ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୁପାଣୀ। ଶନିବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ତେବେ ୨୦୨୨ରେ ହେବାକୁ ଥିବା ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବର ବିଜୟ ରୁପାଣୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସେ ୨୦୧୬ ଅଗଷ୍ଟ ୭ ତାରିଖରେ ପ୍ରଥମଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ। ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ପୁଣିଥରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହେଲେ ବିଜୟ ରୁପାଣୀ। ଆଜକୁ ସେ ଦୀର୍ଘ ୫ବର୍ଷ ହେବ ଏହି ପଦରେ ରହିଥିଲେ।

ଇସ୍ତଫା ଦେବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ରୁପାଣୀ କହିଛନ୍ତି, “ମୁଖ୍ୟମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାହା ଦଳ ପକ୍ଷରୁ ନିଷ୍ପତ୍ତି ନିଆଯିବ। ମୋତେ ଦଳ ଯେଉଁ ଦାୟିତ୍ଵ ଦେବ, ତାହା ମୁଁ ତୁଲାଇବି।”

କର୍ଣ୍ଣାଟକ, ଉତ୍ତରାଖଣ୍ଡ ଏବଂ ଏବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ମଧ୍ୟ ରାଜନୀତିକ ମହଲରେ ଆଲୋଚନା ଚାଲିଛି। ତେବେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା, ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ, କେନ୍ଦ୍ର ମନ୍ତ୍ରୀ ପର୍ଷୋତ୍ତମ ରୁପାଲାଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ଵ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।

Comment