ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ। ଶୁକ୍ରବାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା।

କରୋନା ଯୋଗୁଁ ପୂର୍ବରୁ ସମସ୍ତ ଅଧିବେଶନରେ ପ୍ରଶ୍ନକାଳ ବାତିଲ ହୋଇଥିଲା। ଏଥର କିନ୍ତୁ ପ୍ରଶ୍ନକାଳ ଚାଲୁ ରହିବ। ଖାଲି ସେତିକି ନୁହେଁ, ଶନିବାର ମଧ୍ୟ ବିଧାନସଭା ବସିବ। ଶନିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ସକାଳ ୧୦ଟା ୩୦ରୁ  ଅପରାହ୍ନ ୧ଟା୩୦ ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ବିଧାନସଭା ବସିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି କରୋନା ଦୃଷ୍ଟିରୁ ସମସ୍ତଙ୍କର ଆର୍ଟି ପିସିଆର ଟେଷ୍ଟ ହେବ। ସବୁ ବିଧାୟକ ଓ ମନ୍ତ୍ରୀଙ୍କର ଆଣ୍ଟିବଡି ଟେଷ୍ଟ ମଧ୍ୟ ହେବ।

ଅନ୍ୟପଟେ ଏଥର ମୌସୁମୀ ଅଧିବେଶନ ସରଗରମ ହେବା ଦେଖାଯାଉଛି। କାରଣ ବିରୋଧୀ ଦଳମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ କହିବା ଅନୁଯାୟୀ, ମରୁଡ଼ି କଥା ପ୍ରଥମେ ଉଠିବ। ତୃତୀୟ ଲହର ମୁକାବିଲା ପାଇଁ କି ବ୍ୟବସ୍ଥା ହୋଇଛି, ରାଜ୍ୟରେ ଡ୍ରଗ୍ସ କାରବାର  ରୋକିବାକୁ ସରକାର କ’ଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ବି ଆଲୋଚନା ହେବ।

ରାଜ୍ୟରେ ଭୟଙ୍କର ମରୁଡ଼ି ଦେଖାଦେଲାଣି। ଦରଦାମ ବଢ଼ି ଚାଲିଛି। ବେକାରୀ ସମସ୍ୟା ଉତ୍କଟ ହୋଇଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ସବୁଠି ଦୁର୍ନୀତିର ଗନ୍ଧ। ଡାକ୍ତରଖାନାରେ ବେଡ୍‌ ନାହିଁ କି ଡାକ୍ତର ନାହାନ୍ତି। ସ୍କୁଲରେ ମାଷ୍ଟର ନାହାନ୍ତି। ଏ ସବୁ ବିଷୟରେ ଆଲୋଚନା କରାଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ କହିଛନ୍ତି।

LEAVE A REPLY

Please enter your comment!
Please enter your name here