ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗ ରାଜନୀତିରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। କିଛି ଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବଲିଉଡ ଗାୟକ ବାବୁଲ ସୁପ୍ରିୟୋ ଶନିବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟିଏମସି ସାଂସଦ ଅଭିଷେକ ବାନାର୍ଜୀ ଓ ଡେରେକ ଓବ୍ରାୟନଙ୍କ ଉପସ୍ଥିତିରେ ସେ ଟିଏମସିରେ ସାମିଲ ହୋଇଛନ୍ତି।

ରାଜନୀତିରୁ ସନ୍ନ୍ୟାସ ନେଲେ ବୋଲି ଜୁଲାଇ ୩୧ରେ ନିଜ ଫେସବୁକ୍ ପେଜରେ ଏକ ଲମ୍ବା ପୋଷ୍ଟ କରି ସୂଚନା ଦେଇଥିଲେ ବାବୁଲ ସୁପ୍ରିୟୋ।

ବାବୁଲ ନିଜର ସୋସିଆଲ ମିଡିଆରେ ରାଜନୀତିକୁ ନେଇ ଲେଖିଥିଲେ, “ରାଜନୀତି ଛାଡୁଛି କିନ୍ତୁ ଅନ୍ୟ କୌଣସି ଦଳରେ ଯୋଗ ଦେବି ନାହିଁ। ମୁଁ ସବୁବେଳେ ବିଜେପିର ଅଂଶ ରହିବି। ସମାଜ ସେବା ପାଇଁ ରାଜନୀତିରେ ରହିବା ଜରୁରୀ ନୁହେଁ।”

ବାବୁଲ ଏହି ପୋଷ୍ଟ ମାଧ୍ୟମରେ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି କହିଥିଲେ ମଧ୍ୟ ଏବେ ଟିଏମସିରେ ଯୋଗ ଦେବା ଫଳରେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଉଠିଛି। ସୂଚନା ଥାଉକି, ପଶ୍ଚିମବଙ୍ଗର ଆସନସୋଲରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ବାବୁଲ ସୁପ୍ରିୟୋ। ଚଳିତ ବର୍ଷ ସେ ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ନିର୍ବାଚନ ଲଢିଥିଲେ, କିନ୍ତୁ ତାଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା।

Comment