ସ୍ନେହ ମିଶ୍ର

ରାକ୍ଷୀ ପୂର୍ଣ୍ଣିମା ଏମିତି ଏକ ପର୍ବ ଯାହାର ଅପେକ୍ଷା ସବୁ ଭାଇ ଭଉଣୀ କରନ୍ତି। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ। 

ସବୁଥର ଭଳି ଏଥର ମଧ୍ୟ ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀ ଏକାଠି ହୋଇଛନ୍ତି। ଭାଇର ଶୁଭ ମନାସି ଭଉଣୀ ମାନେ ରାକ୍ଷୀ ବାନ୍ଧିଦେବେ ସେମାନଙ୍କ ହାତରେ, ଭେଟି ଦେଇ ଭାଇମାନେ ତାଙ୍କୁ ଖୁସି କରିବେ ଏବଂ କଥାଦେବେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ।

ଘର ଖୁସିରେ ପୁରିଉଠିଛି ସୁଭଦ୍ରାଙ୍କରା ସକାଳୁ ଉଠି ନିତ୍ୟକର୍ମ ସାରି ଠାକୁର ପୂଜାପାଇଁ ଫୁଲ, ତୁଳସୀ, ଦୂବ, ବରକୋଳି ପତ୍ର ସଜାଡି ରଖି ତରବର ହୋଇ ପସିଗଲେ ରୋଷେଇଘରକୁ। ଗହ୍ମା ପୁନେଇଁରେ ଗାଇଗୋରୁ ମାନଙ୍କୁ ପୂଜା କରିବା ଓ ପିଠା ଖୋଇବାର ପରମ୍ପରା ରହିଛି। ସହରରେ ରହିଲେ ମଧ୍ୟ ସକାଳୁ ଏହି କାମରେ କେବେ ହେଳା କରନ୍ତିନି ସୁଭଦ୍ରା।

ନିଜର ସିନା ଗାଇ ନାହିଁକି ଗୁହାଳ ନାହିଁ ହେଲେ ଦାଣ୍ଡରେ ତ ଅସଂଖ୍ୟ ଗାଇ ବୁଲୁଛନ୍ତି, ସକାଳେ ପେଜ, ପରିବା ଚୋପାଠୁ ଆରମ୍ଭ କରି ଉପରବେଳା ତୋରାଣି ପେଇବା ପର୍ଯ୍ୟନ୍ତ କଉଠି ନା କଉଠି ଗୋଟେ ଯୋଡେ ଗାଇ, ଷଣ୍ଢ ମିଳିଯାନ୍ତି ତାଙ୍କୁ।  ତରବରରେ ପଲମ ଉପରେ ପିଠଉ ଢାଳିଦେଇ ଗୁଡ ଡବା ଟା ଆଣିବାକୁ ଯାଉଛନ୍ତି, ସାନ ଝିଅ ମିନି ଗୋଡ କଚାଡି କଚାଡି ଆସି କହିଲା, ‘ମତେ ଯଦି ଏଥର ଭାଇ ରାକ୍ଷୀ ନବାନ୍ଧିବ ତାହେଲେ ମୁ ବି ତାକୁ ରାକ୍ଷୀ ବାନ୍ଧିବିନି!’ ଇଏକି କଥା ମିନି, ଆଜି ଭଳିଦିନରେ ସେମିତି କହନ୍ତିନି। ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଲେ ସେମାନେ ଭଲରେ ରହିବେ, ତାଙ୍କର ଶୁଭ ହେବ। ଭଉଣୀମାନଙ୍କର କାମ ହେଲା ନିଜ ଭାଇର ଶୁଭ କାମନା କରିବା, ରାକ୍ଷୀ ହେଲା ଏହାର ପ୍ରତୀକ। ଯା ଜଲଦି ଗାଧୋଇପଡି ରାକ୍ଷୀ ନେଇକି ଆସେ। “କାହିଁକି ବୋଉ, ମୋର ଶୁଭମନାସି ଭାଇ ତ କେବେ ମୋ ହାତରେ ରାକ୍ଷୀ ବାନ୍ଧୁନି, ମୋର କ’ଣ ଶୁଭ ହେବା ଦରକାର ନାହିଁ?” ଏପରି ଅପ୍ରତ୍ୟାଶିତ କଥା କେବେ ଆଶା କରିନଥିଲେ ସୁଭଦ୍ରା, ହଠାତ୍ କଣ କହିବେ ଭାବି ପାରିଲେନାହିଁ।

ଆଡେ ପଲମରେ ପିଠାଟା ପୋଡିଯାଉଛି, ପିଠା ଓଲଟଉ ଓଲଟଉ କହିଲେ ହଉ, ଭାଇବି ତୋ ହାତରେ ରାକ୍ଷୀ ବାନ୍ଧିବ, ଯାଅ ଦୁଇଜଣ ଯାକ ଜଲଦି ଗାଧୋଇପଡି ଆସିଯାଅ ।  ଶିଶୁ ସୁଲଭ ଗୁଣରେ ମିନି ସିନା ଚାଲିଯାଇଥିଲା ଗାଧୋଇବା ପାଇଁ କିନ୍ତୁ ସୁଭଦ୍ରାଙ୍କ ମନରେ ଛାଡିଯାଇଥିଲା ଅସଂଖ୍ୟ ପ୍ରଶ୍ନର ସମ୍ଭାର! ସତେତ ସେ ତ କେବେ ଭାବିନାହାନ୍ତି ଭଉଣୀ ହିସାବରେ ତାଙ୍କର ଶୁଭ ମନାସିବା ପାଇଁ ଭାଇର କର୍ତ୍ତବ୍ୟ ଅଛି ନା ନାହିଁ, କେବେ ବି ଶିଖେଇନାହାନ୍ତି ନିଜ ପିଲାମାନଙ୍କୁ ଉଭୟ ଉଭୟେଙ୍କର ଶୁଭ ମନାସିବା ଦରକାର!

ଚିରାଚରିତ ପ୍ରଥାରେ ଆମେମାନେ ମଧ୍ୟ ଯାହା ଚାଲିଥିଲା ସେମିତି ଚାଲିଛେ। ତେବେ ସେଥିରେ ଅସୁବିଧା କଉଠି ରହିଲା? ଆମ ସମାଜରେ ଆମ ପରିବାରେ ପ୍ରତ୍ୟେକ କଥାରେ ପୁଅ ବା ପୁରୁଷମାନଙ୍କୁ ଗୁରୁତ୍ୱ ଅଧୀକା ଦିଆଯାଇଥାଏ। ଏହିକ୍ରମରେ ରାକ୍ଷୀ ପୂର୍ଣ୍ଣିମାରେ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ଅନ୍ୟତମ। ଯାହାକି ଭାଇଟିର ଗୁରତ୍ୱ ଅଧିକ ଜାହିର କରିଥାଏ ଏବଂ ପୁଅମାନେ ଶକ୍ତିଶାଳୀ ଓ କ୍ଷମତା ସମ୍ପନ୍ନ ବୋଲି ଅଭିହିତ କରାଇଥାଏ, ଏବଂ ଝିଅଟିକୁ କମ୍ କ୍ଷମତାଶୀଳ ଥିବା ସୂଚେଇଦେଇଥାଏ।

ଆହୁରିମଧ୍ୟ ଏହି ପରମ୍ପରା ଭାଇଟିକୁ ଚିରଦିନ ଏକ ରକ୍ଷାକର୍ତ୍ତାର ଭୂମିକା ଦେଇଥାଏ, ଯାହାକି ପୁଅମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ଏକ ବୋଝ ସଦୃଶ ହୋଇଥାଏ।  ପିତୃକୈନ୍ଦ୍ରିକ ବ୍ୟବସ୍ଥାରେ ପୁରୁଷମାନଙ୍କୁ ଅଧିକ କ୍ଷମତାଶାଳୀ କରିବାଦ୍ୱାରା ସମାଜରେ ଲିଙ୍ଗଗତ ଭେଦଭାବର ସୃଷ୍ଟି ହୋଇଥାଏ। ଯେଉଁ ଭେଦଭାବ ପରବର୍ତ୍ତୀ ସମୟରେ ଏକ ହିଂସାର ରୂପ ନେଇଥାଏ। ଯେପରିକି ପୁରୁଷଟିଏ ପରିବାର ର ରକ୍ଷାକର୍ତ୍ତା ହେବା ପାଇଁ ନିଜକୁ କଠୋର ଓ ରୁକ୍ଷ କରିବାପାଇଁ ବାଧ୍ୟ ହୋଇଥାଏ। ଯାହକି ପିତୃକୈନ୍ଦ୍ରିକ ଢାଞ୍ଚାରର ଏକ ପୁନରାବୃତ୍ତି ମାତ୍ର।

ଯଦି କୌଣସିବି ସମୟରେ କେହି ପୁରୁଷ ଏଭଳି କ୍ଷମତାର ବଶବର୍ତ୍ତୀ ନହୋଇ କାମ କରନ୍ତି ତେବେ ପ୍ରତ୍ୟେକ କଥାରେ ସେମାନଙ୍କୁ ମାଇଚିଆ, ମାଇପ ବୋଲା ଇତ୍ୟାଦି ଟାହିଟାପରା ର ସମ୍ମୁଖିନ ହେବାକୁପଡିଥାଏ। ଏହି କ୍ଷମତାର ପ୍ରଭାବରେ ଅଳ୍ପ ବୟସର ପୁରୁଷ ମଧ୍ୟ ତାଠାରୁ ଅଧିକ ବୟସର ମହିଳାଙ୍କୁ ନିୟନ୍ତ୍ରଣ କରବାକୁ ପଛାନ୍ତି ନାହିଁ, ଯେମିତିକି, ସାନ ଭାଇ ବଡଭଉଣୀ କୁ ଆକଟକରିବା, ପୁଅ ମା’କୁ ଆକଟକରିବା ଇତ୍ୟାଦି। ଏବଂ ଆମ ସମାଜରେ ଏହାକୁ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଉତ୍ସାହିତ ମଧ୍ୟ କରାଯାଏ। ଏହାଦ୍ୱାରା ଝିଅ/ମହିଳାଟିଏ ଘରଭିତରେ ନିଜର ଅସ୍ଥିତ୍ୱ, ଉଚିତ୍ ସ୍ଥାନ ଏବଂ ସମ୍ମାନ ହରାଇଥାଏ ଏବଂ ହୀନମନ୍ୟତାର ଶିକାର ହୋଇଥାଏ।

ଏହି ସମସ୍ୟାର ଜଡ ଖୁବ୍ ଗଭୀର ଏବଂ ହଠାତ୍ ପରିବର୍ତ୍ତର୍ନ ଆଣିବା କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହଁ । ଏଥିପାଇଁ ସମାନତାର ସମ୍ପର୍କ ପ୍ରଥମରୁ ହିଁ ପରିବାର ଭିତରେ ସ୍ଥାପନ କରିବା ଦରକାର । ଛୋଟ ଛୋଟ କାମଗୁଡିକୁ ପରଖି ସେଥିରେ ପରିବର୍ତ୍ତନ ଆଣିବା ଦରକାର, ସେ ଘରକାମ ହେଉ, ବା ପେଷାଗତ କାମରେ ନିଷ୍ପତ୍ତି ନେବା ହେଉ, ପୁଅ ଓ ଝିଅମାନଙ୍କର ପ୍ରତ୍ୟେକ କାମରେ ସମାନ ସହଭାଗୀତା ଆଣିବା ଦରକାର। ଭାଇମାନେ ଭଉଣୀମାନଙ୍କ ଶୁଭମନାସିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବାର ପରମ୍ପରା ଆରମ୍ଭ କରିବାର ଆବଶ୍ୟକତା ବର୍ତ୍ତର୍ମାନର ସମୟରେ ଖୁବ୍ ଜରୁରୀ।

ଆହୁରିମଧ୍ୟ ଜରୁରୀ ଆମ ଝିଅମାନଙ୍କୁ ଆମ ପାଇଁ ସେମାନଙ୍କର ଗୁରୁତ୍ୱ ଓ ମହତ୍ତ୍ୱ କେତେ ଜଣେଇବାର। କେହି ବୋଝନୁହେଁ ଏବଂ ସମସ୍ତେ ମୁଲ୍ୟବାନ୍ ଓ ଜରୁରୀ। ଖୁବ୍ ଛୋଟକଥାଟିଏ ହେଇପାରେ ଉଭୟ ଉଭୟଙ୍କ ହାତରେ ରାକ୍ଷୀ ବାନ୍ଧିବା କିନ୍ତୁ ଏହାଦ୍ୱାରା ଏକ ସମାନତା ର ବାର୍ତ୍ତା ଆମେ ଦେଇପାରିବା ଆମ ପିଲାମାନଙ୍କ ଭିତରେ। ସେମାନଙ୍କ ମନ ଭିତରେ ପରସ୍ପର ପ୍ରତି ସମ୍ମାନ ଓ ଆଦରର ବୃଦ୍ଧି ପାଇଁ ଏହା ସହାୟକ ମଧ୍ୟ ହେଇପାରେ। ‘ସମାନତା’ ର ରଜ୍ଜୁରେ ବନ୍ଧାହୋଇଥିବା ରାକ୍ଷୀ ର ସମ୍ପର୍କ ଅଧିକ ସୁଦୃଢ ଓ ମଜଭୁତ୍ ହୋଇଥାଏ, କାରଣ ସେ ରାକ୍ଷୀରେ ସମସ୍ତଙ୍କ ପାଇଁ ସମ୍ମାନ ଥାଏ, ବୁଝାମଣା ଥାଏ ଓ ସମାନତା ର ମହକ ଥାଏ। ସେଠି ରକ୍ଷା କରିବାର ପ୍ରତିଶୃତି ନଥାଏ ବା ଭେଟି ଦେବାର ବାଧ୍ୟବାଧକତା ନଥାଏ।

ସ୍ନେହ ମିଶ୍ର

ବରଂ ଦୁହେଁ ଦୁହିଁଙ୍କ ପାଇଁ ଭଲ ମନାସିବା ର ରଜ୍ଜୁ ର ମଜ୍‌ଭୁତ ବନ୍ଧନ ରହିଥାଏ। ରକ୍ଷା କରିବା ପ୍ରତିଶୃତି ର ଭାର ନୁହେଁ ବରଂ ସହେଯାଗ, ସମାନ ସୁଯୋଗ, ଉଚିତ୍ ମର୍ଯ୍ୟାଦା ଓ ସମ୍ମାନ ହିଁ ହେଉ ଆଜିର ରାକ୍ଷୀ ର ଭେଟି ପ୍ରତ୍ୟେକ ଭାଇର ଭଉଣୀ ପାଇଁ ଓ ପ୍ରତ୍ୟେକ ଭଉଣୀର ଭାଇ ପାଇଁ । ଆସନ୍ତୁ ସୃଷ୍ଟି କରିବା ଏକ ସମାନତା ର ପରମ୍ପରା ଏହି ବର୍ଷରୁ, ଭାବିନେବା ଏହାହିଁ ନୂଆ ପ୍ରତିଦାନ ଆମ ନୂତନ ପିଢୀ ପାଇଁ । କିଏଜାଣେ ଆପଣଙ୍କର ଏଇ ଗୋଟିଏ ଛୋଟ ପଦକ୍ଷେପ ହେଇପାରେ ଏକ ନୂତନ ଇତିହାସ ଆରମ୍ଭର ପଦଧ୍ୱନି ମଧ୍ୟ।

 

(ଲେଖିକା ଜଣେ ପରିଚିତ ସାମାଜିକ କର୍ମୀ ଏବଂ ‘ଆଇନା’ର ସମ୍ପାଦିକା।)

Comment