଶେଷରେ ଏପ୍ରିଲ ୧୫ରେ ହାଇଦର ଏକ ବାଇକରେ ଯାଉଥିବାର ଖବର ମିଳିଥିଲା। ସେତିକିବେଳେ ହାଇଦରକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା। ଏହାପରେ ବିମାନ ଯୋଗେ ହାଇଦରକୁ ଓଡ଼ିଶା ଅଣାଯାଇଥିଲା।ହାଇଦରକୁ ଏନକାଉଣ୍ଟର

ଶନିବାର ହାଇଦରକୁ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌ ନିଆଯାଉଥିଲା। ତା’ ସହିତ ଜଣେ ଇନ୍ସପେକ୍ଟର, ଜଣେ ସବ୍‌ଇନ୍ସପେକ୍ଟର ଓ ଜଣେ ସେକ୍ସନ ଫୋର୍ସ ଥିଲେ। ରାସ୍ତାରେ ପରିସ୍ରା ଯିବ କହି ହାଇଦର ଖସି ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୋଲିସ ତାକୁ ଅଟକାଇଥିଲା। କିନ୍ତୁ ସେ ଅଟକି ନଥିବାରୁ ଶେଷରେ ପୋଲିସ ତାକୁ ଗୁଳି କରିଥିଲା।

ଏନକାଉଣ୍ଟରରେ ହାଇଦର ମୃତ

ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ହାଇଦରର ମୃତ୍ୟୁ ହୋଇଛି। କଟକ ଡିସିପି ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ ହାଇଦରର ପେଟରେ ଗୁଳି ବାଜିଥିଲା। ତାକୁ ବାଲେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି।

Comment