ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭକୁ ୯ ଦିନ ବିତିଥିଲେ ସୁଦ୍ଧା, ଗୋଟିଏ ଘଣ୍ଟା ବି ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲିପାରୁ ନାହିଁ। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି। ଏହାରି ମଧ୍ୟରେ ଶୁକ୍ରବାର ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଉପରେ ଆଲୋଚନା ରହିଛି। ତେଣୁ ଏହି ଆଲୋଚନା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖି ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।ଶୁକ୍ରବାର ସକାଳ ସାଢ଼େ ୧୦ଟାରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବାଚସ୍ପତି ପୋଡିୟମକୁ ଆସିବା ପରେ ବିରୋଧୀ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ପ୍ଲା-କାର୍ଡ ଧରି ବାଚସ୍ପତିଙ୍କ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ତେଣୁ ବାତସ୍ପତି ପ୍ରଥମେ ସାଢ଼େ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ।

ଏହାପରେ ୧୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ବେଳକୁ ବିରୋଧୀମାନେ ପୁଣି ହୋହଲ୍ଲା କରିଥିଲେ। ଫଳରେ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।ବିଧାନସଭା ଭିତରେ ବିରୋଧୀମାନେ ହଟ୍ଟଗୋଳ କରୁଥିବା ବେଳେ ଗୃହ ବାହାରେ ମଧ୍ୟ ଦଳୀୟ କର୍ମକର୍ତ୍ତାଙ୍କ ପକ୍ଷରୁ ହୋହଲ୍ଲା ଲାଗି ରହିଛି। ଗତକାଲି ବିଜେପି କର୍ମୀଙ୍କ ଉପରେ ପୋଲିସ କରିଥିବା ବ୍ୟବହାରକୁ ବିରୋଧ କରି ବିଜେପି କର୍ମୀମାନେ ବିଧାନସଭା ବାହାରେ ହଟ୍ଟଗୋଳ କରୁଛନ୍ତି। ସେହିପରି ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ବିଧାନସଭା ଘେରାଓ କରାଯାଉଛି।ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ଆଧାର କରି ବିଧାନସଭାରେ ଚଳିତ ଅଧିବେଶନ ଆରମ୍ଭରୁ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ କାଢ଼ିବା ଲାଗି ବିରୋଧୀ ବିଜେପି ଏବଂ କଂଗ୍ରେସ ଦାବି କରୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ସିଧାସଳଖ ଗୃହକୁ ନ ଆସି ଭର୍ଚୁଆଲ ଭାବେ ଯୋଡ଼ି ହେବାକୁ ମଧ୍ୟ ବିରୋଧୀମାନେ ନିନ୍ଦା କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରା ଦେଉଛନ୍ତି।

Comment