ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇ-ଭଉଣୀଙ୍କ ବନ୍ଧନକୁ ଆହୁରି ମଜବୁତ କରିବା ପାଇଁ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ପାଳନ କରାଯାଇଥାଏ। ଏହି ଦିନ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି। କିନ୍ତୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିହାରରୁ ଏକ ଅଲଗା ଚିତ୍ର ସାମ୍ନାକୁ ଆସିଥିଲା। ଭାଇ ହାତରେ ରାକ୍ଷୀ ବାନ୍ଧିବା ପରିବର୍ତ୍ତେ ଜଣେ ଯୁବକ ସାପକୁ ରାକ୍ଷୀ ପିନ୍ଧାଇ ନିଜ ଜୀବନକୁ ବିପଦରେ ପକାଇଥିଲେ। ଶେଷରେ ସାପ କାମୁଡ଼ାରେ ଯୁବକ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ବିହାରର ସାରଣ ଜିଲ୍ଲାର ଜଣେ ୨୫ବର୍ଷୀୟ ଯୁବକ ହେଉଛନ୍ତି ମନମୋହନ। ନିକଟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ନିଜ ଘରେ ଦୁଇଟି ସାପକୁ ରାକ୍ଷୀ ବାନ୍ଧିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ଆଖପାଖ ଅଞ୍ଚଳର ଅନ୍ୟମାନେ ମଧ୍ୟ ଉପସ୍ଥିତ ରହି ମଜା ନେବା ସାଙ୍ଗକୁ ନିଜ ନିଜ ମୋବାଇଲରେ ଭିଡିଓ କରୁଥିଲେ।ସେହି ସମୟରେ ଅଚାନକ ଏକ ଘଟଣା ଘଟିଥିଲା ଯାହା ଅନ୍ୟମାନଙ୍କୁ ଚକିତ କରି ଦେଇଥିଲା। ମନମୋହନ ଗୋଟିଏ ସାପକୁ ରାଖୀ ପିନ୍ଧାଇ ତା’ ମଥାରେ ଟିକା ଲଗାଉଥିବାବେଳେ, ଅନ୍ୟ ସାପଟି ତାଙ୍କ ପାଦକୁ କାମୁଡ଼ି ଦେଇଥିଲା। ଯାହା ଉପରେ ତାଙ୍କର ନଜର ନଥିଲା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମନମୋହନଙ୍କୁ ସାପ କାମୁଡ଼ିବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ସାପ କାମୁଡ଼ା ଇଞ୍ଜେକସନ୍ ନଥିବାରୁ ତାଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଥାଉକି, ମନମୋହନ ଦୀର୍ଘ ୧୦ ବର୍ଷ ହେବ ନିଜ ଅଞ୍ଚଳରୁ ବିଷାକ୍ତ ସାପମାନଙ୍କୁ ଧରି ଅନ୍ୟତ୍ର ଛାଡ଼ୁଥିଲେ। ଏମିତିକି କହିବାକୁ ଗଲେ ସେ ସାପ ଧରାରେ ଧୁରନ୍ଧର ଥିଲେ। ଏଥିସହ ଅଞ୍ଚଳରେ କାହାକୁ ସାପ କାମୁଡ଼ିଲେ, ତାଙ୍କୁ ଚିକିତ୍ସା ଯୋଗାଉଥିଲେ ଏବଂ ଆହତ ସାପମାନଙ୍କୁ ମଧ୍ୟ ଚିକିତ୍ସା କରି ନିକଟସ୍ଥ ଜଙ୍ଗଲରେ ଛାଡ଼ୁଥିଲେ। କିନ୍ତୁ ସେଦିନ ଭାଗ୍ୟ ତାଙ୍କ ସାଥ୍ ଦେଇନଥିଲା। ଫଳରେ ବିଷାକ୍ତ ସାପର ଚୋଟରେ ତାଙ୍କର ମୃତ୍ୟୁ ହୋଇଥିଲା।

Comment