ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ମାନିକେ ମାଗେ ହିତେ’। ଓଡ଼ିଆ କି ହିନ୍ଦୀ ନୁହେଁ ଏହା ଏକ ସିଂହଳ ଭାଷାରେ ପ୍ରସ୍ତୁତ ହୋଇଥିବା ଗୀତ। ଗୀତଟି ବୁଝା ପଡ଼ୁନଥିଲେ ବି ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସମସ୍ତେ ଏହି ଗୀତକୁ ଗୁଣୁ ଗୁଣୁ ହେଉଥିଲା ବେଳେ ଏ ଗୀତକୁ ଯିଏ ଗାଇଛନ୍ତି ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି।

ଏହି ଗୀତଟିକୁ ଗାଇଛନ୍ତି ଶ୍ରୀଲଙ୍କାର ଜଣେ ଜଣାଶୁଣା ଗାୟକ ୟୋହାନି ଦିଲୋକା ଦେ ସିଲଭା। ୟୋହାନି ନାଁରେ ସେ ବେଶ୍‌ ପରିଚିତ। ୟୋହାନି ଏକାଧାରରେ ଜଣେ ଗାୟକ, ସଙ୍ଗୀତ ଲେଖକ, ରାପର୍‌ ଓ ପ୍ରଯୋଜକ। ସେ ପୂର୍ବରୁ ଅନେକ ଗୀତ ଗାଇ ଶ୍ରୀଲଙ୍କାରେ ପ୍ରଶଂସା ସାଉଣ୍ଟିଛନ୍ତି। ଏବେ ତାଙ୍କର ଏହି ନୂଆ ଗୀତ ଭାରତରେ ତାଙ୍କୁ ଲୋକପ୍ରିୟ କରାଇ ଦେଇଛି। ଏମିତିକି ବଲିଉଡର ମହାନାୟକ ଅମିତାଭ ବଚ୍ଚନ ୟୋହାନିଙ୍କ ପ୍ରଶଂସା କରିଛନ୍ତି।

ମାତ୍ର ୩ ମାସରେ ୟୋହାନିଙ୍କ ଗୀତ ୧୦୦ ମିଲିୟନ ଭିୟୁ ଅତିକ୍ରମ କରି ସାରିଲାଣି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟିଙ୍କ ହୃଦୟକୁ ମଧ୍ୟ  ଗୀତଟି ବେଶ ଛୁଇଁ ଯାଇଛି। ଫଳରେ ରାତାରାତି ସୋସିଆଲ ମିଡିଆ ସେନସେସନ ପାଲଟିଛନ୍ତି  ୟୋହାନି।

୧୯୯୩ ମସିହାରେ ଶ୍ରୀଲଙ୍କାର କଲୋମ୍ବୋଠାରେ ଜନ୍ମ ହୋଇଥିଲେ ୟୋହାନି। ୟୋହାନିଙ୍କ ବାପା ଜଣେ ଆର୍ମି ଅଫିସର ହୋଇଥିବା ବେଳେ ତାଙ୍କ ମା’ ଶ୍ରୀଲଙ୍କାର ବାୟୁସେନାରେ କାର୍ଯ୍ୟ କରୁଛନ୍ତି।

ପିଲାବେଳୁ ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଛି । ଗୀତ ଗାଇବା ସହିତ ପିଆନୋ ଓ ଗିଟାର ମଧ୍ୟ ବଜାଇ ପାରନ୍ତି।

Comment