ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଜା ବିକ୍ରମଦେବ ନିଜ ରାଜଧାନୀ ଜୟପୁରକୁ ଆଣିବା ପରେ ସେଠାରେ ପ୍ରତିଷ୍ଠା ପାଇଲେ ଦେବୀ କନକଦୁର୍ଗା। ସେବେଠାରୁ ଦେବୀଙ୍କ ଆରାଧନା ସହ ଜୟପୁରରେ ପାଳିତ ହୋଇ ଆସୁଛି ଶାରଦୀୟ ଦଶହରା। ଶସ୍ତ୍ରପୂଜା ହେଉଛି। ଶହଶହ ଲାଠିଦେବୀଙ୍କ ପଟୁଆର ବୁଲୁଛି।

କୋରାପୁଟ ଜିଲ୍ଲା ଜୟପୁର ଦଶହରାକୁ ଏକଦା ପ୍ରସିଦ୍ଧ ମହୀଶୁର ଦଶହରା ସହ ତୁଳନା କରାଯାଉଥିଲା। ମହୀଶୁର ଭଳି ଜୟପୁରରେ ମଧ୍ୟ ୧୬ ଦିନ ବ୍ୟାପୀ ଏହି ଉତ୍ସବ ପାଳନ କରାଯାଏ। ରାଜରାଜୁଡ଼ା ଅମଳରୁ ଅଧିଷ୍ଠାତ୍ରୀ ମା’ ଭଗବତୀ ଓ ଦକ୍ଷିଣ କାଳିକା ମନ୍ଦିରରେ ଷୋଡ଼ଶ ପୂଜା ଚାଲିଆସୁଛି।

ଜୟପୁର ଦଶହରା ପଛରେ କିମ୍ବଦନ୍ତୀ

କଥିତ ଅଛି ଯେ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ସମୟରେ ଜୟପୁର ରାଜ୍ୟର ସୂର୍ଯ୍ୟ ବଂଶୀ ରାଜା ବିଜୟ ଚନ୍ଦ୍ରାକ୍ଷ ଦେବ ତାଙ୍କୁ ସାହାଯ୍ୟ କରିଥିଲେ।  ବିଜୟ ପରେ ଗଜପତି ରାଜା କାଞ୍ଚିରୁ ଆଣିଥିବା କନକଦୁର୍ଗାଙ୍କ ମୂର୍ତ୍ତିକୁ ଭେଟି ଭାବେ ଜୟପୁର ରାଜାଙ୍କୁ ପ୍ରଦାନ କରିଥିଲେ। ପରେ କନକଦୁର୍ଗା ଜୟପୁର ରାଜବଂଶର ଇଷ୍ଟଦେବୀ ଭାବେ ପୂଜା ପାଇଲେ।

ଦଶହରା ଅନ୍ନଭୋଗ ପାଇଁ ନୂଆଧାନର ଚାଉଳ ଦେଉଥିଲେ ଆଦିବାସୀ ପରିବାର

ସେତେବେଳେ ଜୟପୁର ରାଜ୍ୟର ରାଜଧାନୀ ଥିଲା ନନ୍ଦପୁର। ରାଜା ବିଜୟ ଚନ୍ଦ୍ରାକ୍ଷ ଦେବ ନନ୍ଦପୁର ନିକଟସ୍ଥ କୁନ୍ତୀମାଳା ପର୍ବତ ନିକଟରେ ଦେବୀଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଥିଲେ। ସେଠାରେ ଦଶହରା ଉତ୍ସବ ପାଳନ ବେଳେ ଦେବୀଙ୍କ ପାଖରେ ଅନ୍ନଭୋଗ ଲାଗି ହେଉଥିଲା। ନନ୍ଦପୁର ନିକଟସ୍ଥ ଦାରିଙ୍ଗିବା ଗ୍ରାମର ପରଜା ସମ୍ପ୍ରଦାୟର ଶିଶା ପରିବାର ଏହି ଅନ୍ନଭୋଗ ପାଇଁ ନୂଆଧାନର ଚାଉଳ ଯୋଗାଇ ଦେଉଥିଲେ। ୧୭୫୮ ଖ୍ରୀଷ୍ଟାଦ୍ଦରେ ବିକ୍ରମଦେବ-୧ ନନ୍ଦପୁରରୁ ଜୟପୁରକୁ ରାଜଧାନୀ ଉଠାଇ ଆଣିଲେ। ଏଥିସହ ଜୟପୁର ରାଜପ୍ରସାଦର ଉତ୍ତର ପଶ୍ଚିମ କୋଣରେ ମନ୍ଦିର ନିର୍ମାଣ କରି ଦେବୀ କନକଦୁର୍ଗାଙ୍କୁ ପ୍ରତିଷ୍ଠା କରାଗଲା। ଏହି ସ୍ମୃତିର ପ୍ରତୀକ ଭାବେ ଦଶହରା ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିଲା । ସେବେଠାରୁ ଏଠାରେ ଦଶହରା ୧୬ ଦିନ ବ୍ୟାପୀ ପାଳିତ ହୋଇଆସୁଛି। ରାଜାଙ୍କ ନଅର ଦଶହରାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟୁଥିଲା।

ରୁପା ବିମାନରେ ସହର ବୁଲୁଥିଲେ ଦେବୀ, ପୂଜା ହେଉଥିଲା ଶସ୍ତ୍ର

ଦଶହରା ନବରାତ୍ର ଉତ୍ସବ ସମୟରେ ଅମାବାସ୍ୟାରୁ ନଅଦିନ ବ୍ୟାପୀ ରାଜପ୍ରସାଦ ସମ୍ମୁଖରେ ଦେବୀ କନକଦୁର୍ଗାଙ୍କ ବିଜୟ ଧ୍ୱଜା ପ୍ରତିଷ୍ଠା କରାଯାଉଥିଲା। ଏହା ଯୁଦ୍ଧରେ ବିଜୟର ପ୍ରତୀକ ଥିଲା। ତେଣୁ ଦଶହରାରେ ୯ ଦିନ ଧରି ଦେବୀ କନକଦୁର୍ଗାଙ୍କୁ ରୁପା ନିର୍ମିତ ବିମାନରେ ବସାଇ ରାଜାବାଦ୍ୟ ସହ ଘୋଡ଼ା ହାତୀ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଉଥିଲା। ସେହିପରି ରାଜାଙ୍କ ଅସ୍ତ୍ରାଗାରର ସମସ୍ତ ଅସ୍ତ୍ରଶସ୍ତ୍ର ପୂଜା କରାଯାଇ ସେଗୁଡ଼ିକୁ ଦକ୍ଷ ସୈନିକମାନେ ନେଇ ପ୍ୟାରେଡ ପ୍ରଦର୍ଶନ କରୁଥିଲେ। ମହାଷ୍ଟମୀ ଦିନ  ରାଜପ୍ରାସାଦ ପରିସରରେ କନକଦୁର୍ଗା ମନ୍ଦିରରେ ମଇଁଷି ବଳି ଦିଆଯାଉଥିଲା। ବିଜୟା ଦଶମୀରେ ରାଜା ଏକ ବିରାଟ ପଟୁଆରରେ ନିଜର ପାରିଷଦ ବର୍ଗଙ୍କ ସହ ଦଶହରା ପଡ଼ିଆକୁ ଉତ୍ସବ ଦେଖିବାକୁ ଯାଉଥିଲେ। ସେଠାରେ ଅପରାଜିତା ପୂଜା ହେଉଥିଲା।

ଜୟପୁର ଦଶହରାର ମୁଖ୍ୟ ଆକର୍ଷଣ ଲାଠିପୂଜା

ପ୍ରସିଦ୍ଧ ଜୟପୁର ଦଶହରାର ଅନ୍ୟତମ ଆକର୍ଷଣ ହେଉଛି ଲାଠିପୂଜା। କୋରାପୁଟ ଜିଲ୍ଲାରେ ବାସ କରୁଥିବା ଭୂମିଆ, ଗାଦବା, ପରଜା, ସଉରା, ଭତ୍ରା, ଦୁରୁଆ, କନ୍ଧ ଭଳି ସମ୍ପ୍ରଦାୟର ଲୋକୋ ପୂଜା କରୁଥିବା ଗ୍ରାମ ଦେବୀଙ୍କ  ପ୍ରତୀକସ୍ୱରୂପ ଲାଠିକୁ ଶୋଭାଯାତ୍ରାରେ ଜୟପୁରର ଦଶହରା ପଡ଼ିଆକୁ ନେଇ ଆସନ୍ତି। ବିଭିନ୍ନ ବାଦ୍ୟ ଓ ଆଦିବାସୀ ନୃତ୍ୟରେ ଦଶହରା ପଡ଼ିଆ ପ୍ରକମ୍ପିତ ହୋଇଉଠେ। ଏହି ନିଆରା ପରମ୍ପରା ରାଜରାଜୁଡ଼ା ଅମଳରୁ ପ୍ରଚଳିତ ହୋଇଆସୁଛି।

ଆଦିବାସୀ ସମ୍ପ୍ରଦାୟର ଲୋକେ ଉମରକୋଟ, ଜାମୁଣ୍ଡ, ଲକ୍ଷ୍ମୀପୁର, ପୋଡ଼ାଗଡ଼ ଭଳି ଶତାଧିକ ଗ୍ରାମ ଦେବୀଙ୍କ ଲାଠି ଧରି ଜୟପୁର ଦଶହରାରେ ସାମିଲ ହୁଅନ୍ତି। ସମସ୍ତ ଲାଠିଧାରୀ ଜୟପୁର ଆସି ଅଧିଷ୍ଠାତ୍ରୀ ମା’ ଭଗବତୀଙ୍କ ମନ୍ଦିରରେ ଜମା ହେଉଥିଲେ। ସେଠାରୁ ଏକ ବିରାଟ ପଟୁଆର ଦଶହରା ପଡ଼ିଆକୁ ଯାଉଥିଲା। ଏହି ଲାଠି ନିକଟରେ ମାନସିକଧାରୀ ବିଭିନ୍ନ ବଳି ଦେଉଥିଲେ। ଆଦିବାସୀମାନେ ଜାମୁଣ୍ଡାରୁ ଭୈରବଙ୍କୁ ଜୟପୁର ଭଗବତୀ ମନ୍ଦିରକୁ ଆଣୁଥିଲେ। ସେମାନଙ୍କ ବିଶ୍ୱାସ ଥିଲା ଯେ ଭୈରବ ଓ ଭଗବତୀ ଉଭୟେ ସ୍ୱାମୀ ଓ ସ୍ତ୍ରୀ ଅଟନ୍ତି। ସେମାନେ ଦଶହରା ରାତିରେ ପରସ୍ପରକୁ ଭେଟନ୍ତି।

୧୯୫୦ରେ ଜୟପୁର ସହରରେ ଆରମ୍ଭ ହେଲା ସାର୍ବଜନୀନ ଦୁର୍ଗାପୂଜା

ରାଜାରାଜୁଡ଼ା ଅମଳରୁ ଜୟପୁରରେ ଦଶହରା ପାଳନ କରାଯାଉ ଥିଲେ ହେଁ ୧୯୫୦ ମସିହାରୁ ଏହି ଉତ୍ସବ ସାର୍ବଜନୀନ ପୂଜା ଭାବେ ପାଳିତ ହୋଇଆସୁଛି। ପ୍ରଥମେ ଜୟପୁର ସହରସ୍ଥିତ ନରସିଂହ ଗୌଡ଼ଙ୍କ ଦୋକାନ ମଧ୍ୟରେ ମୃଣ୍ମୟୀ ପୂଜା ହୋଇଥିଲା। ପରେ ଜୟପୁରବାସୀଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ରଜାନଅର ଛକରେ ସ୍ଥାୟୀ ପଣ୍ଡପ ନିର୍ମାଣ କରାଯାଇ ଦୁର୍ଗାପୂଜା କରାଯାଇ ଆସୁଛି। ପରେ ପରେ ସହରର ଅନ୍ୟ ସ୍ଥାନରେ ପୂଜା ମଣ୍ଡପ ସହ ଦେବୀ ଦୁର୍ଗା ପୂଜା ପାଇଲେ।

Comment