ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ଏନେଇ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି। ସେ ବୁଧବାର ନଖରାସ୍ଥିତ ଘରକୁ ଫେରୁଥିବା ସମୟରେ ତାଙ୍କଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା। ଏହି ଟଙ୍କା କୁଆଡ଼ୁ ଆସିଲା, ସେନେଇ ଭିଜିଲାନ୍ସ ପ୍ରଶ୍ନ କରିବାକୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ ଅଧିକ ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ। ସେହି ଘଟଣାରେ ଆଜି ତାଙ୍କୁ ଗିରଫ କରାଯାଇଛି।

ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ବୁଧବାର ଦିନ ଏକ କାର ଯୋଗେ ମୋଟୁରୁ କଟକସ୍ଥିତ ଫୁଲନଖରା ଘରକୁ ଫେରୁଥିଲେ। ଫେରିବା ସମୟରେ କୌଣସି ସୂତ୍ରରୁ ଭିଜିଲାନ୍ସ ଖବର ପାଇ ତାଙ୍କୁ ଖୋର୍ଦ୍ଧାଠାରେ ଅଟକାଇ କାର୍ ଭିତରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଥିଲା। ଏତେ ଗୁଡ଼ାଏ ଟଙ୍କା କୁଆଡ଼ୁ ଆସିଲା ପଚାରିବାରୁ ଆଇଆଇସି ସୁଶାନ୍ତ ସାହୁ କୌଣସି ସଠିକ୍ ଉତ୍ତର ଦେଇ ପାରିନଥିଲେ। ଏହାପରେ ଭିଜିଲାନ୍ସ ସନ୍ଦେହ କରି ନଖରା ସ୍ଥିତ ବାସଭବନ ସମେତ କଟକସ୍ଥିତ ଶ୍ଵଶୁର ଘରେ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ଏକ ସେଲ ଡିଡ୍ ପଡ଼ିଥିଲା। ଯାହାର ମୂଲ୍ୟ ୨୪ ଲକ୍ଷ ୯୦ ହଜାର ଟଙ୍କା ରହିଥିଲା। ଏହି ଟଙ୍କାକୁ ବ୍ୟବହାର କରି କିଛି ଦିନ ପୂର୍ବରୁ ଆଇଆଇସି ନଖରାଠାରେ ନିଜ ସ୍ତ୍ରୀଙ୍କ ନାଁରେ ଏକ ପ୍ଲଟ କିଣିଥିଲେ। ଏହି ଆଧାରରେ ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇ ଭୁବନେଶ୍ଵରର ସ୍ପେଶାଲ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

ସୂଚନା ଥାଉକି ବୁଧବାର ଦିନ ମୋଟୁସ୍ଥିତ ସରକାରୀ ବାସଭବନ ସହ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇ ଗାଡ଼ି କାଗଜପତ୍ର, ମୋବାଇଲ, ସୁନା ଗହଣା, ୫ଟି ଏଟିଏମ୍, ଲାପଟପ୍ ଇତ୍ୟାଦି ଜବତ କରାଯାଇଥିଲା। ଏଥିରେ ସାମିଲ ଥିଲେ ଭୁବନେଶ୍ଵର ଭିଜିଲାନ୍ସ ଅତିରିକ୍ତ ଏସପି ଅକ୍ଷୟ କୁମାର ମିଶ୍ର, ଆଇଆଇସି ମନୋରଞ୍ଜନ ପାଇକରାୟ, ସରିତା ତ୍ରିପାଠୀ, ଏସଆଇ ସନ୍ତୋଷ କୁମାର ସାହୁ ପ୍ରମୁଖ।

Comment