ଡ଼ିଶାଲାଇଭ୍ ବ୍ୟୁରୋ

  • ଗାର୍ଡ ଅଫ୍ ଅନର ପାଇଁ ବିଧାନସଭା ପରିସରକୁ ନିଆଯିବ ପାର୍ଥିବ ଶରୀର
  • ପୁରୀରେ ହେବ ଶେଷକୃତ୍ୟ ସମ୍ପନ୍ନ
  • କୋଦଳାସ୍ଥିତ ବାସଭବନକୁ ଯିବ ମରଶରୀର

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କର ପରଲୋକ ହୋଇଛି। ଶୁକ୍ରବାର ସକାଳ ୯ଟା ୩୦ରେ ଭୁବନେଶ୍ଵର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଶେଷ ଦର୍ଶନ ପାଇଁ ସ୍ଵର୍ଗତ ପଟ୍ଟନାୟଙ୍କ ଘର ପରିସରରେ ବିଭିନ୍ନ ରାଜନୈତିକ ଦଳର ନେତା ପହଞ୍ଚିଛନ୍ତି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଗାର୍ଡ ଅଫ୍ ଅନର ପାଇଁ ବିଧାନସଭା ପରିସରକୁ ପାର୍ଥିବ ଶରୀର ନିଆଯିବ। କୋଦଳା ସ୍ଥିତ ବାସଭବନକୁ ନେବା ପରେ ପୁରୀରେ ଶେଷକୃତ୍ୟ ସମ୍ପନ୍ନ ହେବ।

ସ୍ଵର୍ଗତ ପଟ୍ଟନାୟକ ଏକାଧିକ ବିଭାଗରେ ମନ୍ତ୍ରୀ ଥିଲେ। ସେ ୨୦୦୦-୨୦୦୨ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଦାୟିତ୍ଵ ବହନ କରିଥିଲେ। କୋଦଳା ନିର୍ବାଚନୀ ମଣ୍ଡଳୀରୁ ୧୯୭୧, ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ସେ ରାଜ୍ୟ ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ୬ଥର ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଅର୍ଥ ଏବଂ କୃଷି ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ତାଙ୍କୁ ମିଳିଥିଲା। ପ୍ରାୟ ୪୦ ବର୍ଷ ଧରି ସେ ରାଜନୀତିରେ ସକ୍ରିୟ ଥିଲେ। କ୍ୟାରିୟରର ଶେଷ ଭାଗରେ ସେ ବିଜେପିରେ ଯୋଗ ଦେଇଥିଲେ।

ସେ ଜନତାପାର୍ଟି, ଜନତା ଦଳ, କଂଗ୍ରେସ ଏବଂ ବିଜୁ ଜନତା ଦଳରେ କାର୍ଯ୍ୟ କରିଥିଲେ। ପ୍ରଥମ ଥର ବିଧାୟକ ହେବା ପରେ ସେ ୧୯୭୧ ମସିହାରେ ସ୍ଵାସ୍ଥ୍ୟମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସ୍ଵର୍ଗତ ରାମକୃଷ୍ଣ ପଟ୍ଟନାୟକ ବିଧାନସଭାରେ ବିରୋଧୀଦଳର ନେତା ଥିଲେ। ଗଞ୍ଜାମ ଜିଲ୍ଲାର ସେ ଜଣେ ପୁରୁଖା ନେତା ଥିଲେ।

ସ୍ଵର୍ଗତ ଆତ୍ମାର ଶେଷ ଦର୍ଶନ କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।

Comment