ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ
  • ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୮୮ ହଜାର ୪୮୭ କୋଟି ଟଙ୍କା
  • ମୁଣ୍ଡ ପିଛା ଋଣ ପରିମାଣ ୧୯ ହଜାର ୧୭୧ ଟଙ୍କା

ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ଓଡ଼ିଶା ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ। ୨୮ ହଜାର ୨୦୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ଅପରାହ୍ଣରେ ଉପସ୍ଥାପନ କରିଥିଲେ। ଏଥିରେ ୨୦୨୩ ଜୁଲାଇ ମାସ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୮୮ ହଜାର ୪୮୭ କୋଟି ଟଙ୍କା ଥିବା ଜଣାପଡ଼ିଛି। ମୁଣ୍ଡ ପିଛା ଋଣ ପରିମାଣ ୧୯ ହଜାର ୧୭୧ ଟଙ୍କା ହିସାବ କରାଯାଇଛି।

ରାଜ୍ୟ ମହାଲେଖାକାରଙ୍କ ତଥ୍ୟ ଅନୁସାରେ ଓଡ଼ିଶାର ଋଣ ଭାର ରାଜ୍ୟର ମୋଟ ଘରୋଇ ଉତ୍ପାଦର (ଜିଏସଡିପି) ୧୦.୨୭ ପ୍ରତିଶତ। ତେବେ ଓଡ଼ିଶା ପାଇଁ ସରକାର ଖୋଲା ବଜାରରୁ ଋଣ କରିନାହାନ୍ତି। ସେହିପରି ସୁଧ ଦେୟ ଓ ରାଜସ୍ଵ ଆୟର ଅନୁପାତ ୧.୯୪ ପ୍ରତିଶତରେ ସୀମିତ ରହିଛି।

ଏହି ଅତିରକ୍ତ ବଜେଟ ଚଳିତବର୍ଷ ଆସିଥିବା ମୂଳ ବଜେଟର ୧୨.୨୬ ପ୍ରତିଶତ। ୨୦୨୩ ଫେବ୍ରୁଆରି ମାସରେ ରାଜ୍ୟ ସରକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ତେବେ ଆର୍ଥିକ ବର୍ଷର ପ୍ରଥମ ୬ମାସ ପରେ ଅତିରିକ୍ତ ବଜେଟର କାହିଁକି ଆବଶ୍ୟକତା ପଡ଼ିଲା ସେ ସଂପର୍କରେ ଅର୍ଥମନ୍ତ୍ରୀ ଯୁକ୍ତି ରଖିଛନ୍ତି।

“ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅତିରିକ୍ତ ପାଣ୍ଠିର ନିହାତି ଆବଶ୍ୟକତା ଥିଲା। ଏଥିରେ ସରକାରଙ୍କ ନୂଆ ଓ ଚାଲୁ ରହିଥିବା ଯୋଜନା ପାଇଁ ବ୍ୟୟବରାଦ ହୋଇଛି। ଏହି ବଜେଟ ଦ୍ଵାରା ସରକାର ଓଡ଼ିଶା ଜରୁରୀକାଳୀନ ପାଣ୍ଠିରୁ ଆଣିଥିବା ଅଗ୍ରୀମ ଅର୍ଥ ମଧ୍ୟ ଭରଣା କରିବେ”, କହିଛନ୍ତି ବିକ୍ରମ କେଶରୀ ଆରୁଖ।

ଓଡ଼ିଶା ସରକାରଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ରେକର୍ଡ ଛୁଇଁଛି। ମୂଳ ବଜେଟ୍ ଓ ଅତିରିକ୍ତ ବଜେଟ୍ ପରିମାଣକୁ ମିଶାଇଲେ ପୂର୍ବରୁ ଗୋଟିଏ ଆର୍ଥିକ ବର୍ଷରେ ଏତେ ପରିମାଣର ବ୍ୟୟବରାଦ ହୋଇନଥିଲା।

ତେବେ ଏହି ଅତିରିକ୍ତ ବଜେଟ ଆଣିଲାବେଳେ ବଜେଟ୍ ପରିଚାଳନା ଅଧିନିୟମକୁ ପାଳନ କରାଯାଇଛି। ଏହାଦ୍ଵାରା ରାଜ୍ୟରେ ରାଜସ୍ଵ ବଳକା ସ୍ଥିତି ବଜାୟ ରହିବ ଓ ବିତ୍ତୀୟ ନିଅଣ୍ଟ (ଫିସକାଲ ଡେଫିସିଟ) ମୋଟ ରାଜ୍ୟ ଘରୋଇ ଉତ୍ପାଦର (ଜିଏସଡିପି) ୩ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି।

Tags: #OdishaAssembly #MonsoonSession #AdditionalBudget #Debt #GSDP #Odisha

Comment