ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ମେଡିକାଲ ପଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓବିସି କାଟାଗୋରୀ ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ସର୍ବଭାରତୀୟ ସଂରକ୍ଷଣ ଯୋଜନା ଅଧୀନରେ ମେଡିକାଲ ପାଠ୍ୟକ୍ରମ ପାଇଁ ଓବିସିଙ୍କ କ୍ଷେତ୍ରରେ ୨୭ ପ୍ରତିଶତ ଓ ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଚଳିତ ଶିକ୍ଷାବର୍ଷ ୨୦୨୧-୨୨ରୁ ଏହି ନୂଆ ସଂରକ୍ଷଣ ନୀତି ଉଭୟ ଏମବିବିଏସ ଓ ଡେଣ୍ଟାଲରେ ୟୁଜି, ପିଜି ନାମଲେଖା ପାଇଁ ଲାଗୁ ହେବ। ଏହି ସଂରକ୍ଷଣ ନୀତି ପାଇଁ ପ୍ରତିବର୍ଷ ୪ହଜାରରୁ ଊର୍ଦ୍ଧ୍ଵ ଓବିସି ଛାତ୍ରଛାତ୍ରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରେ ପ୍ରତିବର୍ଷ ଏମବିବିଏସରେ ନାମ ଲେଖାଉଥିବା ୧୫ଶହ ଛାତ୍ରଛାତ୍ରୀ ଓ ୨୫ଶହ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ। ସେହିପରି ଏମବିବିଏସରେ ନାମ ଲେଖାଉଥିବା ଆର୍ଥିକ ଅନଗ୍ରସର ବର୍ଗର ୫୫୦ ଛାତ୍ରଛାତ୍ରୀ ଏବଂ ପିଜିରେ ଭର୍ତ୍ତି ହେଉଥିବା ୧ହଜାର ଛାତ୍ରଛାତ୍ରୀ ଏହାର ଫାଇଦା ପାଇପାରିବେ ବୋଲି ଜଣାପଡ଼ିଛି।ସୂଚନା ଥାଉକି, ସର୍ବଭାରତୀୟ କୋଟା ଅଧୀନରେ ସରକାରୀ ମେଡିକାଲ କଲେଜର ୧୫ପ୍ରତିଶତ ୟୁଜି ଓ ୫୦ପ୍ରତିଶତ ପିଜି ଛାତ୍ରଛାତ୍ରୀ ରହିଛନ୍ତି।

ଜାତୀୟ ଶିକ୍ଷା ନୀତିକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ, ମେଡିକାଲ ପଢ଼ିବାକୁ ଚାହୁଁଥିବା ଓବିସି ଓ ଆର୍ଥିକ ଅନଗ୍ରସର ବର୍ଗ(ଇଡବ୍ଳ୍ୟୁଏସ) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନେଇ ଘୋଷଣା କରିଛନ୍ତି।

Comment