ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଛତିଶଗଡ଼-ତେଲେଙ୍ଗାନା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ସୋମବାର ସକାଳେ ଏକ ଭୟଙ୍କର ଏନକାଉଣ୍ଟର ହୋଇଛି। ଏଥିରେ ପୋଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି। ଏଥିସହିତ ଘଟଣାସ୍ଥଳରୁ ଏକେ-୪୭ ସମେତ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ଏନେଇ ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି।ତେଲେଙ୍ଗାନା-ଛତିଶଗଡ଼ ସୀମାନ୍ତ ମୁଲଗୁ ଜିଲ୍ଲାର ଜଙ୍ଗଲରେ ବଡ଼ସଂଖ୍ୟାରେ ନକ୍ସଲମାନେ ଏକତ୍ରିତ ହୋଇଥିବା ଖବର ଆସିଥିଲା। ଏହା ପରେ ତେଲେଙ୍ଗାନା ପୋଲିସ ଏବଂ ତେଲେଙ୍ଗାନା ଗ୍ରେହାଉଣ୍ଡ ଫୋର୍ସ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ପୋଲିସ ଏବଂ ସୁରକ୍ଷାକର୍ମୀମାନେ ଜଙ୍ଗଲରେ ପ୍ରବେଶ କରିବା ମାତ୍ରେ ନକ୍ସଲମାନେ ତାଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପୋଲିସ ଗୁଳିରେ ୩ ନକ୍ସଲ ନିହତ ହୋଇଛନ୍ତି।ଏହି ଏନକାଉଣ୍ଟର ପରେ ଏବେ ଛତିଶଗଡ଼ର ସୀମାନ୍ତ ଜିଲ୍ଲାରେ ନିୟୋଜିତ ପୋଲିସକୁ ମଧ୍ୟ ସତର୍କ କରାଯାଇଛି। ଅନ୍ୟପକ୍ଷରେ ନିହତ ମାଓବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଯବାନମାନେ ଫେରିବା ପରେ ଏ ଘଟଣାରେ ଅଧିକ ବିବରଣୀ ସାମ୍ନାକୁ ଆସିବ ବୋଲି ସଂପୃକ୍ତ ପୋଲିସ ଅଧିକାରୀ କହିଛନ୍ତି।

Comment