ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଏଭଳି ସମୟରେ ଅନୁଷ୍ଠିତ ହେବାକୁ ଯାଉଛି, ଯେତେବେଳେ କି ବିଶ୍ୱର ପରିସ୍ଥିତି ଗମ୍ଭୀର ରହିଛି। ଶୁକ୍ରବାର ଆମେରିକାର ହ୍ୱାଇଟହାଉସରେ ବୈଠକ ବସିବ। ଏଥିପାଇଁ ମୋଦୀ ବୁଧବାର ଆମେରିକା ଗସ୍ତରେ ବାହାରିଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ସୃଷ୍ଟି ହୋଇଥିବା ସୁ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ମୁଖ୍ୟତଃ ଏପରି ଦ୍ୱିପାକ୍ଷିକ ବୈଠକ ଆୟୋଜନ କରାଯାଇଛି ବୋଲି ସୂଚନା ରହିଛି।

ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ମଧ୍ୟ ମୋଦୀଙ୍କୁ ସାକ୍ଷାତ କରିବେ। ମୋଦୀ ଓ କମଳାଙ୍କ ମଧ୍ୟରେ ଗୁରୁବାର ଦିନ ଏକ ବୈଠକ ଅନୁଷ୍ଠିତ ହେବ। ସୂଚନା ଥାଉକି, ବାଇଡେନ-ହ୍ୟାରିସ ପ୍ରଶାସନ ଭାରତ ସହ ଘନିଷ୍ଠ ହୋଇ କାର୍ଯ୍ୟ କରିଛନ୍ତି। ଇଣ୍ଡୋ-ଫ୍ୟାସିଫିକ ପ୍ରସଙ୍ଗ ହେଉ କିମ୍ବା ମହାମାରୀ କରୋନାର ମୂଳପୋଛ ଦିଗରେ ଉଭୟ ଦେଶ ପରସ୍ପର ବୁଝାମଣା ଭିତରେ କାର୍ଯ୍ୟ କରି ଆସିଛନ୍ତି। ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ମଧ୍ୟ ଭାରତ ଓ ଆମେରିକା ସବୁବେଳେ ଗୁରୁତ୍ୱ ଦେଇ ଆସିଛି। ଏହି ଧାରାକୁ ଆଗକୁ ନେବା ପାଇଁ ପ୍ରଥମଥର ପାଇଁ ରାଷ୍ଟ୍ରପତି ବାଇଡେନ ହ୍ୱାଇଟହାଉସରେ ଦ୍ୱିପାକ୍ଷିକ ବୈଠକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କରିବାକୁ ଯାଉଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ମୋଦୀ ୨୦୧୯ରେ ଶେଷଥର ପାଇଁ ଆମେରିକା ଗସ୍ତ କରିଥିଲେ। ଏହି ସମୟରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ସେ ହାୱଡି ମୋଦୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ। ଚଳିତ ଥର ଆମେରିକା ପକ୍ଷରୁ ଆୟୋଜିତ କ୍ୱାଡ ବୈଠକରେ ମୁଖ୍ୟତଃ ମୋଦୀ ଯୋଗଦେବେ। ତାଙ୍କ ବ୍ୟତୀତ ଏହି ବୈଠକରେ ଜାପାନର ପ୍ରଧାନମନ୍ତ୍ରୀ ୟୋଶିଡିଡେ ସୁଗା ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ସାମିଲ ହେବାର ଯୋଜନା ରହିଛି। ବିଶ୍ୱର ଦୁଇ ପ୍ରମୁଖ ଗଣତାନ୍ତ୍ରିକ ଦେଶର ନେତାଙ୍କ ଏହି ଭେଟଘାଟ ଉପରେ ରହିଛି ସାରା ବିଶ୍ୱର ନଜର।

କାବୁଲକୁ ତାଲିବାନ କବ୍ଜା କରିବା ପରେ ଆମେରିକାର ସ୍ଥିତି ବଦଳିଛି। କାରଣ ତାଲିବାନକୁ ଚାଇନା ସମର୍ଥନ କରିବାରୁ ଆମେରିକାକୁ ଝଟ୍କା ଲାଗିଛି। ତେଣୁ ଆମେରିକା ଏବେ ଭାରତକୁ ସାଙ୍ଗରେ ନେଇ ଆଗକୁ ବଢିବାକୁ ଚିନ୍ତା କରୁଛି ବୋଲି ଚର୍ଚ୍ଚା ହେଉଛି। ଭାରତ ମଧ୍ୟ ଚାଇନାର ଅନେକ ନିଷ୍ପତ୍ତି ପାଇଁ ଘାଟାରେ ଥିବାରୁ ଆମେରିକା ସହିତ ହାତ ମିଳାଇବାକୁ ଚିନ୍ତା କରୁଛି। ମୋଦୀ ଓ ବାଇଡେନଙ୍କ ଭେଟ ବେଳେ ଅନେକ କିଛି ପ୍ରସଙ୍ଗରେ ଆଲୋଚନା ହୋଇପାରେ, ଯେଉଁଥିରେ ଆତଙ୍କବାଦ, ବୈଷୟିକ ଅର୍ଥନୀତି ଏବଂ ଅନ୍ତର୍ଜାତୀୟ ସୁରକ୍ଷା ପ୍ରମୁଖ ରହିଛି। ଏଥିସହ ଅନ୍ତର୍ଜାତୀୟ ଅର୍ଥନୀତିରେ ଚାଇନାରୁ ଦବଦବIକୁ ହ୍ରାସ କରିବାକୁ  ମଧ୍ୟ ହୋଇପାରେ ଆଲୋଚନା। ପାକିସ୍ତାନ ଓ ଆତଙ୍କବାଦକୁ ନେଇ ଆମେରିକା ପାଖରେ  ଭାରତ ମଧ୍ୟ  ଅଭିଯୋଗ କରିପାରେI ସେହିପରି ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସୀମା ସୁରକ୍ଷାକୁ ନେଇ ବଡ ଚୁକ୍ତି ଏବଂ ସାରା ବିଶ୍ୱରେ ଟିକା ପହଞ୍ଚାଇବା ପାଇଁ  ଦୁଇ ଦେଶ ମଧ୍ୟରେ କିଛି   ଆଲୋଚନା ହୋଇପାରେ ବୋଲି କୁହାଯାଉଛି।

Comment