ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଆଖି ବୁଜିଥିବା ଯୁବକ ଦୁଷ୍ମନ୍ତ ଦାସଙ୍କୁ ନେଇ ତେଜିଛି ରାଜନୀତି। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସ ଓ ବିଜେପି କର୍ମମାନେ ଶାସକ ଦଳକୁ ସମାଲୋଚନା କରିଛନ୍ତି। ଏଥିସହ ଦୁଷ୍ମନ୍ତଙ୍କ ସମ୍ପର୍କୀୟ, ଗ୍ରାମବାସୀ ଓ ବିଜେପି ପକ୍ଷରୁ କଟକ-ପାରାଦୀପ ମୁଖ୍ୟ ରାସ୍ତାକୁ ଅବରୋଧ କରାଯାଇଛି। ତେବେ ଏହି ଘଟଣାକୁ ନେଇ ବିରୋଧୀ ଏବଂ ଶାସକ ଦଳର ନେତାମାନେ ପରସ୍ପରକୁ ଦାୟୀ କରୁଛନ୍ତି।

ଦୁଷ୍ମନ୍ତ ଦାସ କିଏ?

ଜଗତସିଂପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ପଙ୍କପାଳ ପଞ୍ଚାୟତ ମନ୍ତ୍ରୀପାଟଣା ଗାଁର ଜଣେ ଯୁବକ ହେଉଛନ୍ତି ଦୁଷ୍ମନ୍ତ ଦାସ। ୨୦୨୦ ବର୍ଷ ମାର୍ଚ୍ଚ ୨୨ ତାରିଖରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ଼ରେ ଶକ୍ତ ଆଘାତ ଲାଗିଥିବାରୁ ଡାକ୍ତର ଅସ୍ତ୍ରୋପଚାର କରିଥିଲେ। କିଛି ଦିନ ସେଠାରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

ଘରକୁ ଆସିବାପରେ ଗୋଡ଼ରେ ଯନ୍ତ୍ରଣା ହେବାରୁ ଦୁଷ୍ମନ୍ତ ପୁଣିଥରେ ଡାକ୍ତରଖାନାକୁ ଯାଇଥିଲେ। କରୋନା ସମୟ ଚାଲିଥିବାରୁ ତାଙ୍କର ସଠିକ୍ ଚିକିତ୍ସା ହୋଇପାରିନଥିବା ମୃତ୍ୟୁ ପୂର୍ବରୁ କହିଥିଲେ ଦୁଷ୍ମନ୍ତ। ଏଥିସହ ସେ ଆଉ ମଧ୍ୟ କହିଥିଲେ ତାଙ୍କ ପାଖରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ଥିଲେ ମଧ୍ୟ ତା’ର କୌଣସି ଫାଇଦା ପାଇନଥିଲେ। ଶେଷରେ ବାଧ୍ୟ ହୋଇ ସ୍ଵାସ୍ଥ୍ୟ ସଚିବଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ। ସେଥିରେ ବି ଫେଲ ମାରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବକଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଚିଠି ଲେଖିଥିଲେ ହେଁ କେଉଁଠାରୁ କିଛି ସହଯୋଗ ନ ମିଳିବାରୁ ବୁଧବାର ବିଧାନସଭା ନିକଟରେ ବିଷ ପିଇ, ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଏହାପରେ ସେଠାରେ ଥିବା ପୋଲିସ କର୍ମୀମାନେ ଗୁରୁତର ଅବସ୍ଥାରେ ଦୁଷ୍ମନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଅତ୍ୟଧିକ ରକ୍ତସ୍ରାବ ଓ ବିଷ ପିଇଥିବା କାରଣରୁ ଡାକ୍ତରମାନେ ଦୁଷ୍ମନ୍ତଙ୍କୁ ବଞ୍ଚାଇ ପାରିନଥିଲେ।ବିଧାନସଭାରେ ଉଠିଲା ଦୁଷ୍ମନ୍ତ ମୃତ୍ୟୁ ଘଟଣା

ଗୁରୁବାର ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିବସରେ ବିରୋଧୀମାନେ ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ଘଟଣାକୁ ନେଇ ହୋ-ହାଲ୍ଲା କରିଥିଲେ। ଏଥିପାଇଁ ଗୃହକୁ ଦୁଇଥର ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ପ୍ରଥମେ ଦିନ ୧୧.୩୦  ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହୋଇଥିଲା।

ଶାସକ ଦଳକୁ ଦାୟୀ କଲା କଂଗ୍ରେସ

ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିଧାସଳଖ ଭାବେ ଶାସକ ଦଳକୁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ଦୁଷ୍ମନ୍ତ ବହୁବାର ଦୁଃଖ ଜଣାଇଛି। କିନ୍ତୁ ତା’ କଥା କେହି ଶୁଣିନାହାଁନ୍ତି। ତେଣୁ ସରକାର ପୁଙ୍ଖାନୁପୁଙ୍ଖ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।”

ବିଜେପିର ରାସ୍ତାରୋକ

ବିଧାନସଭାରେ ଦୁଷ୍ମନ୍ତ ମୃତ୍ୟୁ ପ୍ରସଙ୍ଗ ସମ୍ପର୍କରେ କୌଣସି ଆଲୋଚନା ନହୋଇଥିବାରୁ ବିଜେପି ନେତାମାନେ କଟକ-ପାରାଦୀପ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏଥିରେ ସାମିଲ ଥିଲେ ମୃତ ଯୁବକଙ୍କ ସମ୍ପର୍କୀୟ, ଗ୍ରାମବାସୀ। ସେମାନଙ୍କର ଦାବି ରହିଥିଲା, ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ୨୦ଲକ୍ଷ ଟଙ୍କା ସହାୟତା ସହିତ ଚାକିରି ଯୋଗାଇ ଦିଆଯାଉ।ଦୁଷ୍ମନ୍ତ ମୃତ ଘଟଣାର ହେବ ବିଭାଗୀୟ ତଦନ୍ତ

ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଆଖି ବୁଜିଥିବା ଦୁଷ୍ମନ୍ତଙ୍କ ମୃତ୍ୟୁର ହେବ ବିଭାଗୀୟ ତଦନ୍ତ। ଏନେଇ ସୂଚନା ଦେଇଛନ୍ତି ଏସସିବି ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା।

ସେ ଆଉ ମଧ୍ୟ କହିଛନ୍ତି, “ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ନେଇ ଯେଉଁ ଅଭିଯୋଗ ଆସୁଛି ତାହାକୁ ଆମେ ଖଣ୍ଡନ କରୁଛୁ। ତାଙ୍କୁ ଏକ ଡାକ୍ତରୀ ଟିମ୍ ଭଲ ଚିକିତ୍ସା ଯୋଗାଇଥିଲେ। ତାଙ୍କ ଗୋଡ଼ରେ ଲାଗିଥିବା ଆଘାତ ଭଲ ହେବା ପାଇଁ ଦୀର୍ଘ ସମୟ ଲାଗିଥାନ୍ତା। କିନ୍ତୁ ସେ ଅଧୈର୍ଯ୍ୟ ହୋଇ ଏମ୍ସ ଯିବାକୁ କହିବାରୁ, ଆମେ ବାଧ୍ୟ ହୋଇ ରେଫର କରିଥିଲୁ। ବୁଧବାର ସେ ଗୁରୁତର ଅବସ୍ଥାରେ ପୁଣିଥରେ ଆସିଥିଲେ। ସମସ୍ତ ଚେଷ୍ଟା ସତ୍ତ୍ଵେ ବଞ୍ଚାଇ ପାରିଲୁନାହିଁ।”

ରାତି ଅଧରେ ଶବ ବ୍ୟବଚ୍ଛେଦ ଘଟଣାକୁ ନେଇ ସେ ପୁଣି କହିଛନ୍ତି, “ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଶବ ବ୍ୟବଚ୍ଛେଦ କରାଯାଇଛି। କିନ୍ତୁ କାହିଁକି ସେ ଏଭଳି ନିର୍ଦ୍ଦେଶ ଦେଲେ ତାହା ମୁଁ କହିପାରିବି ନାହିଁ।”

LEAVE A REPLY

Please enter your comment!
Please enter your name here