ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ କୋରାପୁଟ ସାହିତ୍ୟ ଉତ୍ସବର ଚତୁର୍ଥ ସଂସ୍କରଣ ଡିସେମ୍ବର ୨୬ ଓ ୨୭ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଥର ଉଦ୍‌ଘାଟନୀ ସମାରୋହ ଓ ପୁରସ୍କାର ବିତରଣ କୋରାପୁଟ ପରିବର୍ତ୍ତେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏନେଇ କଥାକାର ତଥା ଉତ୍ସବ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଦ୍ୱିତୀୟ ଦିନ କୋରାପୁଟଠାରେ ଉଦ୍‌ଯାପନୀ ସମାରୋହ ହେବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ପାଇଁ ବରିଷ୍ଠ କଥାକାର ଦାଶ ବେନହୁର ଓ କବି ହୃଷିକେଶ ମଲ୍ଲିକଙ୍କୁ ଯଥାକ୍ରମେ କଥା ଓ କବିତା ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ଦିଆଯିବ। ଉଭୟଙ୍କୁ ଅନୁଷ୍ଠାନ ପକ୍ଷରୁ ୨୧ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ସହ ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯିବ।ଡିସେମ୍ବର ୨୬ ପୂର୍ବାହ୍‌ଣରେ ଭୁବନେଶ୍ଵରସ୍ଥିତ ହୋଟେଲ ଏକ୍ସେଲେନ୍ସିରେ ହେବାକୁଥିବା ସମାରୋହକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରିଷ୍ଠ କବି ଓ ଚିନ୍ତକ ହରପ୍ରସାଦ ଦାସ ଉତ୍ସବରେ ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହିବେ।

ସେହିପରି ଉଦ୍‌ଯାପନୀ ଉତ୍ସବ ଓ ସମ୍ମାନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏଥିସହ ପ୍ରସିଦ୍ଧ ଲେଖିକା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ, ପ୍ରସିଦ୍ଧ ତେଲୁଗୁ କବି ନିଖିଳେଶ୍ଵର, ଟିମ୍‌ ଆଡମାର୍କ୍‌ର ନିର୍ଦ୍ଦେଶକ ନିଶିକାନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିବେ।ଏହି ଉତ୍ସବରେ କଳା, ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ପ୍ରସଙ୍ଗ ଉପରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହେବ। ଦ୍ଵିତୀୟ ଦିନ ଏକ ଭ୍ରାମ୍ୟମାଣ ଉତ୍ସବରେ ଯୋଗ ଦେବାପାଇଁ ଲେଖକମାନେ କୋରାପୁଟ ଯାତ୍ରକରିବେ। ଅନ୍ୟମାନଙ୍କ ମଧ୍ୟରେ ଗୌରହରି ଦାସ, ବିକ୍ରମ ଦାସ, ଜଗଦାନନ୍ଦ, ସଂଜିତ ପଟ୍ଟନାୟକ, ନାରାୟଣ ପଣ୍ଡା, କୃଷ୍ଣ ସିଂହଙ୍କ ସମେତ ବହୁ ଲେଖକ, ବୁଦ୍ଧିଜୀବୀ, ରାଜନେତା ଓ କଳାକାର ଏହି ଉତ୍ସବରେ ବକ୍ତା ଭାବେ ଯୋଗଦେବେ।

Comment