ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ ବଢୁଛି ଶୀତ ପ୍ରବାହ
  • ୧୫ ଡିଗ୍ରୀ ତଳେ ରାଜ୍ୟର ୧୯ ସହର
  • ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀକୁ ଖସିଲା ପାରଦ

ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ ଆରମ୍ଭ କରିଛି। ଏହା ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ଖସି ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ୭.୫ ତାପମାତ୍ରା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଏବେ ୧୯ଟି ସ୍ଥାନ ଯଥା – ବାଲେଶ୍ଵର, ଚାନ୍ଦବାଲି, କଟକ, ଭୁବନେଶ୍ଵର, ଅନୁଗୁଳ, ବାରିପଦା, ଝାରସୁଗୁଡ଼ା, କେନ୍ଦୁଝର, ସମ୍ଵଲପୁର, ସୁନ୍ଦରଗଡ଼, ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗିର, କୋରାପୁଟ, ଫୁଲବାଣୀ, ଟିଟିଲାଗଡ଼, ସୋନପୁର ଓ ଦାରିଙ୍ଗବାଡ଼ି ଆଦିରେ ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି।ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀଠାରେ ସର୍ବନିମ୍ନ ୧୦ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି।ଅନ୍ୟପଟେ ବାୟୁମଣ୍ଡଳର ଉପରିଭାଗରେ ଜଳୀୟବାଷ୍ପର ବ୍ୟାପକ ଉପସ୍ଥିତି ଯୋଗୁଁ ରାଜ୍ୟରେ ପ୍ରାୟ ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ କମ ସହ ପାଗ ଧୁଆଁଳିଆ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment