ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ
  • ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ଵାରା ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ
  • ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪ ହଜାର ୬୯୮ କୋଟି ଟଙ୍କା ବ୍ୟୟବରାଦ

ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ। ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଶୁକ୍ରବାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବଜେଟ୍‌ ଆଗତ ହୋଇଛି।

ଏଥର ଅତିରିକ୍ତ ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪ ହଜାର ୬୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେହିପରି ପଞ୍ଚାୟତିରାଜ ବିଭାଗ ପାଇଁ ୪ ହଜାର ୮୩ କୋଟି ବ୍ୟୟବରାଦ ହୋଇଛି।

ଏହାସହ ଗଣଶିକ୍ଷା ବିଭାଗ ପାଇଁ ୨ ହଜାର ୮୮୨ କୋଟି ଟଙ୍କା ଏବଂ ଜଳସମ୍ପଦ ବିଭାଗ ପାଇଁ ୨ ହଜାର ୪୦୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାସହ ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପାଇଁ ଅତିରିକ୍ତ ବଜେଟରେ ବ୍ୟୟବରାଦ କରାଯାଇଛି। ଏଥିରେ ଯୋଜନାକୁ ୧ ହଜାର ୩୦୨ କୋଟି ଟଙ୍କା ମିଳିଛି।

ସେହିପରି ରାଜ୍ୟ ସରକାରଙ୍କ ନୂଆ ଯାତ୍ରୀ ପରିବହନ ଯୋଜନା ‘ଲକ୍ଷ୍ମୀ’ ପାଇଁ ଅତିରିକ୍ତ ବଜେଟରେ ୫୫୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାସହ ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ ପାଇଁ ୨୧୦ କୋଟି ଟଙ୍କାର ବ୍ୟବସ୍ଥା ଅତିରିକ୍ତ ବଜେଟରେ କରାଯାଇଛି।

ଅନ୍ୟପଟେ ମଧୁବାବୁ ପେନସନ ଯୋଜନା ପାଇଁ ୫୦୦ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୬ କୋଟି ଟଙ୍କା, ସ୍ମାର୍ଟ ସିଟି ଯୋଜନା ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇସାରିବା ପରେ ବିଧାନସଭାକୁ ସୋମବାର ଯାଏଁ ମୁଲତବୀ ରଖାଯାଇଛି।

Tags: #OdishaAssembly #MonsoonSession #AdditionalBudget #Odisha

LEAVE A REPLY

Please enter your comment!
Please enter your name here