ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶନୀ ସଂସ୍ଥା ‘ବିଜ୍ଞାପନ’ ପକ୍ଷରୁ ପ୍ରକାଶିତ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍- ୨୦୨୧’ ସୋମବାର ଉନ୍ମୋଚିତ ହୋଇଛି। ଭୁବନେଶ୍ଵରସ୍ଥିତ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି(ୟୁସିସିଆଇ) ପରିସରରେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଏହାକୁ ଉନ୍ମୋଚିତ କରାଯାଇଛି। ଏଥିରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଏବଂ ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ।ଉନ୍ମୋଚିତ ହୋଇଥିବା କ୍ୟାରିୟର ଗାଇଡ୍‌ରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାବିତ୍‌ମାନେ ବିଭିନ୍ନ ପ୍ରଫେସନାଲ ପାଠ୍ୟକ୍ରମରେ ଥିବା ନିଯୁକ୍ତି ସୁଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏତଦ୍‌ବ୍ୟତୀତ ଓଡ଼ିଶାରେ ଥିବା ଜାତୀୟସ୍ତରର ସରକାରୀ ଶିକ୍ଷାନୁଷ୍ଠାନ, ରାଜ୍ୟସ୍ତରୀୟ ସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ, ବିଭିନ୍ନ ପାଠ୍ୟକ୍ରମ ପାଇଁ ଅନୁବନ୍ଧନ ଦେଉଥିବା ଜାତୀୟ ଓ ରାଜ୍ୟସ୍ତରୀୟ ଅନୁଷ୍ଠାନ, ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନ ସମ୍ପର୍କିତ ସଂଗଠନ ଏବଂ ବିଭିନ୍ନ ପାଠ୍ୟକ୍ରମର ନାମଲେଖା ବିଜ୍ଞପ୍ତି ଇତ୍ୟାଦି ରହିଛି।“ସ୍କୁଲ ପଢ଼ା ପରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ସମସ୍ୟା ହୋଇଥାଏ କ୍ୟାରିୟର ବାଛିବା। କଣ ପଢ଼ିଲେ ଭଲ ହେବ, କେଉଁ କ୍ଷେତ୍ରକୁ ଗଲେ ଠିକ ହେବ। ଏହା ପିଲାମାନଙ୍କୁ ଜଣାଇବା ପାଇଁ ଉପଯୁକ୍ତ ମାର୍ଗଦର୍ଶକର ଆବଶ୍ୟକତା ରହିଥାଏ। ତେଣୁ ‘ବିଜ୍ଞାପନ୍ସ କ୍ୟାରିୟର ଗାଇଡ୍’ ପିଲାମାନଙ୍କୁ ଏହି କ୍ଷେତ୍ରରେ ସାହାଯ୍ୟ କରିପାରୁଛି। ‘ବିଜ୍ଞାପନ’ ଓଡ଼ିଶାର ପ୍ରଥମ ପ୍ରକାଶନ ଭାବରେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ଏପରି ଏକ ଭିନ୍ନ ଉଦ୍ୟମ କରି ଆସୁଥିବାରୁ ବିଜ୍ଞାପନ ପରିବାରକୁ ମୋର ସାଧୁବାଦ”, କହିଛନ୍ତି ପ୍ରଫେସର ସନ୍ତୋଷ ତ୍ରିପାଠୀ।

କାର୍ଯ୍ୟକ୍ରମରେ ବିଜ୍ଞାପନର ନିର୍ଦ୍ଦେଶକ ମନୋଜ ପୃଷ୍ଟି, କମଳାକାନ୍ତ ମହାନ୍ତି, ସଂପାଦକ ଦିଲୀପ ମିଶ୍ର, ଡିଜାଇନର ମଧୁସ୍ମିତା ପଳେଇ ପ୍ରମୁଖ ଉପସ୍ଥିତ ଥିଲେ।

‘କ୍ୟାରିୟର ଗାଇଡ୍’ ବ୍ୟତୀତ ବିଜ୍ଞାପନ ପକ୍ଷରୁ ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଏକ ଡାଇରେକ୍ଟୋରି ‘ଆମ ସମୟର ଶିଳ୍ପ’, ସ୍ଵାସ୍ଥ୍ୟକୁ ନେଇ ‘ହେଲ୍‌ଥଲାଇନ୍’, ରାଜନୀତି ଆଧାରରେ ‘ଓଡ଼ିଶା ରାଜନୀତି’ ଏବଂ ପର୍ଯ୍ୟଟନ ଉପରେ ‘ଫ୍ରାଗନାନ୍ସେସ ଅଫ୍ ଓଡ଼ିଶା’ ଆଦି ପୁସ୍ତକ ପ୍ରକାଶିତ ହୋଇଆସୁଛି। ବିଜ୍ଞାପନର ବରମୁଣ୍ଡାସ୍ଥିତ କାର୍ଯ୍ୟାଳୟରେ ଏହି ପୁସ୍ତକଗୁଡ଼ିକ ଉପଲବ୍ଧ ହେଉଛି।

Comment