ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସୁନ୍ଦରଗଡ଼, ସଉନାମୁରାରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ‘‘ଦୀର୍ଘ ୮ ମାସ ପରେ ଭାଇ ମୋର ରାକ୍ଷୀ ପୂର୍ଣ୍ଣିମା ଭଳି ଏକ ପବିତ୍ର ଦିନରେ ଘରକୁ ଫେରିଛି। ସାଙ୍ଗରେ ଟୋକିଓ ଅଲିମ୍ପିକ୍ସରେ ଜିତିଥିବା ବ୍ରୋଞ୍ଜ୍‌ ପଦକ ଆଣିଛି। ଭାଇର ସେଇ ସଫଳତାର ପଦକ ହିଁ ମୋ ପାଇଁ ରାକ୍ଷୀ ଉପହାର’’, ଏ ହେଉଛି ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ଭଉଣୀ ସୁସ୍ମିତାଙ୍କ କଥା।

ରାକ୍ଷୀ ପୂର୍ଣ୍ଣିମା ଦିନ ଯେତେବେଳେ ଅମିତ ରୋହିଦାସ ନିଜ ଘରେ ପହଞ୍ଚିଥିଲେ ସେତେବେଳେ ତାଙ୍କ ପରିବାରର ଖୁସି ଦୁଇ ଗୁଣା ହୋଇଥିଲା। ଭଉଣୀ ସୁସ୍ମିତାଙ୍କ ପାଦ ବି ଖୁସିରେ ତଳେ ଲାଗୁ ନଥିଲା। ଦୀର୍ଘଦିନ ପରେ ଭାଇକୁ ପାଖରେ ପାଇ ନାଚି ଉଠିଥିଲେ ଭଉଣୀ ସୁସ୍ମିତା। ସେପଟେ ଅମିତ ରୋହିଦାସ ମଧ୍ୟ ନିଜର ଲୋକଙ୍କୁ ଏତେ ପାଖରେ ପାଇ ଭାବ ପ୍ରବଣ ହୋଇପଡ଼ିଥିଲେ।

‘‘ଆଜିର ଦିନ ମୋ ପାଇଁ ସ୍ୱତନ୍ତ୍ର। ପ୍ରାୟ ବର୍ଷ ରାକ୍ଷୀରେ ମୁଁ ଘରଠୁ ଦୂରରେ ଥାଏ। ମତେ ରାକ୍ଷୀ ବାନ୍ଧିବାର ସୁଯୋଗ ମିଳେ ନାହିଁ। ଏ ବର୍ଷ ମୁଁ ରାକ୍ଷୀରେ ଘରକୁ ଫେରିଲି। ଭଉଣୀମାନେ ମୋ ହାତରେ ରାକ୍ଷୀ ବାନ୍ଧିଲେ। ମତେ ବହୁତ ଖୁସି ଲାଗିଲା। ଏ ଦିନ ମୋ ପାଇଁ ସ୍ମରଣୀୟ’’, କହିଥିଲେ ଅମିତ।

ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ନିଆରା ପର୍ବ। କିନ୍ତୁ ଖେଳ ପାଇଁ ରାକ୍ଷୀ ପୂର୍ଣ୍ଣିମାରେ ପ୍ରାୟ ଥର ଘରଠୁ ଦୂରରେ ଥାଆନ୍ତି ଅମିତ। ଏ ବର୍ଷ  ଟୋକିଓରୁ ପଦକ ଜିତିବା ପରେ ରାକ୍ଷୀ ଦିନ ସେ ଘରକୁ ଫେରିଥିଲେ। ଭଉଣୀ ସୁସ୍ମିତା ବନ୍ଦାପନା ପରେ ଫୁଲ ଚନ୍ଦନ ଲଗାଇ ଅମିତଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଭାଇ, ଭଉଣୀଙ୍କ ସେହି ଖୁସିର ମୁହୁର୍ତ୍ତ ସୃଷ୍ଟି କରିଥିଲା ଏକ ନିଆରା ପରିବେଶ। ରାକ୍ଷୀ ବାନ୍ଧିବା ସାଙ୍ଗକୁ ପରିବାର ଲୋକଙ୍କ ଗହଣରେ କେକ୍‌ କାଟିଥିଲେ ଅମିତ।

ରାକ୍ଷୀ ପୂର୍ଣ୍ଣିମାରେ ଗାଁକୁ ଫେରିବା ବେଳେ ଭବ୍ୟ ସମ୍ବର୍ଦ୍ଧନା ପାଇଥିଲେ ଅମିତ। ପାରମ୍ପରିକ ମାଦଳ, ନାଗରା ବାଜା ସହିତ ଆଦିବାସୀ ଗୀତର ତାଳେ ତାଳେ ତାଙ୍କୁ ଗାଁକୁ ପାଛୋଟି ଅଣାଯାଇଥିଲା। ସୁନାପୁଅ ଅମିତଙ୍କୁ ସ୍ୱାଗତ କରିବା ପାଇଁ, ହଳଦୀ ପାଣି, ଫୁଲ ଚନ୍ଦନ ଧରି ଗାଁ ମୁଣ୍ଡରେ ଛିଡ଼ା ହୋଇଥିଲେ ଅମିତଙ୍କ ପରିବାର ଓ ଗାଁ ଲୋକ।

‘‘ଟୋକିଓରେ ପଦକ ଜିତି ଅମିତ ତା ବାପାଙ୍କ ସ୍ୱପ୍ନ ପୂରଣ କରିଛି। ଦେଶ ପାଇଁ ଗୌରବ ଆଣିଛି। ଗାଁ ଲୋକ ଅମିତ ପାଇଁ ବେଶ୍‌ ଖୁସି। ତାକୁ ଗାଁ ଲୋକେ ଧୁମଧାମରେ ସ୍ୱାଗତ କରୁଛନ୍ତି ଦେଖି ଖୁସି ଲାଗୁଛି’’, କହିଥିଲେ ଅମିତଙ୍କ ମା’ ଗୋଲାପୀ ରୋହିଦାସ।

ଗାଁରେ ପହଞ୍ଚିବା ପରେ ଅମିତ ପ୍ରଥମେ ନିଜର ସ୍ୱର୍ଗୀୟ ପିତା ଗୋପାଳ ରୋହିଦାସଙ୍କ ସମାଧୀ ପୀଠକୁ ଯାଇଥିଲେ। ସେଠାରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ନିଜ ଘରକୁ ଯାଇଥିଲେ ଅମିତ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍‌ର ଐତାହାସିକ ସଫଳତା ପରେ ଏହି ଟିମ୍‌ରେ ଥିବା ଦୁଇ ଓଡ଼ିଆ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ରାଜ୍ୟ ସରକାର, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନଠାରୁ ସମ୍ବର୍ଦ୍ଧିତ ହୋଇଥିବା ଏହି ତାରକାଙ୍କୁ ନିଜ ଗାଁରେ ମିଳିଥିଲା ଭବ୍ୟ ସମ୍ବର୍ଦ୍ଧନା।

Comment