ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ ହୋଇ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲ ବେଡ୍ରୁ ମନମୋହନ ସିଂହଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ନେଇ ତାଙ୍କ ଝିଅ ଦମନ ସିଂହ କ୍ଷୋଭ ପ୍ରକାଶ କରିଛନ୍ତି।
‘‘ମୋ ବାପା ଚିଡ଼ିଆଖାନାର କୌଣସି ଜୀବ ନୁହଁନ୍ତି, ତାଙ୍କ ଫଟୋକୁ ଏଭଳି ଭାବେ ସୋସିଆଲ ମିଡିଆରେ ଭାଇରାଲ କରାଯିବ’’, ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦମନ ସିଂହ।
ମନମୋହନ ସିଂହ କିଛି ଦିନ ହେବ ଜ୍ବରରେ ପୀଡ଼ିତ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ଗୁରୁବାର ତାଙ୍କୁ ଦେଖିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ହସ୍ପିଟାଲ ଆସିଥିଲେ।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ହସ୍ପିଟାଲରେ ମନମୋହନ ସିଂହଙ୍କର ଏକ ଫଟୋ ଉଠାଇଥିଲେ, ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ତାଙ୍କ ଝିଅ ତୀବ୍ର ନିନ୍ଦା କରିଛନ୍ତି। ତାଙ୍କ ବାପା, ମା’ ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏ ସମୟରେ ସେ ଫଟୋ ଉଠାଇବା ସ୍ଥିତିରେ ନାହାନ୍ତି। କିନ୍ତୁ ଯେଉଁପରି ଭାବରେ ତାଙ୍କ ଫଟୋକୁ ଭାଇରାଲ କରାଯାଉଛି ତାହା ଗ୍ରହଣୀୟ ନୁହେଁ ବୋଲି ଦମନ ସିଂହ କହିଛନ୍ତି।