ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବଲିଉଡ ଗାୟକ ବାବୁଲ ସୁପ୍ରିୟୋ। ଏନେଇ ଆଜି ସେ ତାଙ୍କର ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି। ଏଥିସହ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିବା କହିଛନ୍ତି। ନିକଟରେ ମୋଦୀ ସରକାରଙ୍କ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ସମୟରେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା।

ବାବୁଲ ନିଜର ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଲମ୍ବା ପୋଷ୍ଟ ଲେଖିଛନ୍ତି। ସେ କହିଛନ୍ତି, “ରାଜନୀତି ଛାଡୁଛି କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ। ସମାଜ ସେବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହେଁ।”ପଶ୍ଚିମବଙ୍ଗର ଆସନସୋଲରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବାବୁଲ ସୁପ୍ରିୟୋ ଚଳିତ ବର୍ଷ ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଲଢିଥିଲେ। କିନ୍ତୁ ସେ ପରାଜୟ ହୋଇଥିଲେ।

ସୋସିଆଲ ମିଡଆରେ କ’ଣ ଲେଖିଛନ୍ତି ବାବୁଲ ସୁପ୍ରିୟୋ

ଅଲବିଦା,

ଆଜି ମୋର ବାପା, ମା’, ପତ୍ନୀ, ଝିଅ ଏବଂ ଦୁଇ ଜଣ ପ୍ରିୟ ବନ୍ଧୁଙ୍କଠାରୁ ରାୟ ନେବାପରେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବାପାଇଁ ନିଷ୍ପତ୍ତି ନେଇଛି। ଏହା ସ୍ପଷ୍ଟ ଯେ, ଅନ୍ୟ କୌଣସି ଦଳ ସିପିଆଇଏମ, ଟିଏମସି କିମ୍ବା କଂଗ୍ରେସରେ ମିଶିବା ପାଇଁ ରାଜନୀତି ଛାଡ଼ିନାହିଁ। ଏପର୍ଯ୍ୟନ୍ତ କୌଣସି ଦଳର ନେତା ମତେ ଫୋନ ମଧ୍ୟ କରିନାହାଁନ୍ତି। ମୁଁ ହେଉଛି ଜଣେ ଟିମ୍ ପ୍ଲେୟର। ସବୁବେଳେ ଗୋଟିଏ ଟିମ୍ ସହିତ ରହିଛି। କ୍ରୀଡ଼ା କ୍ଷେତ୍ରରେ  ପଶ୍ଚିମବଙ୍ଗର ଫୁଟବଲ ଟିମ୍ ମୋହନ ବାଗାନ ଏବଂ ରାଜନୀତିରେ କେବଳ ଭାଜପା ସହିତ ରହିଆସିଛି।କିଛି ସମୟ ରହିଲି, କିଛି କଥା ମନରେ ରଖିଲି, କିଛି ଭଙ୍ଗ କଲି, କୌଣସି ସ୍ଥାନରେ ମଁ ହୁଏତ ନିଜ କାମରେ ଆପଣମାନଙ୍କୁ ଖୁସି କରିଛି ଏବଂ କିଛି ସ୍ଥାନରେ ନିରାଶ ମଧ୍ୟ କରିଛି। ହୁଏତ ଆପଣମାନେ ଏହାକୁ ଆକଳନ କରିବେ ନାହିଁ। କିନ୍ତୁ ମନରେ ଆସୁଥିବା ଏମିତି ଅନେକ ପ୍ରଶ୍ନର ଉତ୍ତର ଦେବାପରେ ସ୍ଥିର କଲି ରାଜନୀତିରୁ ବିଦାୟ ନେବି।

ରାଜନୀତି ଛାଡ଼ିବା ପାଇଁ ମୁଁ ବାରମ୍ବାର କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରାମର୍ଶ ମଧ୍ୟ ଲୋଡ଼ିଛି। ସେମାନଙ୍କ ନିକଟରେ ମୁଁ କୃତଜ୍ଞ।

ମୁଁ କେବେବି ସେମାନଙ୍କ ଭଲ ପାଇବାକୁ ଭୁଲିବି ନାହିଁ। ରାଜନୀତି କ୍ଷେତ୍ରରେ ଯାହା ନିଷ୍ପତ୍ତି ନେବା କଥା ମୁଁ ନେଇସାରିଛି।୨୦୧୪ ଏବଂ ୨୦୧୯ ନିର୍ବାଚନରେ ରହିଛି ବଡ଼ ତଫାତ୍

ପଶ୍ଚିମବଙ୍ଗରେ ୨୦୧୪ ମସିହାରେ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମୁଁ ଏକାକି ନିର୍ବାଚନ ଲଢ଼ୁଥିଲି। କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗ ବିଜେପି ଦଳରେ ଅନେକ ବରିଷ୍ଠ ଏବଂ ଯୁବ ନେତା ସାମିଲ ହୋଇସାରିଛନ୍ତି। ସେମାନଙ୍କ ନେତୃତ୍ୱରେ ଦଳ ବହୁତ ଦୂର ଯିବ।

ଆଉ ଗୋଟିଏ କଥା, ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ କେତେକ ପ୍ରସଙ୍ଗକୁ ନେଇ ରାଜ୍ୟ ନେତୃତ୍ୱଙ୍କ ସହ ମତଭେଦ ରହିଥିଲା। କିଛି ପ୍ରସଙ୍ଗ ସମସ୍ତେ ଜାଣିଥିଲେ। କିଛି କାରଣ ପାଇଁ ମୁଁ ନିଜେ ଦାୟୀ ଏବଂ ଅନ୍ୟ ନେତାମାନେ ମଧ୍ୟ ଦାୟୀ ଅଟନ୍ତି। ଯଦିଓ ମୁଁ ଆଜି ଜାଣିବାକୁ ଚାହୁଁନାହିଁ ସେଥିପାଇଁ କିଏ ଦାୟୀ କିନ୍ତୁ ଦଳରେ ଏଭଳି ମତଭେଦ ଯୋଗୁଁ ବରିଷ୍ଠ ନେତାମାନେ ଆହତ ହେବାସହ ସେମାନଙ୍କର ମନୋବଳ ଦୁର୍ବଳ ହେଉଛି। ତେଣୁ ମୁଁ ଆଜି ଆସନସୋଲ ଜନସାଧାରଣଙ୍କୁ ମୋର ଭଲପାଇବା ଦେଇ, ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଉଛି।ମୁଁ ସେୟା କରିଛି ଯାହା ୧୯୯୨ମସିହାରେ କରିଥିଲି

ବାବୁଲ ସୁପ୍ରିୟୋ ଲେଖିଛନ୍ତି ବିମାନରେ ସ୍ୱାମୀ ରାମଦେବଙ୍କ ସହ ଅଳ୍ପ ସମୟ ଧରି ବାର୍ତ୍ତାଳାପ ହୋଇଥିଲା। ଭାଜପା ପଶ୍ଚିବଙ୍ଗରେ ଲଢ଼ିବ, କିନ୍ତୁ ସେଠାରୁ କୌଣସି ବି ସିଟରେ ଜିତିବା ଆଶା ନାହିଁ, ଏକଥା ଶୁଣିବାପରେ ମତେ ବିଲକୁଲ ପସନ୍ଦ ଆସିନଥିଲା। ଏମିତି କାହିଁକି ଚିନ୍ତା କରାଗଲା? ଶ୍ୟାମା ପ୍ରସାଦ ମୁଖାର୍ଜୀ ଭି ଜଣେ ବଙ୍ଗାଳୀ ଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଅଟଳ ବିହାରୀ ବାଜପେୟୀ ମଧ୍ୟ ନିର୍ବାଚିତ ହୋଇଥିଲେ। ଏହି ଦୁଇଜଣଙ୍କୁ ମଧ୍ୟ ପଶ୍ଚିମବଙ୍ଗରେ ଭଲ ପାଇବା ମିଳିଥିଲା।ଆଜି ଦେଶରେ ଥରେ ନୁହେଁ ଦୁଇଥର ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ସେ ବିଜୟୀ ଲାଭ କରିବେ। ଏହାର ଅର୍ଥ ପଶ୍ଚିମବଙ୍ଗ ଆଉ କିଛି ଭାବିବ କି?

୧୯୯୨ମସିହାରେ ମୁଁ ଷ୍ଟାଣ୍ଡାର୍ଡ ଚାଟାର୍ଡ ବ୍ୟାଙ୍କରେ ଚାକିରି ଛାଡ଼ି ମୁମ୍ବାଇ ପଳେଇଥିଲି। ଆଜି ମଧ୍ୟ ସେୟା କରିଛି। ହଁ ଯାଉଛି, କିଛି କଥା ବାକି ରହିଗଲା, ଗୋଟେ ଦିନ ସେ ବିଷୟରେ ଆଲୋଚନା ନିଶ୍ଚୟ ହେବ।

Comment