ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଣି ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ମହାଭାରତ। ମୁହାଁମୁହିଁ ହେଲେ ସ୍ଥାନୀୟ ଲୋକେ ଓ ପୋଲିସ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା, ଭାରିଗଦାରେ ସ୍ଥାନୀୟ ଲୋକ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଖରସ୍ରୋତା ନଦୀରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରୁ ଏଭଳି ସ୍ଥିତି ଉପୁଜିଛି। ଫଳରେ ସ୍ଥିତିକୁ ଆୟତ୍ତକୁ ଆଣିବାକୁ ଘଟଣା ସ୍ଥଳରେ ୧୬ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଅନ୍ୟପଟେ ପୋଲିସର ପ୍ରଚେଷ୍ଟା ସତ୍ତ୍ୱେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ରାଜକନିକାର ଭାରିଗଦା ଏକ ପ୍ରକାର ରଣକ୍ଷେତ୍ର ପାଲଟିଛି। ସ୍ଥାନୀୟ ଲୋକେ ପୋଲିସ ଉପରକୁ ଆକ୍ରମଣ କରିବା ସହିତ ପୋଲିସ ଭ୍ୟାନ ଓ ବିଭିନ୍ନ ଜିନଷ ପତ୍ରକୁ ଭଙ୍ଗାରୁଜା କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଭାରିଗଦାରେ ୮୦୦ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ଏକ ମେଗା ପାନୀୟଜଳ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭଦ୍ରକ ଜିଲ୍ଲାର ୪ ବ୍ଲକକୁ ପାନୀୟ ଜଳ ଯୋଗାଇ ଦିଆଯିବ। ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନ  ପକ୍ଷରୁ ୨ ମାସ ପାଇଁ ପ୍ରକଳ୍ପକୁ ଲାଗି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା  ନିକଟସ୍ଥ ଭାରିଗଦା, ବାଳକାଟି ଓ ବରୁଣାଡିଆ ୩ଟି ପଞ୍ଚାୟତରେ ୧୪୪ ଧାରା ଜାରି କରାଯାଇଛି।

ଫଳରେ ସ୍ଥାନୀୟ ଲୋକେ, ‘ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି, ‘ଜିଲ୍ଲା ଜନ ଅଧିକାର ଅଭିଯାନ’ ଏହାର ବିରୋଧ କରୁଛନ୍ତି। ଏପରିକି ଗତ ୨ ବର୍ଷ ହେବ ସଭା, ସମିତି, ଧାରଣା ତଥା ମାନବଶୃଙ୍ଖଳ ଜରିଆରେ ଏହି ପ୍ରକଳ୍ପକୁ ବିରୋଧ କରାଯାଉଥିବା ବେଳେ ପ୍ରଶାସନ ସହ ବାରମ୍ବାର ଆଲୋଚନା ବି ଫେଲ୍‌ ମାରିଛି। ଫଳରେ ଆଜି ଏହି ବିରୋଧ ଚରମ ରୂପ ନେଇଛି।

ଆନ୍ଦୋଳନକାରୀଙ୍କ କହିବା ଅନୁସାରେ ଖରସ୍ରୋତା ନଦୀର ପାଣି ମଧୁର। ଏହା ଉପରେ କେନ୍ଦ୍ରପଡ଼ାର ଲକ୍ଷାଧିକ ଲୋକ ନିର୍ଭର କରୁଛନ୍ତି। କିନ୍ତୁ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାର ୪ଟି ବ୍ଲକ ପାଇଁ ଏହି ନଦୀରୁ ଦୈନିକ ୧୪୨ ବିଲିୟନ ଲିଟର ପାଣି ନେବାକୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଖରସ୍ରୋତା ଅବବାହିକାର ଜନଜୀବନ, କୃଷି, ଭିତରକନିକା ଜାତୀୟ ଉଦ୍ୟାନ ଉପରେ ପ୍ରଭାବ ପଡ଼ିବ।

ଭଦ୍ରକ ଜିଲ୍ଲାରେ ସାଳନ୍ଦୀ, ମନ୍ତେଇ, ବୈତରଣୀ ଭଳି ଚିରସ୍ରୋତା ନଦୀ ପ୍ରବାହିତ ହୋଇଥିଲା ବେଳେ ଖରସ୍ରୋତା ନଦୀରୁ କାହିଁକି ପାଣି ଉଠାଯିବ ବୋଲି ସ୍ଥାନୀୟ ଲୋକେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନରେ ଚାଷୀ, ଛାତ୍ରଛାତ୍ରୀ, ମହିଳା, ଯୁବକଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀମାନେ ସାମିଲ ହୋଇଛନ୍ତି।

‘‘ଜୀବନ ଦେବୁ ପଛେ ଏଠାରେ ପ୍ରକଳ୍ପ କାମ କରାଇଦେବୁନୁ’’, ଏଭଳି ସ୍ଲୋଗାନ ଦେଇ ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ।

Comment