ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋ ବ୍ୟାକ୍ ଆନ୍ଧ୍ର… ଗୋ ବ୍ୟାକ୍…‘ ସୋମବାର ଏଭଳି ନାରାରେ କମ୍ପିଥିଲା କୋରାପୁଟ ଜିଲ୍ଲାର କୋଟିଆ ସୀମା। କୋଟିଆକୁ ନିଜ ଅକ୍ତିଆରରେ ନେବାକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ସବୁ ଯୋଜନା ଫସର ଫାଟିଲା। କୋରାପୁଟ ଜିଲ୍ଲାର ପ୍ରଶାସନିକ ଆଧିକାରୀ ଆଉ ନେତାମାନେ କୋଟିଆ ସୀମାକୁ ସିଲ୍ କରି ଜଗି ବସିଲେ। ଫଳରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ କୋଟିଆ ଭିତରକୁ ପ୍ରବେଶ ନ କରି ଫେରି ପଳାଥିଲେ।କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନିଜ ଦଖଲକୁ ନେବା ପାଇଁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଚାଲ୍ ଖେଳି ଆସୁଛି। ଅନେକ ସମୟରେ କୋଟିଆକୁ ଅବାଧ ପ୍ରବେଶ କରି ସେଠାକାର ନାଗରିକଙ୍କୁ ବିଭିନ୍ନ ଲୋଭନୀୟ ସୁବିଧା, ସୁଯୋଗ ଦେଇ ସେମାନଙ୍କ ଉପରେ ନିଜର ହକ୍ ଜମାଉଛି ଆନ୍ଧ୍ର। କୋଟିଆ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଥିଲେ ସୁଦ୍ଧା, ଅଦାଲତଙ୍କ ନିୟମ ଉଲଙ୍ଘନ କରି ବାରମ୍ଵାର ଆନ୍ଧ୍ର ପ୍ରଶାସନ କୋଟିଆକୁ ପ୍ରବେଶ କରୁଛି।ଏହି କ୍ରମରେ ସୋମବାର ଦିନ ବିବାଦୀୟ କୋଟିଆରେ କିଛି ସରକାରୀ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯୋଜନା କରିଥିଲା ଆନ୍ଧ୍ର। ଏଥିଲାଗି କୋଟିଆ ଆସିବାକୁ ଆନ୍ଧ୍ରର ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା। କିନ୍ତୁ ଆନ୍ଧ୍ରର ଏହି ଯୋଜନା ବିଷୟରେ ପୂର୍ବରୁ ଜାଣିଥିଲେ କୋରାପୁଟର କିଛି ସ୍ଥାନୀୟ ନେତା ଆଉ ଜିଲ୍ଲା ପ୍ରଶାସନ। ତେଣୁ ନିଜ ମାଟିରେ ଆନ୍ଧ୍ରକୁ ପ୍ରବେଶ ନ କରାଇବାକୁ ସେମାନେ ଅଣ୍ଟା ଭିଡ଼ିଥିଲେ। ଏଥିଲାଗି ସୋମବାର ଦିନ କୋଟିଆ ଗ୍ରାମପୁଞ୍ଜର ଫଗୁଣ ସିନେରୀ ସୀମାକୁ ସିଲ୍ କରି ସେଠାରେ ଜଗି ରହିଥିଲେ ପ୍ରଶାସନିକ ଅଧିକାରୀ ଆଉ ନେତାଏ। ସମସ୍ତ ଏକା ଜିଦ ଥିଲା ଆନ୍ଧ୍ର ଅଧିକାରୀଙ୍କୁ କୋଟିଆ ଭିତରକୁ ପ୍ରବେଶ କରାଇଦେବୁ ନାହିଁ।ଏହି ଖବର ପାଇବା ପରେ ଆନ୍ଧ୍ର ଅଧିକାରୀମାନେ କୋଟିଆକୁ ପ୍ରବେଶ କରିବାକୁ ଆଉ ସାହସ କରି ନଥିଲେ।

Comment