ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିନ୍ଦୀ ଟେଲି ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁରେ ସ୍ତବ୍ଧ ଟେଲିଭିଜନ ଜଗତ।

ଟେଲି ଜଗତର ଲୋକପ୍ରିୟ ଅଭିନେତା ତଥା ‘ବିଗ୍‌ ବସ୍‌’ ସଜିନ ୧୩ର ବିଜେତା ଥିଲେ ସିଦ୍ଧାର୍ଥ ଶୁକ୍ଳା। ନିଜ ଅଭିନୟ, ନିଆରା ଷ୍ଟାଇଲ, ଆକର୍ଷଣୀୟ ଚେହେରା ପାଇଁ ଅନେକଙ୍କ ହୃଦୟରେ ଘର କରିଥିଲେ ସେ। କିନ୍ତୁ ହୃଦଘାତରେ ତାଙ୍କର ଅକାଳ ମୃତ୍ୟୁ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ।

୧୯୮୦, ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସିଦ୍ଧାର୍ଥ। ତାଙ୍କ ବାପା ଅଶୋକ କୁମାର ଶୁକ୍ଳା ଜଣେ ସିଭିଲ ଇଞ୍ଜିନିୟର ଥିଲେ। ସିର୍ଦ୍ଧାର୍ଥ ଯେତେବେଳେ ମଡେଲିଂ କରୁଥିଲେ ସେହି ସମୟରେ ତାଙ୍କର ବାପାଙ୍କ ମୃତ୍ୟୁ ହୋଇଯାଇଥିଲା।ଫୁଟବଲରେ ଥିଲା ରୁଚି

ସିଦ୍ଧାର୍ଥ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରୁ ଇଣ୍ଟେରିଅର ଡିଜାଇନରେ ସ୍ନାତକ କରିଥିଲେ। କଲେଜ ପଢ଼ିବା ସମୟରେ ସିଦ୍ଧାର୍ଥ ଫୁଟବଲ ଓ ଟେନିସ ଖେଳିବାକୁ ଭଲ ପାଉଥିଲେ। ମୁମ୍ବାଇର ୧୯ ବର୍ଷରୁ କମ୍‌ ଫୁଟବଲ ଟିମ୍‌ରେ ମଧ୍ୟ ସେ ସାମିଲ ଥିଲେ। ଏହି ଟିମ୍‌ ପକ୍ଷରୁ ସେ ଅନେକ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ସେହିପରି ଅଭିନୟ ଦୁନିଆରେ ପାଦ ରଖିବା ପୂର୍ବରୁ ସିଦ୍ଧାର୍ଥ ଜଣେ ଇଣ୍ଟେରିଅର ଡିଜାଇନର ଭାବେ କିଛି ବର୍ଷ ମଧ୍ୟ କାମ କରିଥିଲେ।

ବେଷ୍ଟ ମଡେଲ୍‌ ଆଓ୍ୱାର୍ଡ ପାଇଥିଲେ ସିଦ୍ଧାର୍ଥ

୨୦୦୫ରେ ସିଦ୍ଧାର୍ଥ ‘ଓ୍ୱାର୍ଲ୍ଡ ବେଷ୍ଟ ମଡେଲ୍‌’ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ତୁର୍କୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେଇଥିବା ୪୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସିଦ୍ଧାର୍ଥ ବେଷ୍ଟ ମଡେଲ୍‌ ଭାବେ ପ୍ରଥମ ଆଓ୍ୱାର୍ଡ ପାଇଥିଲେ। ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ଥିଲେ ସିଦ୍ଧାର୍ଥ।

ସିଦ୍ଧାର୍ଥଙ୍କ ସିରିଏଲ ଯାତ୍ରା

ମଡେଲିଂ ପରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ସିଦ୍ଧାର୍ଥ। ୨୦୦୮ରେ ତାଙ୍କର ପ୍ରଥମ ସିରିଏଲ ‘ବାବୁଲ କା ଆଙ୍ଗନ୍‌ ଛୁଟେ ନା’ ଆସିଥିଲା। ଏଥିରେ କିନ୍ତୁ ତାଙ୍କୁ ଖାସ୍‌ ସଫଳତା ମିଳିନଥିଲା। ଏହାପରେ ‘ଅଜନବି’, ‘ଲଭ୍‌ ୟୁ ଜିନ୍ଦେଗୀ’, ‘ଜବ୍‌ ଓ୍ୱି ମିଟ୍‌’ରେ ତାଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ତାଙ୍କୁ ଷ୍ଟାର୍‌ ଡମ୍‌ କଲର୍ସରେ ପ୍ରସାରିତ ‘ବାଳିକା ବଧୁ’ ସିରିଏଲରୁ ମିଳିଥିଲା। ଏଥିରେ ସେ ଶିବ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଥିଲେ। ତାଙ୍କ ବିପକ୍ଷରେ ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ଅଭିନୟ କରିଥିଲେ। କିଛି ବର୍ଷ ପୂର୍ବେ ସେ ମଧ୍ୟ ଆତ୍ମହତ୍ୟା କରି ଦୁନିଆକୁ ଅଲବିଦା କହିଛନ୍ତି।

‘ବାଳିକା ବଧୁ’ରେ ଦମଦାର ଅଭିନୟ ପାଇଁ ସିଦ୍ଧାର୍ଥଙ୍କୁ ଆଓ୍ୱାର୍ଡ ମିଳିଥିଲା। ଏହାପରେ ସେ ରିଆଲିଟି ସୋ’ ‘ଝଲକ୍‌ ଦିଖ୍‌ଲେ ଆଜା’ ସିଜିନ ୬ରେ ଭାଗ ନେଇଥିଲେ।

୨୦୧୪ରେ ସିଦ୍ଧାର୍ଥ ବରୁଣ ଧଓ୍ୱନ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ହମ୍‌ଟି ଶର୍ମା କି ଦୁଲହନିଆଁ’ ରେ ସିଦ୍ଧାର୍ଥ ବଲିଉଡରେ ଡେବ୍ୟୁ କରିଥିଲେ।

ଅନେକ ସିରିଏଲରେ କାମ କରିଥିଲେ ବି ସିଦ୍ଧାର୍ଥଙ୍କୁ ବିଗ୍‌ ୧୩ରୁ ଅଦ୍ଭୁତପୂର୍ବ ସଫଳତା ମିଳିଥିଲା। ଏହି ସୋ’ରେ ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ପରେ ଦୁଇ ଜଣ କେତୋଟି ମ୍ୟୁଜିକ ଭିଡିଓରେ ବି କାମ କରିଥିଲେ। ଦର୍ଶକ ତାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ ବି କରିଥିଲେ।

ଡିଜିଟାଲରେ ଡେବ୍ୟୁ କରିଥିଲେ ସିଦ୍ଧାର୍ଥ

ନିକଟରେ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ସିଦ୍ଧାର୍ଥ ଡେବ୍ୟୁ କରିଥିଲେ। ଏକତା କପୁରଙ୍କ ଓ୍ୱେବ ସିରିଜ୍‌ ‘ବ୍ରୋକନ ବଟ୍‌ ବିୟୁଟିଫୁଲ-୩ରେ ନଜର ଆସିଥିଲେ ସେ। ଏହି ସିରିଜରେ ବି ତାଙ୍କ ଅଭିନୟକୁ ଲୋକ ପସନ୍ଦ କରିଥିଲେ।

Comment