ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଣ୍ଡଳି ଦନ୍ତା ହାତୀ ମୃତ୍ୟୁ ଘଟଣାର ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। କାର୍ଡିଆକ୍ ସକ୍ ବା ହୃଦ୍‌ଘାତ କାରଣରୁ ଦନ୍ତା‌ ହାତୀର ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି। ଭୁବନେଶ୍ଵରର ଓୟୁଏଟି ପାଥୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସୁଶେନ ପଣ୍ଡା ଏନେଇ ସୂଚନା ଦେଇଛନ୍ତି।

“ମୁଣ୍ଡଳି ବ୍ୟାରେଜ୍ ତଳେ ଦୀର୍ଘ ସମୟ ପାଣିରେ ରହିବା ଯୋଗୁଁ ଦନ୍ତା ହାତୀକୁ କାର୍ଡିଆକ୍ ସକ୍ ହୋଇଥିଲା। ପାଣିରେ ବୁଡ଼ି ହାତୀର ମୃତ୍ୟୁ ହୋଇନି। ମୃତ୍ୟୁ ପରେ ହାତୀଟି ପାଣିରେ ବୁଡ଼ିଯାଇଥିଲା”, କହିଛନ୍ତି ଡାକ୍ତର ସୁଶେନ ପଣ୍ଡା।ମହାନଦୀର ମୁଣ୍ଡଳି ବ୍ୟାରେଜରେ ଗତ ସେପ୍ଟେମ୍ବର ୨୪ ତାରିଖରେ ଏକ ଅଘଟଣ ଘଟିଥିଲା। ଏକ ଦନ୍ତା ହାତୀ ବ୍ୟାରେଜ୍ ତଳେ ଫଶି ରହିଥିଲା। ଅନେକ ପ୍ରୟାସ ପରେ ହାତୀକୁ ଉଦ୍ଧାର କରାଯାଇପାରି ନଥିଲା। ପ୍ରଖର ପାଣି ସୁଅରେ ହାତୀଟି ଭାସି ଯାଇଥିଲା। ଘଟଣାର ଦୁଇ ଦିନ ପରେ ଅର୍ଥାତ୍ ୨୬ ତାରିଖରେ ଦନ୍ତାର ମୃତଦେହ ଯୋବ୍ରା ଆନିକଟ ନିକଟରେ ଠାବ କରାଯାଇଥିଲା।

ଏହାପରେ ୨୮ରେ ହାତୀର ମୃତଦେହର ବ୍ୟବ‌ଚ୍ଛେଦ କରାଯାଇଥିଲା। ଏଥିରୁ ଜଣା ପଡ଼ିଥିଲା ଯେ ବ୍ୟବଚ୍ଛେଦର ୩ ଦିନ ଅର୍ଥାତ ୭୨ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁର କାରଣ ହୃଦ୍‌ଘାତ। ଏନେଇ ସାଲେପୁର ବ୍ଲକ୍‌ ପଶୁସମ୍ପଦ ଅଧିକାରୀ ଦୀପକ ସେନାପତି ବନବିଭାଗକୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି।

Comment