ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ଅକ୍ତିଆର କରିବାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଉଦ୍ୟମ ଚଳାଇଛି। ବାରମ୍ଵାର କୋଟିଆରେ ଅନୁପ୍ରବେଶ କରି ସେଠାରେ ବିଭିନ୍ନ ନିର୍ମାଣ କାମ କରୁଛି। ହେଲେ ନିଜ ଅଞ୍ଚଳର ରାସ୍ତାଘାଟ ସମସ୍ୟାକୁ ଭୁଲିଯାଇଛି ଆନ୍ଧ୍ର ପ୍ରଶାସନ। ଫଳରେ ଆନ୍ଧ୍ରର ଲୋକମାନେ ଓଡ଼ିଶାର ସାହାଯ୍ୟ ଲୋଡ଼ିଛନ୍ତି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋଟିଆ ସୀମାବର୍ତ୍ତୀ କୋଡମା ପଞ୍ଚାୟତରେ। କୋଟିଆ ଗ୍ରାମପୁଞ୍ଜର ଫାଟୁସିନେରୀକୁ ଲାଗି ରହିଛି କୋଡମା ପଞ୍ଚାୟତ। ଏହି ପଞ୍ଚାୟତଟି ଆନ୍ଧ୍ରପ୍ରଦେଶର ସାଲୁର ମଣ୍ଡଳ ରାଜସ୍ଵ ଅଧୀନରେ ଆସୁଛି। ହେଲେ ଆନ୍ଧ୍ର ପ୍ରଶାସନର ଅବହେଳା ଯୋଗୁଁ ଏଠାକୁ ଏଯାଏଁ ରାସ୍ତା ହୋଇପାରିନାହିଁ। ଏପରିକି ଏହି ପଞ୍ଚାୟତଟି ସାଲୁର ମଣ୍ଡଳର ସବୁଠାରୁ ପଛୁଆ ଅଞ୍ଚଳ ଭାବେ ମଧ୍ୟ ପରିଚିତ।ତେଣୁ ନିଜ ଉଦ୍ୟମରେ ପଞ୍ଚାୟତବାସୀ ରାସ୍ତା କାମ ଆରମ୍ଭ କରିଛନ୍ତି। ହେଲେ ରାସ୍ତା ନିର୍ମାଣ ବାବଦକୁ ଆବଶ୍ୟକୀୟ ଅର୍ଥ ପାଇଁ ସେମାନେ ଓଡ଼ିଶାର ସାହାଯ୍ୟ ଲୋଡ଼ିଛନ୍ତି। ସୋମବାର କୋଡମାର ଲୋକମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ସହଯୋଗ କରିବାକୁ କୋରାପୁଟ ଜିଲ୍ଲାର ୫ଜଣ ବିଧାୟକଙ୍କୁ ଅନୁରୋଧ କରିଥିଲେ। ସେମାନଙ୍କର ଏହି ଅନୁରୋଧକୁ ରକ୍ଷା କରି ବିଧାୟକମାନେ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇ ଫାଟୁସିନେରୀଠାରୁ କୋଡାମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମର ଶୁଭାରମ୍ଭ କରିଥିଲେ।ମଙ୍ଗଳବାରଠାରୁ ରାସ୍ତା କାମ ଆରମ୍ଭ ହୋଇଥିଲା। ହେଲେ ଆନ୍ଧ୍ର ପ୍ରଶାସନ ଏଥିରେ ବାଧା ଦେଇଥିଲେ। ଆନ୍ଧ୍ରର ବନ ବିଭାଗ ଉକ୍ତ ଅଞ୍ଚଳକୁ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଦର୍ଶାଇ ରାସ୍ତା ନିର୍ମାଣ କାମକୁ ବନ୍ଦ କରିଦେଇଥିଲା।କୋଟିଆରେ ଆନ୍ଧ୍ରର ନିର୍ମାଣକୁ କୋଡମାବାସୀଙ୍କ ବିରୋଧ

କୋଟିଆର ଫାଟୁସିନେରୀ ଓ ଫଗୁଣସିନେରୀରେ ଗ୍ରାମରେ ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ ପାର୍ବତୀପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ପି. କୋରମାନାଥ ଆନ୍ଧ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପାଇଁ ଯାଇଥିଲେ। ହେଲେ ନିଜ ରାଜ୍ୟର ଲୋକଙ୍କ ସମସ୍ୟାକୁ ସମାଧାନ ନ କରି ପଡ଼ୋଶୀ ମାଟିରେ ନିର୍ମାଣ କାମ କରୁଥିବାରୁ, ପ୍ରକଳ୍ପ ଅଧିକାରୀଙ୍କୁ କୋଡମା ପଞ୍ଚାୟତବାସୀ ଘେରିଥିଲେ। କୋଡମା ପଞ୍ଚାୟତକୁ ଆନ୍ଧ୍ର ପ୍ରଶାସନ ଲଗାତର ଭାବେ ଅବହେଳା କରିଚାଲିଛି ବୋଲି ସେମାନେ କହିଥିଲେ। ଏହାସହ ଓଡ଼ିଶା ସହାୟତାରେ କୋଡମା ରାସ୍ତା ନିର୍ମାଣ କାର୍ଯ୍ୟକୁ ଆନ୍ଧ୍ର ବନ ବିଭାଗ ବନ୍ଦ କରିଦେବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ତେବେ ପ୍ରକଳ୍ପ ଅଧିକାରୀ ଏ ସମ୍ପର୍କରେ ବନବିଭାଗ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ କୋଡମାବାସୀ ଶାନ୍ତ ପଡିଥିଲେ।

Comment