ଓଡ଼ିଶାଲାଇଭ୍ ବ୍ୟୁରୋ

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ କ୍ରମରେ ଯୁବ ଉଦ୍ୟୋଗୀ ତଥା ‘ଫାର୍ ଆଇ’ର ସହ-ପ୍ରତିଷ୍ଠାତା ଓ ସିଓଓ ଗୌତମ କୁମାରଙ୍କ ସହ ସୁବ୍ରତ ବାଗ୍‌ଚୀଙ୍କର ବାର୍ତ୍ତାଳାପର ସଂପାଦିତ ଅଂଶ।

ଶାହାପୁର ପଟୋରି ବ୍ଲକ୍, ସମସ୍ତିପୁର ଜିଲ୍ଲା ଏପରି ଗୋଟିଏ ଜାଗାର ନାଁ ଅଧିକାଂଶ ଲୋକ ଜାଣିନଥିବେସେଇଠି ଆପଣଙ୍କ ଜନ୍ମ ଏବଂ ତା’ପରେ ସ୍କୁଲ୍ ପାଠ ପଢ଼ା ଏବଂ ସେଇ ପଟୋରୀରୁ ପଟିଆ, କିଟ୍ ବିଶ୍ୱବିଦ୍ୟାଳୟର ଦୁଆରଏତେଦୂର କିପରି ପହଞ୍ଚିଲେ? କିଶୋର ଆଖିରେ କ’ସ୍ୱପ୍ନ ଥିଲା?

ସବୁ କିଛି କିଛି କହିବା ଆଗରୁ ଗୋଟିଏ କଥା କହିବି। ସଂପୂର୍ଣ୍ଣ ଓଡ଼ିଶାବାସୀଙ୍କୁ ମୋର ନମସ୍କାର। ବିହାର ମୋ’ର ଜନ୍ମଭୂମି, କିନ୍ତୁ ଓଡ଼ିଶାରେ ନିଜକୁ ମୁଁ ଖୋଜିପାଇଲି। ଶାହାପୁର ପଟୋରୀ ଗୋଟିଏ ବ୍ଲକ୍। ଯେହେତୁ ମୋ’ ବାପା ସରକାରୀ ଚାକିରିରେ ଥିଲେ ଏବଂ ମୋ’ର ଜଣେ ଆତ୍ମୀୟଙ୍କ ଦେହ ସବୁବେଳେ ଖରାପ ରହୁଥିଲା, ତାଙ୍କରି ଯତ୍ନ ପାଇଁ ମା’ ଆଉ ଆମେ ପିଲାମାନେ ଗାଁରେ ରହିଗଲୁ। ଗାଁ ସ୍କୁଲରେ ପାଠ ଆରମ୍ଭ ହେଲା। ସେ ସ୍କୁଲରେ ପ୍ରାୟ ପିଲା ନ ଥିଲେ ଗୋଟିଏ ଗୋଟିଏ କ୍ଲାସ୍‌ରେ ଜଣେ ଅଧେ। ସେଇଠୁ ପାସ୍ କରି ମୁଁ ଗୋଟିଏ ହିନ୍ଦୀ ମିଡିୟମ୍ ସରକାରୀ ସ୍କୁଲରେ ପଢ଼ିଲି, କିନ୍ତୁ ଅଧା ସମୟ କ୍ଳାସ୍ କରୁନଥିଲି। ଅଙ୍କରେ ବହୁତ ଭଲ କରୁଥିଲି, ଆଉ ସବୁବେଳେ ମନ ଉଦ୍ଭାବନଶୀଳ ଥିଲା। ବିଜ୍ଞାନ ପ୍ରୋଜେକ୍ଟରେ ବିଭିନ୍ନ ଜିନିଷ ତିଆରି କରୁଥିଲି। ଆଇସି, ଡାଇଅଡ୍, ରେସିଷ୍ଟର, ଏଲ.ଇ.ଡି ନେଇ ଖେଳୁଥିଲି। ସେଇବେଳରୁ ମନରେ ଧାରଣା ଜନ୍ମିଲା, କୌଣସି ନୂଆ ଜିନିଷ ଉଦ୍ଭାବନ କରିବାକୁ ହେଲେ ଇଂଜିନିୟରିଂ ପଢ଼ିବାକୁ ହେବ। କିନ୍ତୁ ଇଂଜିନିୟରିଂ କ’ଣ, ପଢ଼ିବା ପରେ କ’ଣ ହୁଏ, ତାହା ଜାଣି ନ ଥିଲି। ପାଖ ପଡ଼ିଶାରେ, ବାହାଘର, ବ୍ରତଘର ଭୋଜିରେ, ଯେତେବେଳେ କୌଣସି ଇଂଜିନିୟରଙ୍କୁ ଦେଖେ, ତା’ଙ୍କୁ ତନଖି ପଚାରେ, ଆପଣ କ’ଣ ପଢ଼ିଲେ? ଏବେ କ’ଣ କାମ କରନ୍ତି? ଏଇମିତି ମନଭିତରେ ଆଶା ଓ ସମ୍ଭାବନାର ସ୍ୱପ୍ନ ଜାଗିବାକୁ ଲାଗିଲା। ଜେ.ଇ.ଇ ପରୀକ୍ଷା ମଧ୍ୟ ଦେଲି ଏବଂ ଏହି ସୂତ୍ରରେ ଆସି ପହଞ୍ଚିଲି କିଟ୍‌ରେ।କିଟ୍‌ରେ ପାଠ ପଢ଼ିବା ସମୟ ଆପଣଙ୍କର ପରବର୍ତ୍ତୀ ଜୀବନରେ ସଫଳତାର ମୂଳଦୁଆ ହୋଇ ଠିଆ ହେଲାଆଜି ଆପଣଙ୍କର ସଂସ୍ଥା ‘ଫାର୍ ଆଇ’ ବିଶ୍ୱ ଦରବାରରେ ନାଁ କରିଛିଆପଣଙ୍କ ଷ୍ଟାର୍ଟଅପ୍ ଭାରତର ହାତଗଣତି ଇଣ୍ଟରନେଟ୍ ସଂସ୍ଥାମାନଙ୍କ ମଧ୍ୟରେ ଗୋଟିଏ ୟୁନିକର୍ଣ୍ଣର ଆଖ୍ୟା ପାଇବାକୁ ଯାଉଛିଅର୍ଥାତ୍ ଆପଣଙ୍କ ସଂସ୍ଥାର ମୂଲ୍ୟାୟନ ହେବ ପ୍ରାୟ ୭୫୦୦ କୋଟି ଟଙ୍କାଆପଣଙ୍କ ସଂସ୍ଥାରେ ନନ୍ଦନ ନିଲେକାନୀ ଏବଂ ସତ୍ୟ ନଡେଲାଙ୍କ ପରି ଲୋକ ପୁଞ୍ଜି ଲଗାଇଛନ୍ତିଯେଉଁ ମୂଳଦୁଆ ଆପଣଙ୍କର ଏତେବଡ଼ ସଫଳତା ଆଣିଛି, ତା’ ବିଷୟରେ କିଛି କହନ୍ତୁ।            

କିଟ୍‌କୁ ଆସିଲି ସତ, କିନ୍ତୁ ମତେ ଇଲେକଟ୍ରନିକ୍ସରେ ସିଟ୍ ମିଳିଲାନି, ସିଭିଲ୍ ଇଂଜିନିୟରିଂ ମିଳିଲା। ମୁଁ ପ୍ରଥମ ଦିନ ଯାଇ କାଉନସେଲରଙ୍କୁ ବିଭାଗ ବଦଳାଇବାକୁ ଅନୁରୋଧ କରିଲି। ସେ କହିଲେ, ଯେଉଁ ବିଭାଗ ମିଳିଛି, ସେଇ ବିଭାଗରେ ବର୍ଷେ ପଢ଼ିବାକୁ ପଡ଼ିବ। ବାର୍ଷିକ ପରୀକ୍ଷାରେ ଯଦି ପ୍ରଥମ ତିନି ସ୍ଥାନରେ ନାଁ ରଖିପାରିବ, ତେବେ ଆରବର୍ଷକୁ ଇଲେକଟ୍ରନିକ୍ସରେ ସିଟ୍ ମିଳିବ। ତାଙ୍କ କଥା ମୋ’ ପାଇଁ ଗୋଟିଏ ଦିଗଦର୍ଶନ ଆଣିଦେଇଥିଲା। ସବୁକିଛି ଭୁଲି ପାଠ ପଢ଼ିଲି ଏବଂ ପ୍ରଥମ ତିନିଜଣଙ୍କ ମଧ୍ୟରେ ସ୍ଥାନ ପାଇ ଇଲେକଟ୍ରନିକ୍ସକୁ ବଦଳି ହେଲା।

ସେଇ ସମୟରୁ ହିଁ ପାଠ ବାହାର ପୃଥିବୀରେ କ’ଣ କ’ଣ ନୂଆ ଜିନିଷ ବାହାରୁଛି, ଘଟଣା ଘଟୁଛି, ସେଇସବୁ ପ୍ରତି ଧ୍ୟାନ ଦେଲି। ପ୍ରତିଯୋଗିତା ପାଇଁ ବିଭିନ୍ନ ଆଇଟିଆଇମାନଙ୍କୁ କିଟ୍ ତରଫରୁ ବଛାହୋଇ ଗଲି। ରୋବୋଟିକ୍ସ କ୍ଲବରେ ସାମିଲ୍ ହେଲି। ଏହି ସବୁ ଭିତରେ ଗଭୀର ବନ୍ଧୁତ୍ୱ ଏବଂ ବ୍ୟକ୍ତିଗତ ସଂପର୍କ ଗଢ଼ିଉଠିଲା ଆଉ ଦୁଇଜଣଙ୍କ ସହିତ। କୁଶାଲ ନାହାତା ଏବଂ ଗୌରବ ଶ୍ରୀବାସ୍ତବ, ଯିଏ ପରବର୍ତ୍ତୀ ସମୟରେ ମୋ’ର କୋ-ଫାଉଣ୍ଡର ହୋଇଗଲେ। ସେଇ ସମୟରେ ମୋ’ ମନକୁ ସବୁବେଳେ ଆସେ, ଜଣେ ଉଦ୍ୟୋଗୀ ହେବା ଲାଗି କ’ଣ କରିବା ଦରକାର, କ’ଣ ଗୁଣ ହାସଲ କରିବାକୁ ହେବ? କିଟ୍ ପରିସରରେ ଆମେ ସବୁବେଳେ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତଙ୍କୁ ଦେଖୁଥିଲୁ। ତାଙ୍କର ଜୀବନ ମୋ’ ଆଗରେ ଗୋଟିଏ ଆଦର୍ଶ ହୋଇ ଠିଆହେଲା। ସବୁବେଳେ ଭାବେ ଏଇ ସାଧାରଣ ମଣିଷଟି କିପରି ଏତେ ସବୁ ଠିଆ କରିପାରିଲେ? ତାଙ୍କ ସାଙ୍ଗରେ ସୁବିଧା ପାଇଲେ କଥା ହୁଏ।

ଏହି ସବୁ ଭିତରେ ମୁଁ ଗୋଟିଏ ରନ୍ଧା ଗ୍ୟାସ୍ ସିଲିଣ୍ଡରର ସେନ୍ସର ଜରିଆରେ କିପରି ଦୁର୍ଘଟଣା ଘଟିବା ଆଗରୁ ଲିକ୍ ବନ୍ଦ ହେବ, ତା’ଉପରେ ଗୋଟିଏ ଉଦ୍ଭାବନ କରିଥିଲି।  ସେଇ ପ୍ରୋଜେକ୍ଟର ଖବର ଚାରିଆଡ଼କୁ ବ୍ୟାପିବା ପରେ ଏମ୍.ଆଇଟି ସଂସ୍ଥା ତରଫରୁ ସାମାଜିକ ଉଦ୍ଭାବନ କ୍ଷେତ୍ରରେ ପୁରସ୍କୃତ ହେଲି। ପାଠ ସରିବାକୁ ବସିଥିଲା। ଏସବୁ ଭିତରେ କିଟ୍‌ରେ ଗୋଟିଏ ଇନକ୍ୟୁବେସନ ସେଣ୍ଟର ଠିଆହେଲା। ଏହିଠାରୁ ହିଁ ଆରମ୍ଭ ହୋଇଥିଲା ଫାର୍ ଆଇ। ଏଥିପାଇଁ ଡକ୍ଟର ଅଚ୍ୟୁତ ସାମନ୍ତ ଓ ଡକ୍ଟର ମୃତ୍ୟୁଞ୍ଜୟ ସୁଆର ଅନେକ ଉତ୍ସାହ ଓ ସାହାଯ୍ୟ ଢାଳିଦେଇଥିଲେ।

ଫାର୍ ଆଇ, ଅର୍ଥାତ ଅନେକ ଦୂରକୁ ଆଖିଏଇ ସୁନ୍ଦର ନାଁଟିର ରହସ୍ୟ କ’ଣ? ଫାର୍ ଆଇର ବ୍ୟବସାୟ କେଉଁ କ୍ଷେତ୍ରରେ? ଆଉ ସବୁଠାରୁ ବଡ଼ କଥା, ବ୍ୟବସାୟ ଠିଆ କରିବାକୁ ମୂଳଧନ ପାଇଲେ କେଉଁଠୁ?

ଆମେ ତିନିଜଣ ବନ୍ଧୁ ବ୍ୟବସାୟଟିଏ ଆରମ୍ଭ କରିବାର ସ୍ଵପ୍ନ ପାଠ ସରିବା ଆଗରୁ ହିଁ ଦେଖିଥିଲୁ। ଏହି ସମୟରେ କଲେଜ ପାଖ ଚାହା ଦୋକାନରେ ବସି ଚର୍ଚ୍ଚା ହେଉଥିଲା ନାଁ କଣ ଦିଆଯିବ। ବ୍ୟବସାୟର ଲକ୍ଷ୍ୟ, ଉଦ୍ଦେଶ୍ୟ କଥା ଶୁଣୁଥିଲେ ଜଣେ ସୃଜନଶୀଳ ବନ୍ଧୁ। ଆମର ଭାବୁକ ମନର କଥା ଶୁଣି କହିଲେ, ତୁମେ ଯେଉଁ ପରି ସମାଧାନ ସୃଷ୍ଟି କରିବାକୁ ଭାବୁଛ, ସେପରି ସଂସ୍ଥାର ନାଁ ହେବା ଉଚିତ ଫାର୍ ଆଇ। ବାସ୍ ନାଁଟି ମନକୁ ପାଇଗଲା। ପରବର୍ତ୍ତୀ ଜୀବନରେ ବନ୍ଧୁ ଜଣକ ଏନ୍.ଆଇ.ଡିରେ ପାଠ ସାରି ମାଇକ୍ରୋସଫ୍ଟକୁ ଚାଲିଗଲେ। ସବୁଦିନ ଲାଗି ନାଁଟି ଆମର କରି ଦେଇଗଲେ। ଫାର୍ ଆଇର ବ୍ୟବସାୟ କଥା ବୁଝିବାକୁ ହେଲେ, ଇ-କମର୍ସ ବ୍ୟବସାୟକୁ ମନରେ ରଖିବା। ଆପଣ ଆମାଜନ୍‌ରୁ ଗୋଟିଏ ଜିନିଷ କିଣୁଛନ୍ତି। ସେ ଜିନିଷ ହୁଏତ ହଜାର କିଲୋମିଟର ଦୂର ଗୋଟିଏ ଜାଗାରୁ ବିଭିନ୍ନ ଯାନବାହନ ଜରିଆରେ, ଆପଣଙ୍କ ସହରକୁ ଆସି ପହଞ୍ଚୁଛି, ଆଉ ସେଇଠାରୁ ଆପଣଙ୍କର କିଣା ଜିନିଷଟି ଜଣେ ବ୍ୟକ୍ତି, ଗୋଟିଏ ବଡ଼ ଡେଲିଭରୀ ବ୍ୟାଗ୍‌ରେ, ଟୁ ହୁଇଲରରେ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛନ୍ତି। ଏଇ ଶେଷ ପର୍ଯ୍ୟାୟଟିକୁ କୁହା ହୁଏ ଲାଷ୍ଟ୍ ମାଇଲ୍ ଡେଲିଭରୀ। ବର୍ତ୍ତମାନ କଥା ହେଲା, ଆପଣଙ୍କ ଅର୍ଡରର ଜିନିଷଟି ଆମାଜନ୍ କମ୍ପାନିରୁ ବାହାରିବା ପରଠାରୁ, ତାର ପ୍ରତିଟି ପର୍ଯ୍ୟାୟରେ ଯେଉଁ ଟ୍ରାକିଙ୍ଗ୍ ବା ଠାବ ଚିହ୍ନଟ କରାଯାଏ, ସେଇ ଜିନିଷଟି ହେଲା ଫାର୍ ଆଇର କାମ। ଏଇ ପ୍ଲାଟଫର୍ମ ଯୋଗୁଁ ପ୍ରତି ଘଣ୍ଟାରେ ନିଜ ଅର୍ଡରଟି କେଉଁଠି ଅଛି, କେତେବେଳେ ଡେଲିଭରୀ ହେବ, ସେସବୁ ଟିକିନିଖି ଭାବରେ, ନିଜ ସ୍ମାର୍ଟଫୋନରୁ ଜାଣିପାରିବେ।

ତା’ପରେ ଆପଣ ଦେଖିଥିବେ, କୋଭିଡ୍ ପରବର୍ତ୍ତୀ ସମୟରେ କଣ୍ଟାକ୍ଟଲେସ ଡେଲିଭରୀ ଆରମ୍ଭ ହେଲା। ଯଦି ଆପଣ ଗୋଟିଏ ମୂଲ୍ୟବାନ ଜିନିଷ କିଣିଲେ, ତାର ଡେଲିଭରୀ ପୂର୍ବରୁ ଆପଣଙ୍କୁ ଓଟିପି ଆସିଯାଉଛି ଆଉ ସେଇ ଓଟିପି କହିଦେଲେ, ଜିନିଷ ଆପଣ ପାଇଯାଉଛନ୍ତି। ଏସବୁ ଫାର୍ ଆଇ ମାଧ୍ୟମରେ ହୋଇପାରୁଛି, ପ୍ରତି ମାସ ଫାର୍ ଆଇ ପ୍ଲାଟଫର୍ମରେ ଆମେ ଦଶ କୋଟି ଡେଲିଭରୀ କରିଥାଉ ଏବଂ ସାରା ପୃଥିବୀରେ ପ୍ରାୟ କୋଡିଏ ଲକ୍ଷ ମାଲବାହୀ ଗାଡ଼ିର ଗତିବିଧି, ପ୍ରତି ମୂହୁର୍ତ୍ତରେ ଆମେ ଟ୍ରାକ୍ କରିଥାଉ। ବିଶ୍ୱର ବଡ଼ବଡ଼ ଇ-କମର୍ସ ତଥା ଲଜିଷ୍ଟିକ କମ୍ପାନିମାନେ ଆମର ପ୍ଲାଟଫର୍ମ ବ୍ୟବହାର କରନ୍ତି।

ଏଥର କଥାହେବା ଫାର୍ ଆଇର ମୂଳଧନ କିପରି ସଂଗ୍ରହ ହେଲା, ସେ ବିଷୟରେ। ଫାର୍ ଆଇ ଆରମ୍ଭରୁ ସଫ୍ଟୱେୟାର ବ୍ୟବସାୟ କରିବ ବୋଲି ଆମେ ଭାବିନଥିଲୁ। ଭାବିଥିଲୁ ହାର୍ଡୱେୟାରରୁ ଆରମ୍ଭ କରିବୁ। ସ୍ମାର୍ଟ ଆପ୍‌ଟିଏ କରିବା ପାଇଁ ପ୍ରଥମେ ଅଳ୍ପ ଟଙ୍କାର ପୁଞ୍ଜି ଦେବାକୁ ରାଜି ଥିବା ଏଞ୍ଜେଲ ଇନଭେଷ୍ଟର୍ ଖୋଜିବାକୁ ପଡ଼େ। ଏମାନଙ୍କ ଅଳ୍ପ ପୁଞ୍ଜିରୁ କିଛି ବାଟ ଆଗେଇବା ପରେ ଭେଞ୍ଚର କ୍ୟାପିଟାଲିଷ୍ଟ ବା ବଡ଼ ଆକାରର ପୁଞ୍ଜି ଲଗାଇପାରିବା ପରି ସଂସ୍ଥା ଖୋଜିବାକୁ ହୁଏ। ଏଞ୍ଜେଲ ଇନଭେଷ୍ଟମେଣ୍ଟ୍ ପାଇବା ପାଇଁ ଆମେ ସିଲିକନ୍ ଭ୍ୟାଲିରେ ରହୁଥିବା ବିଶିଷ୍ଟ ଓଡ଼ିଆ ଟେକ୍ନୋଲଜିଷ୍ଟ ଶ୍ରୀ ପୂର୍ଣ୍ଣ ମହାନ୍ତି ଏବଂ ଭୁବନେଶ୍ୱରରେ ରହୁଥିବା ଟାଇ ସଂସ୍ଥାର ଅଧ୍ୟକ୍ଷ ଓ କ୍ରାଉନ ହୋଟେଲର ମାଲିକ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ପାଖକୁ ଯାଇଥିଲୁ। ସେଇ ଦୁଇଜଣ ବ୍ୟକ୍ତିଙ୍କର ପୁଞ୍ଜିରେ ହିଁ ଗଢ଼ିଉଠିଲା ଫାର୍ ଆଇ। ଆନ୍ତର୍ଜାତିକ ସଂସ୍ଥାମାନେ ଆସିଲେ, ଏବେ ଛଅ ଶହରୁ ଅଧିକ କର୍ମଚାରୀ ଅଛନ୍ତି। ବ୍ୟବସାୟରେ ବୃଦ୍ଧି ସାଙ୍ଗକୁ ପରବର୍ତ୍ତୀ ସମୟରେ ଅନେକ ବଡ଼ ବଡ଼ ଭେଞ୍ଚର କ୍ୟାପିଟାଲିଷ୍ଟ ଆଗେଇ ଆସିଛନ୍ତି।ଏଇ କେତେଦିନ ତଳେ, ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ଥିବା ବିଶ୍ୱପ୍ରସିଦ୍ଧ ଷ୍ଟକ୍ ଏକ୍ସଚେଞ୍ଜ, ନାସଡାକ୍‌ର ପର୍ଦ୍ଦାରେ ଝଲସିଥିଲା ଫାର୍ ଆଇର ନାଁ।  ଏଞ୍ଜେଲ୍ ଇନଭେଷ୍ଟମେଣ୍ଟ୍‌ରୁ ସମ୍ଭାବ୍ୟ ନାସଡାକ୍ ପର୍ଯ୍ୟନ୍ତ ଲମ୍ବା ଯାତ୍ରାରେ ହସାଇ ଦେଉଥିବା ପରି ଘଟଣାଟିଏ କହନ୍ତୁ

ନୂଆ ନୂଆ କମ୍ପାନି ଗଢ଼ିବାର ସ୍ୱପ୍ନ। ଅନେକ ଆଶାନେଇ ପୂର୍ଣ୍ଣ ମହାନ୍ତିଙ୍କ ପାଖକୁ ଗଲୁ। ସେ ଜଣେ ବିଶିଷ୍ଟ ଟେକ୍ନୋଲଜିଷ୍ଟ।  ହାର୍ଡୱେୟାରରେ କାମ କରନ୍ତି। ଆମର ବିଶ୍ୱାସ ଥିଲା, ସେ ଠିକ୍ ଆମ କଥା ବୁଝିପାରିବେ। ତେବେ କଥାବାର୍ତ୍ତା ମଝିରେ ସେ କହିଲେ, ଆପଣମାନେ ଦେବୁ (ଦେବାଶିଷ ପଟ୍ଟନାୟକ)ଙ୍କୁ ମଧ୍ୟ କହନ୍ତୁ। ମୋ ମନକୁ ଆସିଲା, ଶ୍ରୀ ପଟ୍ଟନାୟକ ଏକେ ତ ହୋଟେଲ୍ ଲାଇନ୍‌ର ଲୋକ। ସେ କ’ଣ ବୁଝିବେ? ତଥାପି ତାଙ୍କୁ ଦେଖା କରିଲୁ। ସବୁକଥା ହେଲା। ଶେଷକୁ ଶ୍ରୀ ପଟ୍ଟନାୟକ ପୁଞ୍ଜି ଲଗାଇବାକୁ ରାଜି ହେଲେ। ଚେକ୍ ନେଇଯିବାକୁ କହିଲେ। କିନ୍ତୁ ମୋ’ ମନରେ ଦକ ରହିଲା, କିପରି ଲୋକ ଇଏ? ବୁଝିଶୁଝି ଟଙ୍କା ଲଗାଉଛନ୍ତି ତ? ମନକୁ ଦ୍ୱନ୍ଦ୍ୱ ଆସିଲା। ଫାର୍ ଆଇର ବ୍ୟବସାୟ ସେ ସଠିକ୍ ବୁଝିପାରିଛନ୍ତି କି ନାହିଁ, ସେ କଥା ପଚାରିବି କି ନାହିଁ? ଯଦି ରାଗିଯିବେ? ତଥାପି ସାହସ କରି ପଚାରିଦେଲି। କହିଲି, ଆଜ୍ଞା ଟଙ୍କା ତ ଲଗେଇବାକୁ ରାଜି ହୋଇଗଲେ। ଆମ ଟେକ୍ନୋଲଜି ବ୍ୟବସାୟ କିପରି ହେବ, ତା’ ବୁଝିଛନ୍ତି ତ? ଶ୍ରୀ ପଟ୍ଟନାୟକ ଉତ୍ତର ଦେଲେ- ପୁଅ, ମୋ’ର ବୁଝିବା ଦରକାର ନାହିଁ । ତୁମର ସଚ୍ଚୋଟପଣିଆ ଏବଂ ଅପାର ଉତ୍ସାହ ହିଁ ସବୁକିଛି। ସଚ୍ଚୋଟପଣିଆ ଏବଂ ଉତ୍ସାହ ଯେଉଁ ମଣିଷଟିର ଥିବ, ସେ ଜୀବନରେ ଗୋଟିଏ ବ୍ୟବସାୟରେ ସଫଳ ନ ହୋଇପାରିଲେ ମଧ୍ୟ ଆଉ ଗୋଟିଏ ସଫଳ ବ୍ୟବସାୟ ନିଶ୍ଚୟ ଠିଆ କରାଇପାରିବ।

ଓଡ଼ିଶାର ଭାବୀ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ଉଦ୍ଦେଶ୍ୟରେ କ’ସନ୍ଦେଶ ଦେବେ?

ବିଫଳତାର ସମ୍ଭାବନାରେ ବିଚଳ ହୁଅନାହିଁ। ନିଜର ଗନ୍ତବ୍ୟ ଆଡ଼କୁ ଆଗେଇ ଚାଲ। ଯଦିବି କେବେ ବିଫଳତା ଆସିଯାଏ, ସେଇ ବିଫଳତାର ମଞ୍ଜିରୁ ହିଁ ଆଗାମୀ ସଫଳତାର ମହୀରୁହ ଠିଆହେବ।

(ଯୁବ ଉଦ୍ୟୋଗୀଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ଓଡ଼ିଶାଲାଇଭ୍ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ – ‘ଷ୍ଟାର୍ଟଅପ୍ ଷ୍ଟୋରି’। ଉପସ୍ଥାପନା: ସୁବ୍ରତ ବାଗ୍‌ଚୀ। ସହଭାଗିତା: ଷ୍ଟାର୍ଟଅପ୍ ଓଡ଼ିଶା। ଇଣ୍ଡଷ୍ଟ୍ରି ପାର୍ଟନର୍: ଇମ୍ଫା, ଟାଇ ଭୁବନେଶ୍ୱର, ଫିକି। ପ୍ରିଣ୍ଟ ପାର୍ଟନର: ସମ୍ବାଦ। ରେଡିଓ ପାର୍ଟନର: ରେଡିଓ ଚକ୍‌ଲେଟ୍। କମ୍ୟୁନିଟି ରେଡିଓ ପାର୍ଟନର୍: ରେଡିଓ ନମସ୍କାର, ରେଡିଓ ସୁରଭି, ରେଡିଓ ବୁଲ୍‌ବୁଲ୍।)

Comment