ଓଡ଼ିଶାଲାଇଭ୍ ବ୍ୟୁରୋ

ଆସାମ-ମିଜୋରାମ ମଧ୍ୟରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦ ଏବେ ଉଗ୍ର ରୂପ ନେଇଛି। ଫଳରେ ଉଭୟ ରାଜ୍ୟରେ ତୁମୁଳ ସଂଘର୍ଷ ଦେଖିବାକୁ ମିଳିଛି। ଏହି ସଂଘର୍ଷରେ ଆସାମ ପୋଲିସର ୫ ଜଣ ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଉତ୍ତେଜନା ପ୍ରବଣ ଅଞ୍ଚଳରେ ସିଆରପିଏଫ ଯବାନଙ୍କୁ ମୁତୟନ କରାଯାଇଛି।

ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ଓ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ କହିବା କଥା ଯେ, ଆସାମ ପୋଲିସ ବିରୋଧରେ ମିଜୋରାମ ପୋଲିସ ମେସିନଗନର ବ୍ୟବହାର କରିବା ଯୋଗୁଁ ଦୁଇ ରାଜ୍ୟ ସୀମାରେ ସ୍ଥିତି ବିଗିଡିଛି। ଏହି ଘଟଣାରେ ଆସାମର କାଚର ଜିଲ୍ଲା ଏସପିଙ୍କ ଦେହରେ ଗୁଳି ଲାଗିବାରୁ ସେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି।ବିବାଦର କାରଣ

ଆସମ ଓ ମିଜୋରାମର ସୀମାବର୍ତ୍ତୀ ଅଞ୍ଚଳ ଲୈଲାପୁରରେ ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମିଜୋରାମ ଏକ ସଶସ୍ତ୍ର ଶିବିର ନିର୍ମାଣ କରିବାକୁ ନେଇ ଏହି ସଂଘର୍ଷ ଉପୁଜିଥିବା କୁହାଯାଉଛି। ଅନ୍ୟପକ୍ଷେ ଏହି ଶିବିର ପ୍ରତିଷ୍ଠାକୁ ଆସାମ ପୋଲିସ ବିରୋଧ କରିବା ପରେ ମିଜୋରାମ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ବୋଲି ଆସାମ ସରକାର ଅଭିଯୋଗ କରିଛନ୍ତି। କିନ୍ତୁ ଆସାମ ବିରୋଧରେ ପାଲଟା ଅଭିଯୋଗ କରିଛି ମିଜୋରାମ। କୋଲାସିବଠାରେ ଏକ ପୋଲିସ ଶିବିର ଉପରେ ଆସାମ ପ୍ରଥମେ ଆକ୍ରମଣ କରିଛି ବୋଲି ମିଜୋରାମ ଅଭିଯୋଗ କରିଛି।

ଚିନ୍ତାର ବିଷୟ ହେଲା, ଶିଲଂଠାରେ ସମସ୍ତ ଉତ୍ତରପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଲୋଚନାର ଦୁଇ ଦିନ ପରେ ଏହି ସଂଘର୍ଷ ଘଟିଛି। ସଂଘର୍ଷକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଓ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ପରସ୍ପର ବିରୋଧରେ ହିଂସାକୁ ନେଇ ଟ୍ୱିଟ ଯୁଦ୍ଧ ଚଳାଇଥିଲେ।  ଦୀର୍ଘ ବର୍ଷରୁ ଆସାମ-ମିଜୋରାମ ସୀମା ବିବାଦ

ଆସାମ ଓ ମିଜୋରାମ ମଧ୍ୟରେ ବିବାଦ କିଛି ନୂଆ କଥା ନୁହେଁ। ଊନବିଂଶ ଶତାବ୍ଦୀରେ ଇଂରେଜ ଅମଳରୁ ଏହି ବିବାଦ ଚାଲିଆସୁଛି। ସ୍ୱାଧୀନତା ସମୟରେ ଉତ୍ତର-ପୂର୍ବ ଭାରତ ମଧ୍ୟରେ ଥିଲା ଆସାମ, ମଣିପୁର ଓ ତ୍ରିପୁରା। ୧୯୬୩ରୁ ୧୯୮୭ ମଧ୍ୟରେ ଆସାମର ଏକ ବୃହତ୍‌ ଅଞ୍ଚଳରୁ ଅଲଗା ହୋଇ ନାଗାଲାଣ୍ଡ, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରାମ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲେ। ସେଠାକାର ଇତିହାସ ଓ ଲୋକମାନଙ୍କର ସଂସ୍କୃତିକୁ ନେଇ ଏହିସବୁ ସ୍ଵତନ୍ତ୍ର ରାଜ୍ୟ ଗଠିତ ହୋଇଥିଲା।

ପ୍ରଶାସନିକ ସୁବିଧା ଦୃଷ୍ଟିରୁ ବ୍ରିଟିଶ ଶାସକମାନେ ଆସାମ ଓ ମିଜୋରାମ ଭିତରେ ଏକ ଆଭ୍ୟନ୍ତରୀଣ ସୀମାରେଖା ଟାଣିଥିଲେ।ଏହି ସୀମାନ୍ତ ଅଞ୍ଚଳରେ ମିଜୋରାମ ଅଧୀନରେ ଆସିଲା ଆଇଜଲ୍, କୋଲାସିବ ଓ ମମିତ ଜିଲ୍ଲା। ସେହିପରି ଆସାମର ସୀମାନ୍ତରେ ପଡ଼ିଲା କାଚର, କରିମଗଞ୍ଜ ଓ ହୈଲାକାଣ୍ଡି ଜିଲ୍ଲା। ସାଧାରଣତଃ ଏହି ଜିଲ୍ଲାଗୁଡ଼ିକର ଜନସାଧାରଣଙ୍କ ମଧ୍ୟରେ ସବୁବେଳେ ସୀମାକୁ ନେଇ ବିବାଦ ଲାଗି ରହେ। ଗତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ଉଭୟ ରାଜ୍ୟ ଭିତରେ ସୀମା ବିବାଦ ଦେଖାଯାଇଥିଲା। ସୀମାରେ ରହୁଥିବା ଲୋକ ଏଥିରେ ଜଡ଼ିତ ହୋଇଥିଲେ।ଆସାମ-ମିଜୋରାମ ସୀମା ବିବାଦ, ବିଜେପି ପାଇଁ ଚ୍ୟାଲେଞ୍ଜ

ଆସାମ ଓ ମିଜୋରାମ ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସ୍ଥିତିର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜ୍ଜୁ ମଧ୍ୟ ଉଭୟ ରାଜ୍ୟ ସରକାରଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ସୀମା ବିବାଦର ସମାଧାନ କରିବା କେନ୍ଦ୍ର ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ। କାରଣ ମିଜୋରାମରେ ବିଜେପି ସମର୍ଥିତ ସରକାର ଥିବା ବେଳେ ଆସାମରେ ବିଜେପିର ଏକକ ସରକାର ରହିଛି। ତେଣୁ ଦଳ ପାଇଁ ଉଭୟ ରାଜ୍ୟର ସ୍ଵାର୍ଥକୁ ଗୁରୁତ୍ଵ ଦେବା କଷ୍ଟସାଧ୍ୟ ହେବ ବୋଲି ରାଜନୀତିକ ପଣ୍ଡିତମାନେ କହିଛନ୍ତି।

ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ଏହି ସୀମା ବିବାଦର ସମାଧାନ ପାଇଁ ଗୃହ ମନ୍ତ୍ରାଳୟ ତୁରନ୍ତ କିଛି ପଦକ୍ଷେପ ନେବା ସହ ଉଭୟ ରାଜ୍ୟର ସରକାରମାନେ ନିଜ ନିଜର ଆବେଗ ଓ ଉସୁକାଣିକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ବୋଲି ବୁଦ୍ଧିଜୀବିମାନେ ମତ ଦେଇଛନ୍ତି।

Comment