ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାରେ ୟୁପି ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ହିଂସା ମାମଲାର ଅଭିଯୁକ୍ତ କିଏ? କାହା କାହା ବିରୋଧରେ ମାମଲା ହୋଇଛି? ଏବଂ କାହାକୁ ଗିରଫ କରାଯାଇଛି କି ନାହିଁ ସେ ବାବଦରେ କାଲି ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ୟୁପି ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌ଭି ରମନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।ୟୁପି ସରକାର ରିପୋର୍ଟ ଦେବା ପରେ ତାହାକୁ ଆଧାର କରି ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।

ରବିବାର ଉତ୍ତରପ୍ରଦେଶର ଲଖିମପୁର ଖେରିଠାରେ ଚାଷୀମାନେ କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ହଠାତ୍ ଏକ ଗାଡ଼ି ମାଡ଼ି ଯାଇଥିଲା। ଏଥିରେ ୪ ଜଣ ଚାଷୀ ପ୍ରାଣ ହରାଇଥିଲେ। ଏହାପରେ ଚାଷୀଙ୍କ ମୃତ୍ୟୁକୁ ନେଇ ସେଠାରେ ହିଂସାକାଣ୍ଡ ଘଟି ଆଉ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ ୩ ଜଣ ବିଜେପି ସମର୍ଥକ ଥିବା ବେଳେ ଜଣେ ସାମ୍ଵାଦିକ ଥିଲେ।ଏହି ହିଂସାକୁ ନେଇ ଏବେ ସାରା ଦେଶରେ ତମ୍ଭିତୋଫାନ ଲାଗି ରହିଛି। କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଗାଡ଼ି ମାଡ଼ିଯାଇ ଏହି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଘଟଣା ବେଳେ ଆଶିଷ ଗାଡ଼ି ଡ୍ରାଇଭ୍ କରୁଥିବା ଚାଷୀମାନେ କହିଛନ୍ତି। ତେବେ ଏ ବାବଦରେ କୌଣସି ସ୍ପଷ୍ଟୀକରଣ ମିଳି ନଥିବା ବେଳେ ବିରୋଧୀମାନେ ମନ୍ତ୍ରୀଙ୍କ ଇସ୍ତଫା ସହ ଆଶିଷ ମିଶ୍ରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

Comment