ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଦେବଭୂମି ଭାବେ ଜଣା ଉତ୍ତରାଖଣ୍ଡରେ ତାଣ୍ଡବ ରଚିଛି ପ୍ରକୃତି। ଲଗାତାର ୩ ଦିନ ଧରି ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା‌ ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୟାନକ ବନ୍ୟା ସହ ଭୂସ୍ଖଳନ ହୋଇଛି। ଏଥିରେ ଅତି କମ୍‌ରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ବଢ଼ିବା ଆଶଙ୍କା ରହିଛି।  ପ୍ରକୃତିର ଏହି ଦୁର୍ବିପାକରେ ନୈନିତାଲ ସହର ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଭୂସ୍ଖଳନ ଯୋଗୁଁ ନୈନିତାଲ୍‌କୁ ସଂଯୋଗ ହୋଇଥିବା ୩ଟି ରାସ୍ତା ବନ୍ଦ ହୋଇଯାଇଥିବାରୁ ନୈନିତାଲ ସହ କୌଣସି ସଡ଼କ ଯୋଗାଯୋଗ ହୋଇପାରୁ ନାହିଁ।

ନୈନିତାଲର ରାମଗଡ଼ ଅଞ୍ଚଳରେ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ରାମଗଡ଼ର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ୧୫ରୁ ଅଧିକ ନିଖୋଜ ହୋଇଥିବା ଜଣାପଡ଼ିଛି।ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଅନେକ ବ୍ରିଜ୍ ଭାଙ୍ଗିବା ସହ ବଡ଼ ବଡ଼ ଘର ମାଟିରେ ମିଶି ବ୍ୟାପକ କ୍ଷୟକ୍ଷତି ହୋଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଗତକାଲି ଆକାଶ ମାର୍ଗରୁ ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରିଛନ୍ତି। ଏହାପରେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଏବଂ ଯେଉଁମାନେ ବର୍ଷା ଏବଂ ବନ୍ୟା ଯୋଗୁଁ ଘର ହରାଇଛନ୍ତି ସେମାନଙ୍କ ପାଇଁ ୧.୯ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା ହୋଇଛି।ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଖାଲି କରିବାପାଇଁ ଏନ୍‌ଡିଆରଏଫ୍‌ର ୧୫ଟି ଟିମ୍‌ ମୁତୟନ ହୋଇଛି। ସେହିପରି ସେନାର ୩ଟି ହେଲିକପ୍ଟର ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

Comment