ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡି ଜିଲ୍ଲା ସନ୍‌ସାଇନ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ ହେପାଜତ୍‌ରୁ ହଠାତ୍ ଫେରାର୍ ହୋଇଯାଇଛନ୍ତି। ଏହାକୁ ନେଇ ବିରୋଧୀମାନେ ସିଧାସଳଖ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି। ମନ୍ତ୍ରୀଙ୍କ ସଂପୃକ୍ତିରେ ଗୋବିନ୍ଦ ସାହୁ ଫେରାର୍ ହୋଇଥିବା ଉଭୟ ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି।କ’ଣ ଥିଲା ଘଟଣା?

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗର ସନ୍‌ସାଇନ ପବ୍ଲିକ୍ ସ୍କୁଲରେ ମମିତା ମେହେର ଅଧ୍ୟକ୍ଷା ପଦରେ ଥିଲେ। ଗତ ୮ ତାରିଖରେ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ମମିତାଙ୍କୁ ମିଟିଂ ପାଇଁ ସ୍କୁଲକୁ ଡାକିଥିଲେ। ଏହାପରେ ମମିତା ଘରୁ ସ୍କୁଲକୁ ଯାଇଥିଲେ। ହେଲେ ସେହିଦିନଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ଏନେଇ ମମିତାଙ୍କ ଘରଲୋକେ ପୋଲିସ ପାଖରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଗୋବିନ୍ଦ ସାହୁଙ୍କୁ ପଚରା ଉଚରା କରିବା ପାଇଁ ଉଠାଇ ଆଣିଥିଲା। ୪ ଦିନ ପର୍ଯ୍ୟନ୍ତ ତାଙ୍କୁ ଟିଟିଲାଗଡ଼ ପୋଲିସ ବ୍ୟାରେକ୍‌ରେ ଅଟକ ରଖାଯାଇଥିଲା। ହେଲେ ରବିବାର ହାତ ଧୋଇବା ବାହାନା କରି ପୋଲିସ ହେପାଜତ୍‌ରୁ ଗୋବିନ୍ଦ ଚମ୍ପଟ୍ ମାରିଛନ୍ତି।ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ: ବିଜେପି, କଂଗ୍ରେସ   

କଳାହାଣ୍ଡିର ବିଜେପି ସାଂସଦ ବସନ୍ତ ପଣ୍ଡା ସୋମବାର ଏକ ସାମ୍ଵାଦିକ ସମ୍ମିଳନୀ କରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରିଛନ୍ତି।

“ମମିତା ନିଖୋଜ ଘଟଣାରେ ଗୋବିନ୍ଦ ସାହୁ ସମ୍ପୃକ୍ତ ଥିବାବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ତାଙ୍କର ଅତି ସୁସମ୍ପର୍କ ଥିବା ଜଣାପଡ଼ିଛି। ତେଣୁ ମମିତା ନିଖୋଜ ଘଟଣାକୁ ଚପାଇ ଦେବାକୁ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ନିଜେ ଏହି ଘଟଣାରେ ସମ୍ପୃକ୍ତ ଥିବାରୁ ନିରପେକ୍ଷ ତଦନ୍ତ କରିବା ପୋଲିସ ପକ୍ଷେ ସମ୍ଭବପର ନୁହେଁ। ମନ୍ତ୍ରୀ ହୁଏତ କ୍ଷମତାର ଅପବ୍ୟବହାର କରି ତଥ୍ୟ ପ୍ରମାଣ ନଷ୍ଟ କରିପାରନ୍ତି। ତେଣୁ ମନ୍ତ୍ରୀ ତାଙ୍କୁ ଯଥାଶୀଘ୍ର ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଉ ମମିତାଙ୍କୁ ତୁରନ୍ତ ଠାବ କରି ତାଙ୍କ ପରିବାରକୁ ନ୍ୟାୟ ଦିଆଯାଉ” କହିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା।

ସେହିପରି କଣ୍ଟାବାଞ୍ଜିର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ସେ ମମିତା ମେହେରଙ୍କ ନିଖୋଜ ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଥାନାରୁ ଫେରାର କରାଇବା ପଛରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବା ଦାବି କରିଛନ୍ତି। ତେଣୁ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ସହ ମାମଲାକୁ ତଦନ୍ତ ପାଇଁ ସିବିଆଇକୁ ଦିଆଯାଉ ଏବଂ ମମିତାଙ୍କୁ ଠାବ କରାଯାଇ ତାଙ୍କ ପରିବାରକୁ ନ୍ୟାୟ ଦେବାକୁ ବିଧାୟକ ସାଲୁଜା ଦାବି କରିଛନ୍ତି।

ଅନ୍ୟପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଆଇନ ତା’ ବାଟରେ ଯିବ। ବ୍ୟବସ୍ଥା ଉପରେ ବିଶ୍ୱାସ ରହିଛି। ଯେ କେହି ବି ଦୋଷୀ ହେଇଥିବେ ତାଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ହେବ।”ସ୍କୁଲରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ!

ମମିତାଙ୍କ ନିଖୋଜ ଘଟଣାରେ ଦିନକୁ ଦିନ ନୂଆ ନୂଆ ଟ୍ଵିଷ୍ଟ୍ ସମ୍‌ନାକୁ ଆସୁଛି। ମମିତାଙ୍କ ବାପାଙ୍କ କହିବା ଅନୁସାରେ ମମିତା ପଢ଼ାଉଥିବା ସ୍କୁଲରେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା। ସ୍କୁଲ ପରିଚାଳନା କମିଟିର ସଭାପତି ଗୋବିନ୍ଦ ସାହୁ ଛାତ୍ରୀମାନଙ୍କୁ ଟପ୍ପର କରାଇଦେବାର ପ୍ରଲୋଭନ ଦେଖାଇ ସେମାନଙ୍କୁ ଅନୈତିକ କାମ କରିବାକୁ ବାଧ୍ୟ କରୁଥିଲେ। ଏ ବିଷୟରେ ମମିତା ଜାଣିବାକୁ ପାଇଥିଲେ। ଏଥିଲାଗି ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଛି। ସେହିପରି ମମିତାଙ୍କ ପରିବାର ଲୋକେ ମଧ୍ୟ ଏହି ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ହାତ ଥିବା କହିଛନ୍ତି। ତାଙ୍କ ଇଙ୍ଗିତରେ ଗୋବିନ୍ଦଙ୍କୁ ପୋଲିସ ଜାଣିଶୁଣି ଫେରାର୍ କରାଇଦେଇଥିବା ମମିତାଙ୍କ ଜଣେ ସମ୍ପର୍କୀୟ ଆଶଙ୍କା କରିଛନ୍ତି।

Comment