ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ାରେ କୋଭିଡ୍ କଟକଣା ଭିତରେ ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା। ମଣ୍ଡପଗୁଡ଼ିକରେ ୪ ଫୁଟ ଉଚ୍ଚର ମୂର୍ତ୍ତିରେ ପୂଜା ପାଉଛନ୍ତି ମା’ ଧନଦାତ୍ରୀ। କରୋନା ପାଇଁ ମେଢ଼ ସାଜସଜ୍ଜାଠାରୁ ଆରମ୍ଭ କରି ତୋରଣ ପର୍ଯ୍ୟନ୍ତ ସବୁକିଛି ଏଥର ଫିକା ପଡ଼ିଛି। ତଥାପି ଭକ୍ତମାନେ ନିଜ ଭାବ-ଭକ୍ତିରେ ମା’ଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ଗଣପର୍ବ ଭାବେ ଗଜଲକ୍ଷ୍ମୀଙ୍କ ପୂଜା ବହୁ ପୁରୁଣାକାଳରୁ ମହାଆଡ଼ମ୍ବରରେ ପାଳନ ହୋଇଆସୁଛି। ପ୍ରତିବର୍ଷ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ କେନ୍ଦ୍ରାପଡ଼ା ସହରର ଚାକଚକ୍ୟରେ ପୂର୍ଣ୍ଣ ହୋଇଯାଏ। ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଗଜଲକ୍ଷ୍ମୀଙ୍କ ପୂଜାରେ ସମସ୍ତେ ଏକାକାର ହୋଇଯାଇଥାନ୍ତି। ହେଲେ ସରକାରଙ୍କ ନିୟମ ଅନୁଯାୟୀ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂଜାମଣ୍ଡପଗୁଡ଼ିକୁ ତିନିପଟୁ ଆବଦ୍ଧ କରି ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ତେଣୁ ଭକ୍ତମାନେ ମା’ଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିପାରୁନାହାନ୍ତି।ଗଜଲକ୍ଷ୍ମୀ ପୂଜା ଆସିଲେ କେନ୍ଦ୍ରାପଡ଼ାର ସୌନ୍ଦର୍ଯ୍ୟ ଦ୍ଵିଗୁଣ ହୋଇଯାଏ। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଆଖିଝଲସା ଆଲୋକ ଓ ତୋରଣ ସଜ୍ଜା ଜନମାନସକୁ ଆକୃଷ୍ଟ କରେ। ଭୋଜିଭାତର ମାହୋଲରେ ମସଗୁଲ୍‌ ହୋଇଯା’ନ୍ତି ଜିଲ୍ଲାବାସୀ। କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାର ଅନ୍ୟ ଏକ ବିଶେଷତ୍ଵ ହେଲା ସହରର ଅନେକ ସ୍ଥାନରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ପୂଜାକମିଟିର ସଦସ୍ୟ ରହି ପୂଜାରେ ସାମିଲ ହୋଇଥାନ୍ତି। ହେଲେ ଦୁଇବର୍ଷ ହେଲା କରୋନାର ପ୍ରଭାବରେ ସବୁ ଯେମିତି ଫିକା ପଡିଯାଇଛି। ମହାମାରୀ ପାଇଁ ନିରାଡମ୍ଵରଭାବେ ଜିଲ୍ଲାବାସୀ ମା’ ଧନଦାତ୍ରୀଙ୍କୁ ଆରଧନା କରୁଛନ୍ତି।

ଚଳିତ ବର୍ଷ କେନ୍ଦ୍ରାପଡ଼ା ସହରରେ ୬୯ଟି ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା କରାଯାଉଛି। କେନ୍ଦ୍ରାପଡ଼ା ସହର ବ୍ୟତୀତ ଜିଲ୍ଲାର ଆଳି, ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, ରାଜନଗର, ପାଟକୁରା, ଡେରାବିଶ, ଛତା, ଓଲଡିହି, ଚାନ୍ଦୋଳ ଆଦି ଅଞ୍ଚଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ବହୁ ନିଷ୍ଠା ସହକାରେ ପାଳନ କରାଯାଉଛି। ମଣ୍ଡପରେ ଗଜଲକ୍ଷ୍ମୀଙ୍କ ସହିତ ଅନ୍ୟ ଦେବାଦେବୀ ମଧ୍ୟ ଏହି ସମୟରେ ପୂଜା ପାଇଥାନ୍ତି। ସହରର ପୁରୁଣା ମଟରଷ୍ଟାଣ୍ଡର ଗଜଲକ୍ଷ୍ମୀ ପୂଜା ସବୁଠାରୁ ପୁରୁଣା ହୋଇଥିବାରୁ ଏଠାରେ ପୂଜା ପାଉଥିବା ମା’ଙ୍କ ମୂର୍ତ୍ତିକୁ ଥାନପତିର ମାନ୍ୟତା ମିଳିଛି। ଏଥିସହ ସହରରେ କାକଟମଙ୍ଗଳା ଗଜଲକ୍ଷ୍ମୀ, ତିନିମୁହାଣୀ ଗଜଲକ୍ଷ୍ମୀ, ମହିପାଳ ଗଜଲକ୍ଷ୍ମୀ, ଧନୀଛକ ଗଜଲକ୍ଷ୍ମୀ, ଗୁଲନଗର ଗଜଲକ୍ଷ୍ମୀ, ବିମ୍ବଳେଇ ଗଜଲକ୍ଷ୍ମୀ, ମଢିଆଳ ଗଜଲକ୍ଷ୍ମୀ, ଗୋପ ଗଜଲକ୍ଷ୍ମୀ, କେଶପୁର ବଜାର ଗଜଲକ୍ଷ୍ମୀ ବହୁ ପ୍ରାଚୀନ କାଳରୁ ପୂଜା ପାଇଆସୁଛନ୍ତି।

ସେହିପରି ସାନମଙ୍ଗଳା ରାଧାକୃଷ୍ଣ, ମନକରପୁର ସନି ଲକ୍ଷ୍ମୀ, ଫରଜନ ଛକ ବ୍ୟାସ ସରୋବର, ଅଜୋଧ୍ୟା ନଗରର ସିଦ୍ଧ ଦାସଙ୍କ ଗାଈ, ମଢିଆଳ ଗଙ୍ଗା ଭାଗିରଥୀ, ବଢହାଟ ସୂର୍ଯ୍ୟ ସାଗରିକା, ବିରଶ୍ଵତୀ ହାଟର ଗଜ ଉଦ୍ଧାରଣ, ମୀରପାଟଣାର ଦ୍ରୌପଦୀ ବସ୍ତ୍ରହରଣ, କାକଟ ଲକ୍ ର ଅନନ୍ତ ଶୟନ ଓ ନବଗୁଞ୍ଜର ବେଶ, ବଡହାଟର ରାମ ଅଭିଷେକ, ବଣିଆମାଳର ବରାହଲକ୍ଷ୍ମୀଙ୍କ ପୂଜା ମଧ୍ୟ ବହୁ ପୁରାତନ। ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ସହରରେ ୩ଟି ଅସ୍ଥାୟୀ ଫାଣ୍ଡି ନିର୍ମାଣ କରାଯାଇଛି। ୨ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୧୦ ଜଣ ଇନସ୍ପେକ୍ଟର, ୧୦ ପ୍ଲାଟୁନ ପୋଲିସ ଫୋର୍ସ, ୨୦୦ ପୋଲିସ କର୍ମଚାରୀ, ୨ ପ୍ଲାଟୁନ୍ ରାପିଡ ଆକ୍ସନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ସହରର ସମ୍ବେଦନଶୀଳ ସ୍ଥାନମାନଙ୍କରେ ସ୍ଵତନ୍ତ୍ର ପୋଲିସ ବ୍ୟବସ୍ଥା ମଧ୍ୟ ହୋଇଛି। ପୂଜା କମିଟିଗୁଡ଼ିକ ସହିତ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଲୋଚନା କରି ପୂଜାକାର୍ଯ୍ୟର ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳାରେ ସମାପନ କରିବାକୁ କେନ୍ଦ୍ରାପଡ଼ା ଏସ୍‌ପି ମଡକର ସନ୍ଦିପ ସମ୍ପଦ ମଧ୍ୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।ପୌରାଣିକ ତଥ୍ୟ ଅନୁଯାୟୀ ଦେବ ଓ ଦାନବମାନଙ୍କର କଳିରେ ହୋଇଥିବା ସମୁଦ୍ର ମନ୍ଥନ ସମୟରେ ସମୁଦ୍ର ଗର୍ଭରୁ ମା’ ଲକ୍ଷ୍ମୀ ଆବିର୍ଭୂତା ହୋଇଥିଲେ। ପରେ ପରେ ଏହି ସମୁଦ୍ରରୁ ଐରାବତ ହସ୍ତୀଙ୍କର ମଧ୍ୟ ଆବିର୍ଭାବ ହୋଇଥିଲା। ଐରାବତହସ୍ତୀ ତାଙ୍କ ଶୁଣ୍ଢରେ, ମା’ ଲକ୍ଷ୍ମୀଙ୍କୁ ଶୁଦ୍ଧସ୍ନାନ କରାଇଥିବାରୁ ଐରାବତ ହସ୍ତୀ ବା ଗଜଙ୍କ ସହିତ ସେବେଠୁ ମା’ ଲକ୍ଷ୍ମୀଙ୍କର ସମ୍ପର୍କ ଯୋଡି ହୋଇଛି। ମା’ ଲକ୍ଷ୍ମୀ ଯେହେତୁ ଧନ, ଧାନ୍ୟ ଓ ବ୍ୟବସାୟ ବାଣିଜ୍ୟର ଦେବୀ ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ବହୁ ପ୍ରାଚୀନ କାଳରୁ ଲୋକେ ଦେବୀ ଲକ୍ଷ୍ମୀଙ୍କୁ ସେମାନଙ୍କର ଆରାଧ୍ୟା ଦେବୀ ଭାବରେ ପୂଜା ଆରମ୍ଭ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଏକ କୃଷି ଓ ବାଣିଜ୍ୟ ଭିତ୍ତିକ ଜିଲ୍ଲା ହୋଇଥିବାରୁ ଏହି ଅଞ୍ଚଳର ଲୋକେ ପ୍ରାୟ ଶତାଧିକ ବର୍ଷତଳୁ ଗଜଲକ୍ଷ୍ମୀଙ୍କ ପୂଜା କରିଆସୁଛନ୍ତି।

Comment